ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟାଇ, ନାସାର ‘ଆର୍ଟେମିସ୍-୨’ ମିଶନର ଚାରିଜଣ ସାହସୀ ମହାକାଶଚାରୀ ଚନ୍ଦ୍ର ପରିକ୍ରମା କରି ସଫଳତାର ସହ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ସକାଳ ପ୍ରାୟ ୫ଟା ୩୭ ମିନିଟରେ ମହାକାଶଚାରୀଙ୍କୁ ନେଇ ଆସିଥିବା କ୍ୟାପସୁଲ୍ ସମୁଦ୍ର ମଧ୍ୟରେ ସୁରକ୍ଷିତ ଭାବେ ଅବତରଣ କରିଛି । ଏହି ସ୍ପ୍ଲାସଡାଉନ୍ ପରେ ସାରା ବିଶ୍ୱର ବୈଜ୍ଞାନିକ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ଏହି ମିଶନ କେବଳ ଏକ ସାଧାରଣ ଯାତ୍ରା ନଥିଲା । ଏହି ୪ ଜଣିଆ ଟିମ୍ ମହାକାଶରେ ପ୍ରାୟ ୧୧.୧୭ ଲକ୍ଷ କିଲୋମିଟରର ଏକ ଦୀର୍ଘ ପଥ ଅତିକ୍ରମ କରିଛନ୍ତି। ଚନ୍ଦ୍ରର ନିକଟତର ହୋଇ ସେମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି । ଆର୍ଟେମିସ୍-୨, ୫୦ ବର୍ଷ ପରେ ପୁଣିଥରେ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ପଠାଇବା ପାଇଁ ଏହା ନାସାର ଏକ ପ୍ରସ୍ତୁତି ପର୍ଯ୍ୟାୟ ଥିଲା । ଏହି ସଫଳତା ପରେ ଆଗାମୀ ଦିନରେ ଚନ୍ଦ୍ରରେ ମଣିଷ ପହଞ୍ଚିବା ପଥ ଅଧିକ ପ୍ରଶସ୍ତ ହୋଇଛି । ଏପ୍ରିଲ ପହିଲାରେ ଲଞ୍ଚ ହୋଇଥିବା ଏହି ମିଶନ୍ ୧୦ ଦିନରେ ଥିଲା । ଅବତରଣ ସମୟରେ, ୬ ମିନିଟ୍ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅର୍ଥାତ୍ ମହାକାଶଚାରୀମାନେ ମିଶନ୍ ନିୟନ୍ତ୍ରଣ ସହିତ ଯୋଗାଯୋଗ କରିପାରି ନଥିଲେ ।
ସକାଳ ୫ଟା ୩୭ ମିନିଟରେ ଆମେରିକାର କାଲିଫର୍ନିଆର ସାନ ଡିଏଗୋ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଓରିଅନ୍ କ୍ୟାପସୁଲ୍ ପାରାଚୁଟ୍ ସାହାଯ୍ୟରେ ଧିରେ ଧିରେ ଅବତରଣ କରିଥିଲା । ପୁନରୁଦ୍ଧାର ଦଳ ମହାକାଶଚାରୀମାନଙ୍କୁ ଉଦ୍ଧାର କରି ଜାହାଜକୁ ଫେରାଇ ଆଣିଥିଲେ । କମାଣ୍ଡର ରିଡ୍ ୱାଇଜମ୍ୟାନ୍, କାନାଡାର ପାଇଲଟ୍ ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କଚ୍ ଏବଂ ଜେରେମି ହାନସେନ୍ ମାକ୍ ୩୩ ବେଗରେ ବାୟୁମଣ୍ଡଳରେ ପ୍ରବେଶ କରିଥିଲେ। ଏହା ୧୯୬୦ ଏବଂ ୧୯୭୦ ଦଶକରେ ନାସାର ଆପୋଲୋ ଚନ୍ଦ୍ର ମିଶନ ପରେ ଦେଖାଯାଇ ନଥିବା ଏକ ସଫଳତା ଥିଲା । ଇଣ୍ଟିଗ୍ରିଟି ନାମକ ସେମାନଙ୍କର ଓରିଅନ୍ କ୍ୟାପସୁଲ୍ ସ୍ୱୟଂଚାଳିତ ପାଇଲଟ୍ରେ କାର୍ଯ୍ୟ କରିଥିଲା ।
