Before Header

କର୍ମୀଙ୍କୁ ମୋହୋରା କରି ଖସିଗଲେ କି ସମୀର ଓ ଅରୁନ୍ଧତୀ ?

0 794

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିରେ ଏବେ ବି ଲାଗି ରହିଛି ଦଳ ଅଦଳବଦଳ ପର୍ବ । ମୁଣ୍ଡ ଉପରେ ଭୋଟ । ହାତରେ ନାହିଁ ଆଉ ସମୟ । କେତେ ଟା ଦିନରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଜନତା ବାଛିବେ ଜନ ପ୍ରତିନିଧି । କିନ୍ତୁ ଏବେ ବି ଲାଗି ରହିଛି ଦଳୀୟ କନ୍ଦଳ । ଅସନ୍ତୋଷଙ୍କ ଭିତରେ ଭରି ରହିଛି କ୍ରୋଧ । କୁହୁଳୁଛି ବିଦ୍ରୋହର ନିଆଁ । ହୋଇପାରେ ବିସ୍ପୋରଣ । ତା ପୂର୍ବରୁ ନିଆଁକୁ ଆୟତ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ବିଦ୍ରୋହିଙ୍କୁ ମ୍ୟାନେଜ କରିବା ପାଇଁ ଚାଲିଛି ଗୋଟି ଚାଳନା । ଅନେକ ନେତାଙ୍କୁ ବିଝାଇବା ପାଇଁ ଥୋପ ପକାଉଥିବା ବେଳେ ଏବେ ଶାସକ ଦଳ ବିଜେଡି ତଣ୍ଟିରେ ସମୀର ଏବଂ ଅରୁନ୍ଧତୀ କଣ୍ଟା ।

କାଢିବା ପାଇଁ ଚାଲିଛି ମଲମ ଖୋଜା । ଦୁଇ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାର ପ୍ରୟାସ । ଟିକେଟ ସ୍ଥାନରେ ବିଜେଡି ଦେଲା ପଦର ଲାଳସା । ଜଣଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟାବେକ୍ଷକ ତ ଆଉ ଜଣଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପଦବୀରେ ସୁପ୍ରିମୋ କଲେ ଥଇଥାନ । ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ଦାଶଙ୍କୁ ବିଜେଡି ୨୪ ନିର୍ବାଚନରୁ ରଖିଲା ଦୂରେଇ । ଦଳ ଦେଲାନି ଟିକେଟ । ତାଙ୍କ ସ୍ଥାନରେ ଆମଦାନୀ ନେତା ଦିଲୀପ ନାୟକଙ୍କ ଉପରେ କଲା ଭରଷା । ସେବେଠୁ ସମୀର ଦେଲେ ବିଦୋ୍ରହର ଡାକରା । ନିଜ ସର୍ମଥକଙ୍କୁ ଧରି ଦେଖାଇଲେ ଶକ୍ତି । ତା ପରେ ଶଙ୍ଖ ଭବନରୁ ନେଇ ନବୀନ ନିବାସରେ ଚାଲିଲା ମାନସମନ୍ଥନ । କିନ୍ତୁ ପଡିଲାନି ପ୍ରଭାବ ।

ସମୀରଙ୍କର ଆଶା ଗଲା ମଉଳି । ହେଲେ ନିରାଶା । ଛାଡିଲେ ନି ଟିକେଟ ପାଇବା ପାଇଁ ପ୍ରୟାସ । ଢାଲ ଭାବରେ ଆଗକୁ କର୍ମୀଙ୍କୁ ଦେଲେ ଠେଲି । ସମୂହ ମିଟିଂ କରି ଦେଲେ ଇସ୍ତାଫା । କିନ୍ତୁ ଭାଇନା ବୋଲାଉଥିବା ସମୀର ଦେଲେ ନି ଇସ୍ତାଫା । କାହିଁକି ସମୀର ଦଳ ଛାଡିଲେ ନି କର୍ମୀଙ୍କୁ ଆଗକୁ ଠେଲି ତାହା ଆଲୋଚନା ଚାଲିଥିବା ବେଳେ ପାର୍ଟି ତାଙ୍କୁ ଧରାଇ ଦେଲା ପଦ । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ପର୍ଯ୍ୟାବେକ୍ଷକ ଭାବେ ମିଳିଗଲା ଦାୟିତ୍ୱ । କ’ଣ ସମୀର ଦଳକୁ ବଳ ଦେଖାଇ ପଦ ପାଇଁ କରୁଥିଲେ କି ବ୍ଲାକ ମେଲିଂ ନା ତାଙ୍କୁ କରାଯାଇଛି ଭୟଭୀତ ଏହା ଏବେ ଚାରିଆଡେ ଚର୍ଚ୍ଚା । କିନ୍ତୁ ଦାୟିତ୍ୱ ମିଳିବା ପରେ ବି ଏଯାଁଏ ସାମ୍ନାକୁ ଆସି କିଛି କହିନାହାନ୍ତି ସମୀର କୁହାଯାଉଛି କି ଭାଇନା ପଦ ନେଇ ଚୁପ ବସିଛନ୍ତି ନା ଆଗାମୀ ପପେକ୍ଷପ କ’ଣ ନେବେ ତା ଭାବୁଛନ୍ତି ।

