ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ବ ବଜାର ପରେ ପଡ଼ିଲା ଚଡ଼କ। ଆମେରିକାର ପ୍ରବଳ ହମଲା ପରେ ହର୍ମୁଜକୁ ବନ୍ଦ କଲା ଇରାନ। ପୁଣି ମିଶାଇଲ, ଡ୍ରୋନ୍ ମାଡ଼ରେ କମ୍ପିଛି ପୁରା ମଧ୍ୟପ୍ରାଚ୍ୟ। କିଛି ଦିନର ବ୍ୟବଧାନ ଓ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଏବେ ପୁଣି ଥରେ କମ୍ପିଛି ମିଡିଲ୍ ଇଷ୍ଟ। ଗତକାଲି ଟ୍ରମ୍ପ ଚେତାବନୀ ଦେଇଥିଲେ, ଇରାନକୁ ପ୍ରବଳ ମିଶାଇଲ୍ ମାଡ଼ କରାଯିବ ଧମକ ଦେଇଥିଲେ। ହର୍ମୁଜ୍ ଆଖପାଖରେ ଆମେରିକାର ଘନ ଘନ ମିଶାଇଲ୍ ମାଡ଼ କରିଛି।
ଏହାର ଜବାବରେ ହର୍ମୁଜକୁ ବନ୍ଦ କରି ଦେଇଛି ଇରାନ। ଫଳରେ ଏଇ ରୁଟ୍ ରେ ଯାଉଥିବା ସମସ୍ତ ଜାହାଜ ଚଳାଚଳ ପ୍ରଭାବିତ ହୋଇଛି। ଏହାର ଜବାବ ଦେବା ସହ ଆକ୍ରମଣକୁ ଜୋରଦାର କରାଯିବାକୁ ଚେତାଇ ଦେଇଛି ଆମେରିକା ସେଣ୍ଟ୍ରାଲ କମାଣ୍ଡ। ହର୍ମୁଜ ବନ୍ଦ କରିବା ପରେ ଭାରି ମୂଲ୍ୟ ଦେବାକୁ ପଡ଼ିବ ବୋଲି ଦୋହରାଇଛି ଆମେରିକା। ଆମେରିକା ସେନା ବାହାରିନରେ ଥିବା ନିଜର ସାମରିକ ଘାଟିରୁ ଇରାନ ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ଯାହା ଫଳରେ ଇରାନର ସାତଟି ପ୍ରମୁଖ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଆକ୍ରମଣରେ ୧୨ ସାମରିକ ଶିବିର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ଦାବି କରାଯାଇଛି। ଚାବାହାର, ବୁଶେହର, ବନ୍ଦର ଆବାସ ଏବଂ ସିରିକ୍ ଭଳି ସହରରେ କ୍ରମାଗତ ଭାବରେ ଅନେକ ଶକ୍ତିଶାଳୀ ବିସ୍ଫୋରଣ ଶୁଣାଯାଇଥିଲା।
ଏହି ଆକ୍ରମଣଗୁଡ଼ିକ ଇରାନର ସାମରିକ କ୍ଷମତାକୁ ଧ୍ବଂସ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ଯେଉଁ ଘାଟିରୁ ଇରାନ ଆନ୍ତର୍ଜାତୀୟ ଜାହାଜ ଚଳାଚଳ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ସେସବୁକୁ ଟାର୍ଗେଟ କରାଯାଇଥିଲା ବୋଲି ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଶ୍ଚିତ କରିଛି। ଏହି ଆକ୍ରମଣଗୁଡ଼ିକ କମାଣ୍ଡର-ଇନ୍-ଚିଫ୍ଙ୍କ ନିର୍ଦ୍ଦେଶରେ କରାଯାଇଥିବା ସେଣ୍ଟକମ୍ କହିଛି।
