ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଠାକୁର ପୂଜା ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ଫ୍ୟାସନ ପାଲଟି ଗଲାଣି। ଠାକୁର ଭସାଣି ପାଇଁ ଡିଜେ ସହିତ ନାଚ ଏବଂ ବାଣ ରୋଷଣୀ ସହ ଶୋଭାଯାତ୍ରା ହେଲା । ଗାଁ ପରିକ୍ରମା ବି କରାଗଲା । ନାଚରେ ମସଗୁଲ ହୋଇଗଲେ ସାରା ଗାଁର ଯୁବକ । ଶେଷରେ ଆସି ଭୋଜି ଭାତର ଆସର ଜମିଲା । ହେଲେ ଯାହାଙ୍କ ପାଇଁ ଏତେ କଥା ତାଙ୍କୁ ନଦୀ କିମ୍ବା ପୁଷ୍କରଣୀରେ ବିସର୍ଜନ କରିବାକୁ ଭୁଲିଗଲେ ।
୪ରୁ ଅଧିକ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ପୁରୁଣା ଲକ୍ଷ୍ମୀ ମନ୍ଦିର ପାଖରେ । ସୂଚନା ମୁତାବକ ଆଜକୁ କିଛି ଦିନହେବ ଲକ୍ଷ୍ମୀ ନାରାୟଣ ମନ୍ଦିରରେ କୁମାର ଉତ୍ସବ ପାଳନ ହୋଇଥିଲା । ଏଥିରେ ମାଟିରେ ତିଆରି ଭଗବାନଙ୍କ ମୂର୍ତ୍ତି କରାଯାଇଥିଲା । ହେଲେ ପୂଜା ସରିବାର ପରେ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ନଦୀ ଏବଂ ପୋଖରୀରେ ବିସର୍ଜନ କରିବା ପରିବର୍ତ୍ତେ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ମନ୍ଦିର କମିଟି କେମିତି ଜାଣି ପାରିଲା ନାହିଁ ସାଧାରଣ ଚର୍ଚ୍ଚା ଜୋର ଧରିଛି।