ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ଦୁଇ ଦିନରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୩ ଡିଗ୍ରୀ ଛୁଇଁପାରେ । ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ନିଆଁ ବର୍ଷିବ । ଆସନ୍ତା ୨୦ ତାରିଖ ଯାଏ ଏଭଳି ତାତି ନାକେଦମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ ୩ରୁ ୪ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପୂର୍ବାନୁମାନ ରହିଛି । କେବଳ ପଶ୍ଚିମ ବା ଆଭ୍ୟନ୍ତରୀଣ ନୁହେଁ, ଉପକୂଳ ଓଡ଼ିଶାରେ ବି ୪୦ ଡିଗ୍ରୀ ଟପିବ । ଓଡ଼ିଶା ପାଇଁ ହିଟ୍ ୱେଭ ସତର୍କତା ନ ଥିଲେ ମଧ୍ୟ ପ୍ରଚଣ୍ଡ ତାତି ଅନୁଭୂତ ହେବ ।
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ସୋମବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ । ମଙ୍ଗଳବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୨୦ ତାରିଖରେ ଉତ୍ତର ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ୫୦ରୁ ୬୦କିମି ବେଗରେ ପବନ ବି ବହିବ ବୋଲି ପୂର୍ବାନୁମାନ ଦିଆଯାଇଛି।
ରବିବାର ଅନୁଗୁଳ ଓ ସୋନପୁରରେ ଦିନ ତାପମାତ୍ରା ସର୍ବାଧିକ ୪୨.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୪୧.୪, ସମ୍ବଲପୁର ଓ ତାଳଚେରରେ ୪୧, ହୀରାକୁଦରେ ୪୦.୫, ନୟାଗଡ଼ରେ ୪୦.୪, ବଲାଙ୍ଗୀରରେ ୪୦.୨, ଟିଟିଲାଗଡ଼ରେ ୪୦, ଭଦ୍ରକ ଓ ଯାଜପୁରରେ ୩୯ ଡିଗ୍ରୀ ରେକର୍ଡ ହୋଇଥିଲା । ମୌସୁମୀ ଧୀରେ ଧୀରେ ଅଗ୍ରସର ହେଉଛି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହା କେରଳ ଛୁଇଁପାରେ । ଆସନ୍ତା ୨ରୁ ୩ ଦିନରେ ମୌସୁମୀ ଦକ୍ଷିଣ ପୂର୍ବ ଆରବସାଗର, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଦୀପର ବାକି ଅଞ୍ଚଳ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଛୁଇଁପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
