Before Header

କାହା ଶୋକରେ ବି ଆମେ କେମିତି କାଦୁଅଫିଙ୍ଗାକୁ ଓହ୍ଲାଇପାରୁଛେ?

0 85

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତ ସପ୍ତାହ ଅତ୍ୟନ୍ତ ଦୁଃଖଦାୟକ ଥିଲା । ସେ ଦୁଃଖ ଏବେ ବି ଅଛି । ସେ ଦୁଃଖ ସବୁଦିନ ରହିବ। ଖବର ସଂଗ୍ରହ ବେଳେ ଜୀବନ ହାରିଦେଇଛନ୍ତି ଯୁବ ସାଥୀ ସାମ୍ବାଦିକ ଅରିନ୍ଦମ ଦାସ । ଅରିନ୍ଦମଙ୍କ ଅକାଳ ବିୟୋଗରେ ଖାଲି ସାମ୍ବାଦିକ ଜଗତ କାହିଁକି, ସମସ୍ତେ ମର୍ମାହତ । ଜଣେ ଯୁବ ସାମ୍ବାଦିକଙ୍କ ବିୟୋଗରେ ଏତେ ଲୋକଙ୍କ ଶୋକ ହିଁ ପ୍ରମାଣିତ କରୁଛି ଯେ ଅରିନ୍ଦମ କେତେ ଲୋକପ୍ରିୟ ଥିଲେ । ସମସ୍ତେ ନିଜ ନିଜ ଶବ୍ଦରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଅନେକ ଶବ୍ଦହୀନ ହୋଇଯାଇଛନ୍ତି । ଏ ମୃତ୍ୟୁ ଏମିତି ଥିଲା ଯାହା ସମସ୍ତଙ୍କୁ ହତବାକ କରିଦେବ, ଏ ମୃତ୍ୟୁ ଏମିତି ଥିଲା ଯାହା ସମସ୍ତଙ୍କୁ ନିର୍ବାକ କରିଦେବ । ଶବ୍ଦ ଛଡାଇଦେବ । ଖାଲି ଲୁହ ଓ କୋହରେ ଭିଜୁଛି ଅରିନ୍ଦମଙ୍କ ସ୍ମୃତି । ସବୁଠି ଶୋକ, ସନ୍ତାପର ଚିହ୍ନ । ସାହସୀ ସାମ୍ବାଦିକ ଅରିନ୍ଦମଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । କବିବର ରାଧାନାଥ ରାୟଙ୍କ ଶବ୍ଦରେ- ବଡ଼ କ୍ରୁର କାଳ ବଡ଼ ଅବିଶ୍ୱାସୀ, ହାବୋଡ଼ି ଯିବ ସେ ଆଚମ୍ବିତେ ଆସି । ମୃତ୍ୟୁ ସବୁବେଳେ ବେଦନାଦାୟକ ହୋଇଥାଏ । ଯନ୍ତ୍ରଣା ଦେଇଥାଏ । ଯେତେବେଳେ ମୃତ୍ୟୁ ଅରିନ୍ଦମଙ୍କ ଭଳି ଦକ୍ଷ, ପ୍ରତିଭାବାନ ସାମ୍ବାଦିକଙ୍କୁ ଛୁଏଁ ତାହା ବି ଅକାଳରେ, ପୁଣି କର୍ମକ୍ଷେତ୍ରରେ, ଏଭଳି ପରିସ୍ଥିତିରରେ ତାହା କେଉଁ ସ୍ତରର କଷ୍ଟ ଦିଏ ଆମେ ସମସ୍ତ ଅନୁଭବ କରୁଛେ ।

