Before Header

କାହିଁକି ଜାତୀୟ ଦଳଙ୍କୁ ଟାର୍ଗେଟ କଲେ ନବୀନ?

ଓଡ଼ିଶାରେ ନୂଆ ପ୍ରସଙ୍ଗ 'ହିନ୍ଦୀ'

0 314

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଯୁବ ବିଜୁ ଜନତା ଦଳ ବୈଠକରେ ନବୀନଙ୍କ ସମ୍ବୋଧନ ୟୁନିକ୍ ଥିଲା । ସ୍କ୍ରିପ୍ଟିଂ ଭଲ ଥିଲା । ସବୁ ଦୃଷ୍ଟିରୁ ବହୁତ ଭଲ ଥିଲା ବୋଲି ଆମେ କହିପାରିବା । ଏହି ଅଭିଭାଷଣରେ ବିଭିନ୍ନ ଦିଗକୁ ଛୁଇଁବାକୁ ଚେଷ୍ଟା କରାଯାଇଛି । ଓଡ଼ିଶାର ମାଟି, ପାଣି, ପବନର କଥା ଅଛି । କଳା, ସଂସ୍କୃତି,ଐତିହ୍ୟର କଥା ଅଛି । ଜଗନ୍ନାଥଙ୍କ କଥା ଅଛି । ଓଡ଼ିଶାର ପରିଚୟ, ଅସ୍ମିତାର କଥା ଅଛି । ଆଉ ଏହି ସ୍କ୍ରିପ୍ଟରେ ଭୋଟ୍ର କଥା ବି ଅଛି । ଯେମିତି ନବୀନ କହିଛନ୍ତି, ଜାତୀୟ ଦଳର ମୂଳ ଲକ୍ଷ୍ୟ ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା । କେନ୍ଦ୍ରରେ ସରକାର ଗଢିବା । ଜାତୀୟ ଦଳର ରାଜ୍ୟ ନେତୃତ୍ୱଙ୍କ କାମ୍ ହେଲା ଦିଲ୍ଲୀ ବସକୁ ଖୁସି କରିବା । ହେଲେ ବିଜେଡିର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଓଡ଼ିଶାବାସୀ ବିଜେଡିର ବସ୍ । ଏସବୁ କଥାକୁ ଆମେ ଭୋଟ୍ର କଥା ହିଁ କହିପାରିବା । ଆଉ ଏହି ଭୋଟ୍ ପ୍ରସଙ୍ଗରେ ଆଉ ଏକ ନୂଆ ପ୍ରସଙ୍ଗକୁ ବି ସେ ଯୋଡିଛନ୍ତି । ତାହା ହେଉଛି ହିନ୍ଦୀ । ଓଡ଼ିଶାର ଭୋଟ୍ ରାଜନୀତିରେ ହିନ୍ଦୀକୁ ନେଇ ସାଧାରଣତଃ ବେଶୀ ଇସ୍ୟୁ ହୁଏ ନାହିଁ । କାହିଁକି ନା ହିନ୍ଦୀ ଓଡିଶାରେ, ଓଡ଼ିଆଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିନି । ହିନ୍ଦୀକୁ ନେଇ ଓଡ଼ିଶାର ଲୋକେ ବି ବଡ଼ ଧରଣର ଅସୁବିଧା ଭୋଗି ନାହାନ୍ତି । ଅବଶ୍ୟ ହିନ୍ଦୀକୁ ନେଇ ଦକ୍ଷିଣ ଭାରତରେ ରାଜନୀତି ଜୋର୍ ହୁଏ । ଅବଜେକସନ ହୁଏ । ଦକ୍ଷିଣ ଭାରତର ଭୋଟ୍ ରାଜନୀତିରେ ହିନ୍ଦୀକୁ ନେଇ ପ୍ରସଙ୍ଗ କରାଯାଏ ।

