ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା କମ୍ ରହିଛି । ଆସନ୍ତା ୧୭-୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ଅଳ୍ପ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାଗ ପ୍ରାୟତଃ ଶୁଖିଲା ରହିପାରେ । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ୫ଟି ସହରର ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଥିବାବେଳେ ଝାରସୁଗୁଡ଼ା ଓ ମାଲକାନଗିରିରେ ସର୍ବାଧିକ ୩୪.୪ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ପାରଳାଖେମୁଣ୍ଡିରେ ୩୪.୨, ତାଳଚେର ଓ ଛତ୍ରପୁରରେ ୩୪ ଡିଗ୍ରୀ ତାପମାତ୍ରା ରହିଥିଲା।