ଅରିନ୍ଦମଙ୍କ ଯେଉଁଭଳି ମୃତ୍ୟୁ ହେଲା, ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା । ବାତ୍ୟା, ବନ୍ୟା ରିର୍ପୋଟିଂ ପାଇଁ ଘରେ ଘରେ ଡେୟାରଡେଭିଲ୍ ରିପୋର୍ଟର ଭାବେ ସେ ପରିଚିତ ଥିଲେ । ସବୁବେଳେ ରିସ୍କ ନେଇ କାମ କରିବାକୁ ଭଲ ପାଉଥିଲେ । କିଛି ଏକ୍ସଟ୍ରା କରିଦେଖାଇବାରେ ବିଶ୍ୱାସ ରଖୁଥିଲେ । ତାଙ୍କର ସେହି ଦୁଃସାହସ ତାଙ୍କର ପରିଚୟ ଥିଲେ । ସେହି ଦୁଃସାହସ ହି ତାଙ୍କର ମୃତ୍ୟୁର କାରଣ ହେଲା । ଅରିନ୍ଦମଙ୍କ ମୃତ୍ୟୁ ଯେଉଁଭଳି ଭାବରେ ହେଲା ତାହା ନିଶ୍ଚୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିବ । ଘଟଣା ଘଟିବା ପରେ, କଣ ନ ଘଟିଥିଲେ ହୋଇଥାନ୍ତା, କଣ କରାଯାଇପାରିଥାନ୍ତା, ମନରେ କିଛି ନା କିଛି କଥା ଆସୁଥିବ । ତେବେ ସେ କଥା ପରିପ୍ରକାଶ ବା ତର୍କ କରିବାର ଶୈଳୀ କଣ ହୋଇପାରେ? ସମୟ କଣ ହୋଇପାରେ? ଏହା କାହାକୁ ବୁଝାଇବା ଦରକାର ନାହିଁ । ସାମାନ୍ୟତମ ମାନବିକତା ଥିବା ମଣିଷଟି ବି ଏକଥା ଆପେ ଆପେ ବୁଝିଯିବ । କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର କଥା, ଯେତେବେଳେ ଅରିନ୍ଦମଙ୍କ ପାଇଁ ସାରା ଓଡ଼ିଶା କାନ୍ଦୁଛି, ଗଣମାଧ୍ୟମ ଜଗତର ବାହାର ଲୋକେ ବି ଅରିନ୍ଦମଙ୍କ ସମ୍ମାନରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି, ଠିକ୍ ସେତିକି ବେଳେ ଗଣମାଧ୍ୟମର କିଛି ଲୋକ ପରସ୍ପର ମଧ୍ୟରେ କାଦୁଆଫିଙ୍ଗାରେ ଲାଗିଛନ୍ତି ।

ଅରିନ୍ଦମଙ୍କୁ ନେଇ ଇଆଡୁସିଆଡୁ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି । ବଡ଼ ଦୁଃଖ ଲାଗୁଛି ଏସବୁ ଦେଖି । ଆମେ କେଉଁ ସ୍ତରକୁ ଖସୁଛୁ । କେତେ ଅସମ୍ବେଦନଶୀଳ ହୋଇଯାଉଛୁ ଆମେ । ଆମର କହିବାର ସବୁ ଅଧିକାର ଅଛି । କିନ୍ତୁ ତାହା କେତେବେଳେ କୁହାଯିବ, କେମିତି କୁହାଯିବ, ତାହା କଣ ଭୁଲିଯାଉଛେ? ନିନ୍ଦା କରିବା, ଭୁଲ୍ ବାହାର କରିବାରେ ମନା ନାହିଁ, କିନ୍ତୁ ଆମେ କାହାର ନିନ୍ଦା କରୁଛେ, କେଉଁ ପରିସ୍ଥିତିରେ କରୁଛେ, ତାହା ବି କଣ ଧ୍ୟାନ ଦେବା ନାହିଁ? ନିନ୍ଦୁକଙ୍କ ବି କିଛି ମର୍ଯ୍ୟାଦା ଅଛି, କିନ୍ତୁ ଆମେ ନିନ୍ଦା କରିବା ପ୍ରବୃତ୍ତିର ଏହି ସ୍ତରକୁ ଖସି ଆସିଛେ, ଆମ ପାଇଁ କାହାର ମୃତ୍ୟୁ, କାହାର ଶୋକ କିଛି ଫରକ ପକାଉ ନାହିଁ । କିଛି ଗୋଟେ କହି ନିଜର ବାହାଦୁରୀ ଦେଖାଇବା ମାନସିକତା ଆମକୁ ଘାରିଛି । ଅରିନ୍ଦମଙ୍କ ଭଳି ଭଦ୍ର, ବିନମ୍ର, ନିର୍ବିବାଦୀୟ, ପରୋପକାରୀ ସାମ୍ବାଦିକଙ୍କ ପାଇଁ ଏଠି ଯେଉଁ କାଦୁଆ ଫିଙ୍ଗାଫିଙ୍ଗି ଚାଲିଛି, ତାହା ଦେଖି ଉପରୁ ଥାଇ ଅରିନ୍ଦମ କେତେ ଦୁଃଖୀ ହେଉଥିବ, ସେ କଥା ଅନ୍ତତଃ ଯଦି ଭାବିଦେବା, ତାହେଲେ ବି ଏସବୁରୁ ଆମେ ଦୂରେଇ ରହିପାରନ୍ତେ । ଅରିନ୍ଦମ ମାତ୍ର ୩୯ ବର୍ଷ ବଞ୍ଚିଲେ । ମାତ୍ର ୩୯ ବର୍ଷ । ୟେ ବି କଣ ଯିବାର ବୟସ? ଘରେ ବିଧବା ମା. ପତ୍ନୀ, କୁନି ପିଲାଟି ।

