ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି., ମଚ୍ଛଲିପଟନମ୍ଠାରୁ ୫୬୦ କି.ମି. ଓ ବିଶାଖାପାଟଣାଠାରୁ ୬୧୦ କି.ମି. ଦୂରରେ ରହିଥିଲା। ବାତ୍ୟା ଧୀରେ ଧୀରେ ଘନୀଭୂତ ହେବା ସହ ସମୁଦ୍ରରୁ ବଳ ଗୋଟାଇ ଘଣ୍ଟାପ୍ରତି ୨୭ କି.ମି. ବେଗରେ ଆଗକୁ ବଢୁଛି। ବାତ୍ୟା ‘ମୁରାସୁ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି ।
ଆଗାମୀ ୪ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ପ୍ରବଳ ବର୍ଷା ସହ ପବନ ଓ ବଜ୍ରପାତର ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତାକାଲି ଓ ୪ ତାରିଖରେ ୬ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ କନ୍ଧମାଳ । ଏହାବ୍ୟତୀତ ଦୁଇ ଦିନ ପାଇଁ ଅନ୍ୟ ୧୪ଟି ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ ଅନୁଯାୟୀ, ଏହି ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ୨ ତାରିଖ ସୋମବାର ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ। ଏହାପରେ ସେହି ଦିଗରେ ଗତିକରି ରାତି ସାଢ଼େ ୧୧ଟାରୁ ୩ ତାରିଖ ମଙ୍ଗଳବାର ଭୋର୍ ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କି.ମି. ରହିବା ସହ ଝଟ୍କା ପବନର ବେଗ ସର୍ବାଧିକ ୧୨୦ କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।