କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ । ଟ୍ରାକ୍ଟରରେ ବୁହା ହେଲେ ଗର୍ଭବତୀ । ଚଳନ୍ତା ଟ୍ରାକ୍ଟରରେ ଜନ୍ମ ନେଲା ଶିଶୁ କନ୍ୟା । ବର୍ଷା ଋତୁ ଆସିବା ମାତ୍ରେ ଉପାନ୍ତ ଅଂଚଳରେ ରହୁଥିବା ଜନନୀଙ୍କ ଦୁର୍ଦ୍ଦଶା ବଢିଯାଏ । ଗାଁରେ ରାସ୍ତା ନଥିବା ଯୋଗୁଁ ଅଧିକାଂଶ ସମୟରେ ମେଡିକାଲ ପହଂଚିବା କଷ୍ଟକର ହୁଏ । ଆଉ ବାଟରେ ଶିଶୁ ଜନ୍ମ ହୋଇଯାଏ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଦାବିରିଘାଟି ଗାଁରେ । ଗାଁର ଡୋମୁ ମାଝୀଙ୍କ ସ୍ତ୍ରୀ ଉର୍ମିଳା ମାଝୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ରାତିରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନ ଥିଲା ।
ଆମ୍ବୁଲାନ୍ସଟି ଚଚରାଗୁଡା ଗାଁରେ ଅଟକି ଯାଇଥିଲା । ଯାହାଫଳରେ ପରିବାର ଲୋକେ ଏବଂ ଗ୍ରାମବାସୀ ଟ୍ରାକ୍ଟର ଯୋଗେ ଚଚରାଗୁଡା ଗାଁରୁ ଆଣିଥିଲେ । ପରେ ଚଚରାଗୁଡା ଗାଁରୁ ଆମ୍ବୁଲାନ୍ସ ସାହାଯ୍ୟରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ମେଡିକାଲକୁ ଭର୍ତ୍ତି କରାଯାଇଥିଲା । ଆଣିବା ବାଟରେ ଉର୍ମିଳା କନ୍ୟା ସନ୍ତାନ ଜନ୍ମ କରିଥିବା ପରିବାର ଲୋକ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଦୁର୍ଗମ ଅଂଚଳରେ ଆଜି ମଧ୍ୟ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ । ସରକାର ଏବଂ ପ୍ରଶାସନ ଦୃଷ୍ଟି ଦେଇ ଏହି ଦୁର୍ଗମ ଗାଁ ପାଇଁ ଭଲ ରାସ୍ତା ଟିଏ ନିର୍ମାଣ କରିବା ସହ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
