Before Header

କରୋନା ସହିଦଙ୍କୁ ଅନୁକମ୍ପା ରାଶି ଦିଅ

0 155

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧାମାନଙ୍କ ନିଷ୍ଠାର ଉଚ୍ଚ ପ୍ରଶଂସା କରିଥିଲେ । ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ୟ୍ୟ କରୁଥିବା ସମୟରେ ସହିଦ୍‌ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଛନ୍ତି । ବେଳେ ଭାରତ ସରକାର ମାତ୍ର ଜଣେ ସହିଦ୍‌ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ଟପିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ରହିଛି । ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି ।

ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡିକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ। କଟକ, ପୁରୀ ଓ ଭୁବନେଶ୍ୱରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍‌ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହା ରୋଗୀଙ୍କୁ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର କହିଥିଲେ ଯେ ରାଜ୍ୟରେ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି ଯାହାକି ଭାରତର ସବୁ ବଡ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ। ସେହିପରି ସୁସ୍ଥତା ହାରରେ ମଧ୍ୟ ଓଡିଶା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ ବର୍ତ୍ତମାନ ପୋଲିସ କର୍ମଚାରୀମାନଙ୍କ ଦ୍ୱାରା ପ୍ଲାଜମା ଦାନ ଅଧିକ ପରିମାଣରେ କରାଯାଉଛି ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମଧ୍ୟ କମୁଛି ବୋଲି ସେ ସୂଚନା ଦେଇଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ଶ୍ରୀ ସଂଜୟ ସିଂହ କହିଲେ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଭାବରେ ଗୃହ ସଂଗରୋଧ ଏବଂ ଆଣ୍ଟି ଭାଇରାଲ ଡ୍ରଗ୍‌ ଥେରାପୀ ପାଇଁ ଏକ ସ୍ୱତନ୍ତ୍ର ପ୍ରଚାର ଅଭିଯାନ କରାଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.