ଶେଷକ୍ଷଣରେ ସମସ୍ତଙ୍କ କଥା ସେ ଭାବିଥିବେ । ବଞ୍ଚିବାର ସବୁ ପ୍ରୟାସ କରିଛନ୍ତି । କିନ୍ତୁ ତାଙ୍କର ସବୁଚେଷ୍ଟା ବିଫଳ ହୋଇଛି । ସବୁଚେଷ୍ଟା କହିବା ଭୁଲ ହେବ । କାରଣ ଯେତେବେଳେ ପାଣିସୁଅରେ ଡଙ୍ଗା ଭାସିଯାଇଥିିଲା, ସେତେବେଳେ ସବା ଶେଷଯାଏଁ ଯିଏ ନିୟନ୍ତ୍ରଣରେ ଥିଲେ ସେ ହେଲେ ଅରିନ୍ଦମ । ଯେତେବେଳେ ଉପରୁ ରଶି ଦିଆଗଲା, ସେତେବେଳେ ଯଦି ସବୁଠାରୁ ଆଗରେ ସେ ରଶି ଧରିବାର ସୁଯୋଗ କାହା ପଖରେ ଥିଲା ସେ ହେଲେ ଅରିନ୍ଦମ । କିନ୍ତୁ ମୃତ୍ୟୁର ଚକ୍ରବ୍ୟୁହରେ ଥାଇ ବି ସେ ଜୀବନର ରଶିକୁ ଧରି ନ ଥିଲେ । କାହିଁକି ନା ତାଙ୍କ ଆଖି ସାମ୍ନାରେ ତାଙ୍କ ସାଥୀ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା ପାଣିରେ ବୁଡି ଯାଉଥିଲେ । ଅରିନ୍ଦମ ଚାହିଁଥିଲେ ଆରାମରେ ଉପରକୁ ଆସିପାରିଥାନ୍ତେ, କିନ୍ତୁ ସେ ରଶିକୁ ନ ଧରି ହାତ ବଢାଇଥିଲେ ପ୍ରଭାତଙ୍କ ପାଇଁ । କେମିତି ପ୍ରଭାତ ଉପରକୁ ଆସିଯିବେ । ପ୍ରଭାତଙ୍କୁ ଉଦ୍ଧାର ବି କଲେ, କିନ୍ତୁ ସେତେବେଳକୁ ନିଜେ ବାରମ୍ବାର ପାଣିରେ ବୁଡି ଏକପ୍ରକାର ଅବଶ ହୋଇଯାଇଥିଲେ । ତଥାପି ଜଣେ ଫଇଟର ଭଳି ବାରମ୍ବାର ରଶିକୁ ଧରି ଉଠିବାର ପ୍ରୟାସ କରିଥିଲେ । ଦୁର୍ଭାଗ୍ୟ, ତାଙ୍କୁ ବଞ୍ଚାଇବା ସମ୍ଭାବ ହେଲା ନାହିଁ । ଏହାର ଭିଜୁଆଲ ଆପଣ ବାରମ୍ବାର ଦେଖିଥିବେ । ଏଥିରୁ ଅନୁଭବ କରୁଥିବେ, ଅରିନ୍ଦମ କଣ ଥିଲେ, କେଉଁଭଳି ମଣିଷ ଥିଲେ । ନିଜ ଜୀବନଠାରୁ ଅନ୍ୟର ଜୀବନ ତାଙ୍କ ପାଇଁ ମୂଲ୍ୟବାନ ଥିଲା ।

