ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇଛି । କ୍ୟାବିନେଟ୍ ବୈଠକ ପରେ ମୋଦି ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହେଇଛି । ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି। ସେହିପରି ଅଜୟ ଟାମଟା ଓ ହର୍ଷ ମାଲହୋତ୍ରା ତାଙ୍କ ଡେପୁଟି ଭାବେ କାମ କରିବେ। ଗଡ଼କରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ହର୍ଷ ଓ ଅଜୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୧୯ରେ ମୋଦି ସରକାରେ ରେଳମନ୍ତ୍ରୀ ଭାବେ କାମ କରୁଥିବା ଅଶ୍ୱିନୀ ବୈଷବ ଏଥର ରେଳ ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି। ବିଜେପିର ଚାଣକ୍ୟ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ପୁଣି ପାଇଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍‌ରେ ଜଣେ ହେଲେ ମୁସଲମାନଙ୍କୁ ସ୍ଥାନ ମିଳିନାହିଁ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା। ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ବିଭିନ୍ନ ରାଜ୍ୟ, ବର୍ଗ ଓ ଜାତିରୁ ପ୍ରତିନିଧିତ୍ୱ ମିଳିଥିବାବେଳେ ୨୦ କୋଟି ଜନସଂଖ୍ୟା ଥିବା ମୁସଲମାନ ସମ୍ପ୍ରଦାୟରୁ ଜଣକୁ ସୁଯୋଗ ନ ମିଳିବା ଅନେକଙ୍କୁ ଆଶ୍ଚର୍ୟ୍ୟ କରିଛି। ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ମୁଖ୍‌ତାର ଆବାସ ନକ୍‌ଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ। ୩ ବର୍ଷ ପରେ ସେ ରାଜ୍ୟ ସଭାକୁ ପୁନଃ ନିର୍ବାଚିତ ହୋଇ ନ ପାରିବାରୁ ମନ୍ତ୍ରିମଣ୍ଡଳ ମୁସଲମାନ ଶୂନ୍ୟ ହୋଇଯାଇଥିଲା। ୨୦୧୪ରେ ମୋଦିଙ୍କ ପ୍ରଥମ ପାଳି ସରକାରରେ ରାଜ୍ୟ ସଭା ସଦସ୍ୟ ନଜମା ହେପତୁଲ୍ଲା ଏକମାତ୍ର ମୁସଲମାନ ମନ୍ତ୍ରୀ ଥିଲେ। ତାଙ୍କୁ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ମିଳିଥିଲା।

୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ୨ ମୁସଲମାନ ମନ୍ତ୍ରୀ ଥିଲେ ଶାହନଓ୍ବାଜ ହୁସେନ୍‌ ଏବଂ ଓମାର ଅବଦୁଲ୍ଲା। ୧୯୯୮ରେ ବାଜପେୟୀ ସରକାରରେ ନକ୍‌ଭିଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୦୪ ଏବଂ ୨୦୦୯ରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରରେ ଯଥାକ୍ରମେ ୪ ଓ ୫ ଜଣ ମୁସଲମାନ ମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ସବୁ ସରକାରରେ ଅନୂ୍ୟନ ଜଣେ ମୁସଲମାନ ମନ୍ତ୍ରୀ ରହୁଥିଲେ। ଅଷ୍ଟାଦଶ ଲୋକ ସଭାକୁ ୨୪ ଜଣ ମୁସଲମାନ ଏମ୍‌ପି ନିର୍ବାଚିତ ହୋଇଛନ୍ତି। ଇଣ୍ଡିଆ ମେଣ୍ଟରୁ ୨୧ ଜଣ ମୁସଲମାନ ଏମ୍‌ପି ଜିତିଥିବାବେଳେ ଏଆଇଏମ୍‌ଆଇଏମ୍‌ରୁ ଜଣେ, ଜମ୍ମୁ-କଶ୍ମୀର ଏବଂ ଲଦାଖରୁ ଜଣେ ଲେଖାଏ ମୁସଲମାନ ଏମ୍‌ପି ଅଛନ୍ତି।

Leave a Reply

Your email address will not be published. Required fields are marked *