ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଛାତ୍ର ସଂସଦ ନିର୍ବାଚନ । ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ । ସନ୍ଧ୍ୟାରେ ବାହାରିବ ରେଜଲ୍ଟ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରି ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତକାଲି କ୍ୟାମ୍ପସ୍ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଶେଷ ହୋଇଛି । ଚଳିତବର୍ଷ ୧୨ଟି ବିଶ୍ଵବିଦ୍ୟାଳୟ ସମେତ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଯେଉଁଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ । ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ।