ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ଆଜି ପୁଣି ଜୋରଦାର ହୋଇପାରେ CJPର ଆନ୍ଦୋଳନ । ଜନ୍ତରମନ୍ତରରେ ପୁଣିଥରେ ପ୍ରତିବାଦ କରିପାରନ୍ତି CJP ସମର୍ଥକ। CJP ପ୍ରତିଷ୍ଠାତା ଅଭିଜିତ ଦୀପ୍କେଙ୍କ ସମେତ ପ୍ରାୟ ୪ ହଜାର ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ସଂଗଠନ ପକ୍ଷରୁ ପୁଣି ଜନ୍ତରମନ୍ତରରେ ପ୍ରତିବାଦ କରାଯିବ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଆଜିଙ୍କ୍ୟ ସିନ୍ଦେ କହିଛନ୍ତି । ମୋଦି ଏବଂ ଶାହାଙ୍କ ମନରେ ଥିବା ଏହି ଭୟ ହିଁ ପ୍ରମାଣ କରୁଛି ଯେ ଆମେ ଆମର ଅଧା ଲଢ଼େଇ ଜିତିସାରିଛୁ। ପୋଲିସ ଯେତେ ଲୋକଙ୍କୁ ଚାହିଁବ ଅଟକ ରଖୁ, କିନ୍ତୁ ଜ୍ଞାନେଶ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆମେ ପଛକୁ ହଟିବୁ ନାହିଁ ବୋଲି ସେ କହିଛନ୍ତି। ସେ ଦେଶର ଯୁବପିଢ଼ି, ଛାତ୍ର ଏବଂ ସାଧାରଣ ଜନତାଙ୍କୁ ବହୁସଂଖ୍ୟାରେ ଏହି ବିକ୍ଷୋଭରେ ଯୋଗଦେବାକୁ ଆହ୍ୱାନ ଦେଇଛନ୍ତି। ପୋଲିସ ଯେଉଁଠାରେ ଅଟକାଇବ, ସେହିଠାରେ ହିଁ ପ୍ରତିବାଦ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଜନ୍ତରମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ ରହିବେ। ଆନ୍ଦୋଳନରେ ସାମିଲ ହେଉଥିବା ସଂଗଠନ ଓ ସେମାନଙ୍କ ଗତିବିଧି ଉପରେ ମଧ୍ୟ ପୁଲିସ ନଜର ରଖିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦିଲ୍ଲୀ ମେଟ୍ରୋ ନେଟୱର୍କର ସମସ୍ତ ଷ୍ଟେଶନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଖୋଲାଯାଇଛି। ସମସ୍ତ ଷ୍ଟେଶନରେ ଯାତ୍ରୀଙ୍କ ପାଇଁ ଇଣ୍ଟରଚେଞ୍ଜ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ସିଜେପି ନେତାଙ୍କୁ ଛାଡ଼ି ଅଟକ କେନ୍ଦ୍ରରେ ରଖାଯାଇଥିବା ଅନ୍ୟ ସମସ୍ତଙ୍କୁ ଦିଲ୍ଲୀ ପୋଲିସ ମୁକ୍ତ କରିଛି ।
ସିଜେପି ନେତାଙ୍କ ମାମଲାରେ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି କୁହାଯାଇଛି। ପ୍ରଦର୍ଶନ ସମୟରେ ଅଟକ ରଖାଯାଇଥିବା ଅରବିନ୍ଦ କେଜ୍ରିୱାଲ ଓ ମମତା ବାନାର୍ଜୀଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ଜାଫରାବାଦ ଥାନାରୁ ଏବଂ ମମତା ବାନାର୍ଜୀଙ୍କୁ ଦ୍ୱାରକା ଥାନାରୁ ଛାଡ଼ି ଦିଆଯାଇଥିବା ଖବରରେ ଉଲ୍ଲେଖ ରହିଛି। ସିଜେପି ନେତା ଅଜିଙ୍କ୍ୟ ସିନ୍ଦେଙ୍କ କହିବା ଅନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ଦଳର ପ୍ରତିବାଦ ଜାରି ରହିବ। ଏହି ଦାବିକୁ ନେଇ ରବିବାର ପୁଣିଥରେ ଜନ୍ତରମନ୍ତରରେ ପ୍ରଦର୍ଶନ କରିବାକୁ ଦଳ ପ୍ରସ୍ତୁତି କରିଛି।