ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍ଟି ସ୍ଲାବ୍କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ଉଚ୍ଛେଦ କରାଯାଇଛି। ଏଥିସହିତ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍ ଲାଗୁ କରାଯାଇଛି, ଯାହା ହାନିକାରକ ପଦାର୍ଥ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରାଯିବ।
ନୂଆ ଜିଏସ୍ଟି ସ୍ଲାବ୍ ଚଳିତ ବର୍ଷ ନବରାତ୍ରିର ପ୍ରଥମ ଦିନ ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଜିଏସ୍ଟି ସ୍ଲାବ୍ କମ୍ ହେବାରୁ ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତି ଭରଣା ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ତମାଖୁ ଦ୍ରବ୍ୟ ଉପରେ ପୂର୍ବଭଳି ୨୮ ପ୍ରତିଶତ ଜିଏସ୍ଟି ଓ ସେସ୍ ବଳବତ୍ତର ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଜିଏସ୍ଟି ହ୍ରାସ ଦ୍ବାରା ଦେଶର ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ପରିବାର, ଶ୍ରମ ସମ୍ବେଦନଶୀଳ କ୍ଷେତ୍ର, ସ୍ବାସ୍ଥ୍ୟ, ଶିକ୍ଷା, ଅଟୋମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍ସେସ୍ କ୍ଷେତ୍ର ଉପକୃତ ହେବେ।
ଟିକସ ସ୍ଲାବରେ ପରିବର୍ତ୍ତନ ବିଷୟରେ ସୂଚନା ଦେବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରୋଟି, ପରଟା, , ପିଜା,ପାଉଁରୁଟି,UHT କ୍ଷୀର, ଛେନା ଉପରେ ଜିଏସଟି ଲାଗୁ ହେବ ନାହିଁ କହିଛନ୍ତି। ପୂର୍ବରୁ ଏଗୁଡ଼ିକ ଉପରେ ୫ ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା, କିନ୍ତୁ ଏବେ ଏହା ଶୂନ୍ୟ GST ହୋଇଯାଇଛି। ସେହିପରି ସରକାର ଶିକ୍ଷାଗତ ସାମଗ୍ରୀକୁ ଜିଏସଟି ମୁକ୍ତ କରି ଛାତ୍ରଛାତ୍ରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପେନସିଲ୍, ଇରେଜର ଏବଂ କଟର ଭଳି ଅନେକ ସାମଗ୍ରୀ ଉପରେ କର ଲାଗୁଥିଲା, କିନ୍ତୁ ଏବେ ସେଗୁଡ଼ିକ GST ପରିସର ବାହାରେ।
ଅନ୍ୟପଟେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସରକାର ଅନେକ ଔଷଧକୁ ଜିଏସଟି ମୁକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ-ଜୀବନ ନୀତିଗୁଡ଼ିକୁ ମଧ୍ୟ GST ପରିସର ବାହାରେ ରଖାଯାଇଛି। ପରିଷଦ ବୈଠକରେ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରୁ ଜିଏସଟି ଉଠାଯାଇଛି। ପୂର୍ବରୁ ଏହା ଉପରେ ୧୨ ପ୍ରତିଶତ ଟିକସ ଲାଗୁ କରାଯାଇଥିଲା। ପ୍ରକାଶ ଥାଉକି, ଟୁଥ ପାଉଡର, କ୍ଷୀର ବୋତଲ, ରୋଷେଇ ପାତ୍ର, ଛତା, ସାଇକେଲ, ବାଉଁଶ ଫର୍ଣ୍ଣିଚର ଭଳି ସାମଗ୍ରୀ ଉପରେ ଟିକସ ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ସାମ୍ପୁ, ଟାଲକମ୍ ପାଉଡର, ଟୁଥପେଷ୍ଟ, ଟୁଥବ୍ରଶ୍, ଫେସ୍ ପାଉଡର, ସାବୁନ ଏବଂ କେଶ ତେଲ ଉପରେ ଟିକସ ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।
