ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଝାରସୁଗୁଡ଼ା ଓ ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଓଡ଼ିଶା ପୁଲିସର ପ୍ରସ୍ତାବିତ ରାଇରଙ୍ଗପୁର ପୁଲିସ ଜିଲ୍ଲାକୁ ରାଷ୍ଟ୍ରପତି ଶୁଭାରମ୍ଭ କରିବା ସହିତ ଏସ୍ପିଙ୍କ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ । ସେହିପରି ଓଡ଼ିଶା ପୁଲିସକୁ ନୂତନ ଭାବେ ମିଳିଥିବା ‘ରାଷ୍ଟ୍ରପତି ପୁଲିସ କଲର ସମ୍ମାନ’କୁ ମହାମହିମ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗସ୍ତକୁ ନେଇ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଥିଲା। ଏହି ବୈଠକରେ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଯେଉଁ ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର,ଏଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଏଡିଜି ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି କମିଶନର ଦୟାଲ ଗ୍ୟାଙ୍ଗୱାର, ଏଡିଜି ପୋଲିସ ହାଉସିଂ କର୍ପୋରେସନ ଅଧ୍ୟକ୍ଷ, ଆଣ୍ଟି-ନକ୍ସଲ ଅପରେସନର ଏଡିଜି ସଂଜୀବ ପଣ୍ଡା, ଏଡିଜି ଏସ୍ଏପି ରାଜେଶ କୁମାର, ଏଡିଜି ICAW ଏସ୍ ସାଇନି, ଏଚ୍ଆର୍ପିସି ଯତୀନ୍ଦ୍ର କୋଏଲ, ପୁଲିସ କମିଶନର ଦେବ ଦତ୍ତ ସିଂ , ଏଡିଜି ମୁଖ୍ୟାଳୟ ପ୍ରତୀକ ମହାନ୍ତି, ଆଇଜି ପ୍ରବୀଣ କୁମାର, ଆଇଜି କ୍ରାଇମ୍ବ୍ରାଞ୍ଚ ସାର୍ଥକ ଷଡଙ୍ଗୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗତ ୧ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପୁଲିସର ‘ରାଷ୍ଟ୍ରପତି ପୁଲିସ କଲର ସମ୍ମାନ’ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।