ଭାଇନାଙ୍କ ପରି ଅନ୍ୟତମ ନେତ୍ରୀ ହେଉଛନ୍ତି ଅରୁନ୍ଧତୀ ଦେବୀ । ସ୍ୱାମୀ ନୀତେଶ ଗଙ୍ଗଦେବ ବିଜେପିର ସାଂସଦ ଥିବା ଜାଣି ସତ୍ତେବ ସେ ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ବି ତାଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ହାତାଇବା ପାଇଁ ଅସ୍ତ୍ର ବନାଇଥିଲା । ଦେବଗଡ ଆସନରୁ ବିଧାନସଭା ପ୍ରାର୍ଥୀ ଭାବେ ମଇଦାନକୁ ପଠାଇଥିଲା କିନ୍ତୁ ପର ମୁହୁର୍ତ୍ତରେ ଟିକେଟ ଛଡାଇନେଲା ଶଙ୍ଖ ଦଳ । ଆଲୋଚନା ହେଲା କି ସ୍ୱାମୀଙ୍କ ପାଇଁ ତାଙ୍କ ଟିକେଟ କଟିଲା ବିଜେଡି । ନିତେଶ ଯଦି ବିଜେପି ଛାଡି ବିଜେଡିରେ ଯୋଗଦେଇଥାନ୍ତେ ତେବେ ତାଙ୍କ ଟିକେଟ ସୁରକ୍ଷିତ ରହିଥାନ୍ତା । କିନ୍ତୁ ବିଜେଡିର ଆଶା ମଉଳି ଗଲା ଆଉ ପରେ ଅରୁନ୍ଧତୀଙ୍କ ଠାରୁ ଟିକେଟ ଛଡାଉ ନେଲା । ଆଉ ଏବେ ସିଏ କୁଆଡେ ନିରାଶ ଅଛନ୍ତି ବିଜେଡି ଉପରେ । କରିଛନ୍ତି ରୋଷ ।

ଯାହା ପାଇଁ ଦଳକୁ ଚିନ୍ତାରେ ପକାଇଦେଇଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ର ସଜାଡୁ ସଜାଡୁ ପଡିଛି ଏବେ ମହଙ୍ଗା । ଅରୁନ୍ଧତୀଙ୍କୁ ଖୁସ୍ କରିବା ପାଇଁ ଦଳ ଏବେ ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପଦରେ କରିଛି ଥଇଥାନ । ଆଉ ଏତିକିରେ ଯଦି ଏମାନେ ହୋଇଯାଉଛନ୍ତି ଖୁସି, ତେବେ କର୍ମୀ କରିବେ କଣ ? କାହିଁକି ନିଜେ ସେଭ ଜୋନକୁ ଯାଇ ଡେଞ୍ଜର ଜୋନକୁ କର୍ମୀକୁ ଦେଲେ ଠେଲି ? ନିଜ ସ୍ୱାର୍ଥ ପାଇଁ ଭରଷା କରିଥିବା ଲୋକଙ୍କ ଭରଷା ଭାଙ୍ଗିବା ଟା କେତେ ଦୂର ଠିକ ?

ଅନ୍ୟପଟେ ପ୍ରଶ୍ନ ଉଠିବା ସ୍ୱଭାବିକ କି କଣ ବିଜେଡିର ପଦବୀ ଥୋପ ଏମାନଙ୍କୁ କରିପାରିବ ସନ୍ତୁଷ୍ଟ ? ନା ଏମାନେ ନେବେ ସାଇଲେଣ୍ଟ କିଲରର ରୂପ । କିଛି ନ କହି ଭୋଟରେ ଦେଖାଇଦେବେ ଦମ । ଯାହାକୁ ନେଇ ଏବେ ରାଜଧାନୀରୁ ନିମାପଡା ଓ ଦେବଗଡରେ ହେଉଛି ଆଲୋଚନା ।୨୦୨୪ ଫଳାଫଳରେ ଏହି ଦୁଇ ଚେହେରା କି ଭୂମିକା ନେବେ ତାହାକୁ ଅପେକ୍ଷା ।

Leave A Reply

Your email address will not be published.