ଏବେ ନବୀନ ଓଡିଶାରେ ହିନ୍ଦୀକୁ ପ୍ରସଙ୍ଗ କରିବାକୁ ପ୍ରୟାସ କରିଛନ୍ତି । ସେଥିପାଇଁ ଆମେ ଆରମ୍ଭରୁ ନବୀନଙ୍କ ଆଜିର ଅଭିଭାଷଣକୁ ୟୁନିକ କହିଲୁ । ଆଉ ଏହା ବି ସଂଯୋଗ କି ସେ ନିଜ ଅଭିଭାଷଣରେ ୟୁନିକ ଶବ୍ଦର ବ୍ୟବହାର ବାର୍ ବାର୍ କରିଛନ୍ତି । ଏହି ଅଭିଭାଷଣରେ ସାରାଂଶ ଏହା ହିଁ ଥିଲା କି କୌଣସି ଜାତୀୟ ଦଳ ନୁହେଁ କେବଳ ବିଜେଡି ହିଁ ଓଡିଶାର ବିକାଶ କରିପାରିବ । ଓଡିଶା ପାଇଁ ସ୍ୱର ଉଠାଇପାରିବ । ଜାତୀୟ ଦଳ ଗୁଡିକ ବିରୋଧରେ ନବୀନ ବେଶ୍ ଆଗ୍ରେସିଭ ଜଣାପଡୁଥିଲେ । ଏହି ଅଭିଭାଷଣ ଶୁଣିବା ପରେ, ଅଭିିଭାଷଣର ଟାଇମିଂକୁ ଦେଖିବା ପରେ, ଏହି କଥା ମନକୁ ଆସିବା ସ୍ୱାଭାବିକ କି ନବୀନ ହଠାତ୍ ଏତେ ଆଗ୍ରେସିଭ କାହିଁକି ହେଲେ । ଗଲା କିଛି ଦିନ ହେଲା କେନ୍ଦ୍ରୀୟ ଅବହେଳାର ଯେଉଁ କଥା ବନ୍ଦ ଥିଲା, ଆଜି ତାହା ରିଟର୍ଣ୍ଣ କାହିଁକି କଲା ? ଏହାର କାରଣ ବୋଧହୁଏ ଏହା ହୋଇପାରେ, ନବୀନ ବିଶ୍ୱାସ ଦେବାକୁ ଚାହିଁଛନ୍ତି କି, ସେ ଏବେ ବି କଂଗ୍ରେସ ଓ ବିଜେପିଠାରୁ ସମଦୂରତାରେ ଅଛନ୍ତି । ଏହି ଦଳମାନଙ୍କ ସହ ବିଜେଡିର ଭିତିରି ବୁଝାମଣାକୁ ନେଇ ଯେଉଁ ଆରୋପ ଲାଗୁଛି, ତାହାକୁ ସେ ଖଣ୍ଡନ କରିବାକୁ ଚାହିଁଛନ୍ତି । ଗତ କିଛି ବର୍ଷ ହେବ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିକୁ କାଉଂଟର କରିବାକୁ ସେ ଏହା ବୁଝାଇବାକୁ ଚାହିଁଛନ୍ତି, ବିଜେପିର ରାଜ୍ୟ ନେତୃତ୍ୱ ଓଡ଼ିଶା ପାଇଁ ଦିଲ୍ଲୀରେ ସ୍ୱର ଉଠାଇପାରିବେ ନାହିଁ । ନବୀନଙ୍କ ଅଭିଭାଷଣ ପରେ ୨ଟି ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି କି, ସତରେ ଓଡ଼ିଶା ପାଇଁ ବିଜେପି ନେତାଙ୍କ କଂଟ୍ରିବ୍ୟୁସନ ନାହିଁ କି ? ଏଠି କଂଗ୍ରେସ ଦଳ କଣ ସତରେ ରିମୋର୍ଟ କଂଟ୍ରୋଲରେ ଚାଲିଛି ? ତେବେ ଏ କଥା ସତ, ନିର୍ବାଚନ ପରିଚାଳନାରେ ନବୀନ ଓ ତାଙ୍କ ଦଳ ଅନ୍ୟ ସମସ୍ତଙ୍କଠାରୁ ବେଶ୍ ଆଗରେ । କଂଗ୍ରେସ ଓ ବିଜେପି ନେତାଙ୍କଠାରୁ ନବୀନ ଆଗୁଆ ନିର୍ବାଚନ ମୋଡକୁ ଆସିଯାନ୍ତି । ଆଉ ସେଇଥିପାଇଁ ଏକଥା ବି ହୋଇପାରେ, ଆଗକୁ ଯେତେବେଳେ ପୌର ନିର୍ବାଚନ ଆସୁଛି, ପରେ ପରେ ପଂଚାୟତ ଭୋଟ୍ ଅଛି, ତେଣୁ ପୂର୍ବ ନିର୍ବାଚନ ଗୁଡିକ ଭଳି ପୁଣି ଥରେ କେନ୍ଦ୍ରର ବୈମାତୃକ ମନୋଭାବର କଥା ଉଠାଇ, ଦୁଇ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସକୁ ଭୋଟରଙ୍କଠାରୁ ଦୂରେଇ ରଖିବାକୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି ନବୀନ । ସେଥିପାଇଁ ପ୍ରତି ଇଲେକ୍ସନ ଭଳି ପୌର ଇଲେକ୍ସନ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟପାହ୍ୟାର ପ୍ରସଙ୍ଗ ଫେରିଥାଇପାରେ । କାରଣ ଏହି ପ୍ରସଙ୍ଗ ଆଗରୁ ତାଙ୍କ ଦଳକୁ ଭଲ ସଫଳତା ଦେଇଛି ।

ତେବେ ଏହି ଭାଷଣରେ ମହାନଦୀ ଓ ଓଡିଆ ଭାଷା ପ୍ରସଙ୍ଗରେ ସେ ଜୋର୍ ଦେଇଛନ୍ତି । ଯାହା ୧୯ ସାଧାରଣ ନିର୍ବାଚନ ପୂର୍ବରୁ ବି ହୋଇଥିଲା । ହେଲେ ଏହା ଭିନ୍ନ କଥା କି, ଏ ଯାଏଁ ମହାନଦୀ ଛତିଶଗଡ କବଳରୁ ମୁକ୍ତି ପାଇ ନାହିଁ । ସେପଟେ ଓଡିଆ ଭାଷା ଆଇନ ତ ହୋଇଛି, କିନ୍ତୁ ଖିଲାପକାରୀଙ୍କୁ ଡର ନାହିଁ । ଯେମିତି ଓଡ଼ିଆ ବିଶ୍ୱବିଦ୍ୟାଳୟ ଘୋଷଣା ହୋଇଛି, ଶିଳାନ୍ୟାସ ହୋଇଛି, କିନ୍ତୁ ଏ ଯାଏଁ ଇଟାଟେ ବି ପଡିନି । ଅବଶ୍ୟ ଏ ସବୁ ରାଜ୍ୟ ବିଷୟ, ଏଥିରେ ଜାତୀୟ ଦଳଙ୍କ ବିଶେଷ କିଛି କରିବାର ନାହିଁ ।

Leave A Reply

Your email address will not be published.