ଏଭଳି ଜଣେ ମଣିଷର ଅବର୍ତ୍ତମାନରେ ଯେଉଁଭଳି ଆରୋପ ପ୍ରତ୍ୟାରୋପ ହେଉଛି, ତାହା କଣ ଆମକୁ ଶୋଭା ଦେଉଛି । ଅନ୍ତତଃ ଯେଉଁ ଅରିନ୍ଦମଙ୍କ ବିଷୟରେ ମନ୍ତବ୍ୟ ଦେଉଛେ, ତାଙ୍କର ନିଃସ୍ୱାର୍ଥପରତାରୁ ଟିକେ ବି ପ୍ରେରଣା ନିଅନ୍ତେ, ବୋଧହୁଏ ଏଭଳି ଶବ୍ଦ ଓ ମାନସିକତା ପ୍ରକାଶ କରିବାକୁ ନିଜକୁ ଧିକ୍କାର ଲାଗନ୍ତା । ତେବେ କାହା ଶୋକରେ କେବଳ କଦୁଆଫିଙ୍ଗା କଥା ହୋଇପାରେ ତାହା ନୁହେଁ, ଶ୍ରଦ୍ଧାଞ୍ଜଳି ଦେବା ନାଁରେ ବି ବେପାର କଥା ଚିନ୍ତା କରାଯାଇପାରେ ତାହା ଦେଖିବା ପରେ ଆମକୁ ଆହୁରି ଦୁଃଖ ଲାଗିଲା । ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲକ୍ଷ ଲକ୍ଷ ଲୋକେ ସୋସିଆଲ ମିଡିଆରେ ଶବ୍ଦର ଅଞ୍ଜଳି ରଖୁଛନ୍ତି । ଅମର ଆତ୍ମାର ସଦଗତି କାମନା କରୁଛନ୍ତି । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହୁଁଛନ୍ତି । ଭଳ ମଣିଷ, ଭଲ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାକୁ ଚାହୁଁଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ଏହାଠାରୁ ଅଧିକ କିଛି ବି ଉଦ୍ଦେଶ୍ୟ ରଖି ନ ପାରେ ।

କିନ୍ତୁ କିଛି ବ୍ୟବସାୟୀ ଅରିନ୍ଦମଙ୍କ ଲୋକପ୍ରିୟତା ଓ ଲୋକଙ୍କ ଆବେଗରେ ବି ବେପାର ସାଉଁଟିପାରନ୍ତି ତାହା ଦେଖିବା ପରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ଏମିତି ଜଣେ ବ୍ୟବସାୟୀ ହେଉଛନ୍ତି ରାଜ୍ୟରେ ସୁନା ଗହଣା ବ୍ୟବସାୟରେ ଅନେକ ନାଁ କରିଥିବା ଖିମଜୀ ଜୁଏଲର୍ସ । ସୋସିଆଲ ମିଡିଆରେ ଆମେ ଅନେକ ବ୍ୟକ୍ତି, ସଂସ୍ଥାଙ୍କ ପୋଷ୍ଟ ଦେଖୁଥିଲୁ । ଖିମଜୀ ଜୁଏଲର୍ସ ପକ୍ଷରୁ ଫେସବୁକରେ କରାଯାଇଥିବା ଏକ ପୋଷ୍ଟ ବି ଆମ ନଜରକୁ ଆସିଲା । ଗ୍ରାଫିକ୍ସରେ ଅରିନ୍ଦମଙ୍କ ଏକ ଫଟୋ ସହ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସାହସିକତାକୁ ସବୁବେଳେ ମନପକାଇବୁ ବୋଲି ଲେଖାଯାଇଛି । ତେବେ ଆପଣ ଏହି ଗ୍ରାଫିକ୍ସ ଡିଜାଇନକୁ ଭଲ ଭାବେ ଦେଖନ୍ତୁ । ଏହା ତଳେ ଖିମଜୀର ଏକ ଲୋଗୋ ରହିଛି । ଯାହା ସାଧାରଣତଃ ରଖାଯାଏ । କାରଣ ଏଥିରୁ ବୁଝାପଡେ ଶ୍ରଦ୍ଧାଞ୍ଜଳି କାହା ପକ୍ଷରୁ ଜ୍ଞାପନ କରାଯାଇଛି । କିନ୍ତୁ ତାହା ତଳକୁ ଖିମଜୀର କଣ କଣ ବ୍ୟବସାୟ ପ୍ରତିଷ୍ଠାନ ରହିଛି, କେଉଁଠି କେଉଁଠି ରହିଛି ତାହାସବୁ ରଖାଯାଇଛି ।

