ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଆସୁଛି ଲଘୁଚାପ । ଆଜି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାତ୍ୟା ‘ଅର୍ଣ୍ଣବ’ କ୍ରମଶଃ ଶକ୍ତି ହରାଇ ଦୁର୍ବଳ ହେଉଛି । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଏବେ ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଜାରି ରହିଛି । ଅତି ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୬୦ରୁ ୯୦ କିଲୋମିଟର ରହିବା ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ରୁ ଅଧିକ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କ୍ରମାଗତ ବର୍ଷା ଯୋଗୁଁ ତଳିଆ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଓ ବନ୍ୟା ପରିସ୍ଥିତି ଆଶଙ୍କା ରହିଥିବାରୁ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ ।