ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ସୀମା ନିକଟରେ ଅଭ୍ୟାସ କରିବେ ଆମେରିକୀୟ F35 ଯୁଦ୍ଧ ବିମାନ! ଭାରତୀୟ ବାୟୁସେନାର ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସ ‘ତରଙ୍ଗ ଶକ୍ତି ୨୦୨୬’ ଏଥର ବେଶ୍ ଚର୍ଚ୍ଚାରେ। ଏହି ଅଭ୍ୟାସରେ ଆମେରିକା ନିଜର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲ୍ଥ୍ ଫାଇଟର F35 କୁ ସାମିଲ କରିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଭାରତରେ କୌଣସି ସାମରିକ ଅଭ୍ୟାସରେ F35ର ଏହା ପ୍ରଥମ ଅଂଶଗ୍ରହଣ ହେବ।
ରାଜସ୍ଥାନର ଯୋଧପୁର ଏୟାରବେସ୍ରେ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ପର୍ୟ୍ୟନ୍ତ ଏହି ଅଭ୍ୟାସ ଆୟୋଜିତ ହେବାର କାର୍ୟ୍ୟକ୍ରମ ରହିଛି। ପାକିସ୍ତାନ ସୀମା ନିକଟରେ ଏହି ଅଭ୍ୟାସ ହେଉଥିବାରୁ ଏହାର ରଣନୈତିକ ଗୁରୁତ୍ୱ ମଧ୍ୟ ବଢ଼ିଛି। ‘ତରଙ୍ଗ ଶକ୍ତି ୨୦୨୬’ରେ ଆମେରିକା ସହ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ୟୁଏଇ, ଶ୍ରୀଲଙ୍କା ଓ ବାଂଲାଦେଶର ଯୁଦ୍ଧ ବିମାନ ଅଂଶଗ୍ରହଣ କରିବାର ଆଶା ରହିଛି। ଏହାବ୍ୟତୀତ ୩୦ରୁ ଅଧିକ ଦେଶ ପର୍ୟ୍ୟବେକ୍ଷକ ଭାବେ ସାମିଲ ହୋଇପାରନ୍ତି। ତେବେ F35ର ଅଂଶଗ୍ରହଣ ଏପର୍ୟ୍ୟନ୍ତ ଚୂଡ଼ାନ୍ତ ନୁହେଁ। ଆମେରିକାର ନିୟୋଜନ ଓ କାର୍ୟ୍ୟକ୍ଷମତା ସମ୍ପର୍କିତ ଆବଶ୍ୟକତା ଅନୁସାରେ ଏହା ଉପରେ ଅନ୍ତିମ ନିଷ୍ପତ୍ତି ହେବ।
