ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାଇବାଲି ପଞ୍ଚାୟତ ଗିଡ଼ିପାବାଲି ଗାଁରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲାଗିରହିଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ପ୍ରାୟ ୩ କିଲୋମିଟର୍ ପାହାଡ଼ ଧସି ହଠାତ୍ ଗାଁ ମଧ୍ୟକୁ ବନ୍ୟାପାଣି ମାଡ଼ିଆସିଛି। ଭୟଙ୍କର ଜଳପ୍ରବାହରେ ୧୨ ଜଣରୁ ଅଧିକ ଲୋକ ଭାସିଯାଇ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ସମ୍ବାଦ ପାଇବା ପରେ କନ୍ଧମାଳ ଓ ଭଞ୍ଜନଗର ପ୍ରଶାସନ ତତକ୍ଷଣାତ୍ ତତ୍ପର ହୋଇଉଠିଛି। ଉଦ୍ଧାର କାର୍ଯ୍ୟ ପାଇଁ ୧୦୦ରୁ ଉର୍ଦ୍ଧ୍ୱ ODRAF, NDRF, SOG, FAIR ଏବଂ ପୋଲିସ ବାହିନୀ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କାହାରିକୁ ଉଦ୍ଧାର କରାଯାଇପାରି ନଥିଲେ ହେଁ, ନିଖୋଜମାନଙ୍କୁ ଖୋଜିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି। ସେପଟେ କିଛି ସୁରକ୍ଷିତ ଲୋକଙ୍କୁ ଖିଲାପଙ୍ଗାଠାରେ ଆଶ୍ରୟ ଦିଆଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।