ଏହା ରଖିବାର ଅର୍ଥ କଣ? ଖିମଜୀର ଲୋଗୋ ରହିଲା, ବୁଝାପଡିଲା ଖିମଜୀ ଜୁଏଲର୍ସ ଶ୍ରଦ୍ଧାଞ୍ଜଳି ଜଣାଇଛି, ଖିମଜୀର ଏଠି ଜୁଏଲର୍ସ ଅଛି, ସେଠି ଅଛି, ହୋଣ୍ଡା, କାୱାସକି, ରୟାଲ ଏନଫିଲ୍ଡ ସୋରୁମ୍, ବିଲର୍ଡସ୍ ସଂସ୍ଥା ଏସବୁ କାହିଁକି ଉଲ୍ଲେଖ କରାଯାଇଛି? ଆମେ କଣ ଶ୍ରଦ୍ଧାଞ୍ଜଳି ଦେବାକୁ ଯେଉଁ ବାର୍ତ୍ତା ରଖିଲେ ସେଥିରେ ବି ନିଜର ବ୍ୟବସାୟିକ ଦିଗ ଦେଖିବାର ଆବଶ୍ୟକତା ରହିଛି? ଦୁଃଖରେ ବି କେମିତି ବେପାର ଦିଗ ଦେଖାଯାଇପାରେ? ଲୋକେ ଅରିନ୍ଦମଙ୍କୁ ଝୁରୁଛନ୍ତି, ଏହି ପୋଷ୍ଟ କଲେ ଲୋକେ ସେୟାର କରିବେ, ଏଥିରେ ଆପଣଙ୍କ ବିଜନେସର ବି ପ୍ରଚାର ପ୍ରସାର ହୋଇଯିବ, ଏଭଳି ଛୋଟ ମାନସିକତାରୁ ଅନ୍ତତଃ ଖିଜଜୀ ଭଳି ବଡ ଗହଣା ବେପାରୀ ଦୂରେ ରହିବା ଦରକାର ବୋଲି ଆମର ମତ । ଅରିନ୍ଦମଙ୍କୁ ଆମେ ହରାଇ ସାରିଛେ, ଯାହା ନ ଘଟିବା କଥା, ତାହା ଘଟିଛି । ଅରିନ୍ଦମଙ୍କ ମୃତ୍ୟୁରେ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି, ତାହା କେବେ ବି ପୂରା ହୋଇପାରିବ ନାହିଁ । କିଛି ବର୍ଷ ପୂର୍ବରୁ ଅରିନ୍ଦମ ନିଜ ବାପାଙ୍କୁ ହରାଇଥିଲେ ।

ଏବେ ତାଙ୍କ ପରିବାର ଅରିନ୍ଦମଙ୍କୁ ହରାଇ ବେସାହାର ହୋଇଗଲା । ୨୪ ଘଣ୍ଟା ଅନ୍ ଡ୍ୟୁଟି ରହୁଥିବା ଅରିନ୍ଦମ, ରାତିରେ ବି ନ ଶୋଇ ଘରର ପଛରେ ଗୋଡାଉଥିବା ଅରିନ୍ଦମ, ଦିନ ବେଳା ଯାଇ ବୈତରଣୀ ପଠାରେ ଶୋଇଗଲେ । ଚିର ଦିନ ପାଇଁ । ସବୁବେଳେ ଅବିଶ୍ରାନ୍ତ ଭାବେ ସାମ୍ବାଦିକତା ପାଇଁ ନିଜକୁ ଉତ୍ସର୍ଗ କରୁଥିବା ଅରିନ୍ଦମ ଲମ୍ବା ବିଶ୍ରାମ ନେଲେ, ଏମିତି ବାଟରେ ଚାଲିଗଲେ, ଯେଉଁଠୁ କେବେ ବି ଫେରିବା ସମ୍ଭବ ନୁହେଁ । ଅନେକ ସମୟରେ ଅରିନ୍ଦମ ଥଟ୍ଟାମଜାରେ କହୁଥିଲେ, ତାଙ୍କର ଆୟୁଷ ଖୁବ୍ କମ୍ । ଖାଲି ଏତିିକି ନୁହେଁ, ତାଙ୍କ ହ୍ୱାଟ୍ସ ଆପ୍ ଡିପିରେ ଏକ ପେଣ୍ଟିଂ ରହିଛି, ଯେଉଁଥିରେ ନଦୀ ଅଛି, ଡଙ୍ଗା ବି ଅଛି । ଏହାକୁ କେବଳ ସଂଯୋଗ କହିବା ନା ବିଧିର ରହସ୍ୟମୟ ବିଧାନ ତାହା ବୁଝିବା ଆମ ପାଇଁ କଷ୍ଟକର । ଈଶ୍ୱର ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ଏତିକି ପ୍ରାର୍ଥନା ।

 

Leave A Reply

Your email address will not be published.