ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ଯେତେ ପାଖଉଛି ରାଜନୀତି ସେତେ ସରଗରମ ହେଉଛି । ଚଳିତ ନିର୍ବାଚନରେ ମହିଳାଙ୍କୁ ଫୋକସ କରିଛି ଦଳ । ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ବିଜେଡି-ବିଜେପି । ଓଡ଼ିଶାରେ ରହିଛି ମୋଟ ୨୧ ଲୋକସଭା ଆସନ । ୩୩ ପ୍ରତିଶତ ହେଲେ ୭ଟି ସିଟରେ ମହିଳା ପ୍ରାର୍ଥୀ ଦେବାକୁ ପଡିବ । ଏବେ ସୁଦ୍ଧା ୨୧ ଆସନରୁ ବିଜେଡି ୨୦ଆସନରେ ପ୍ରାର୍ଥୀ ଦେଇଛି । ଏବଂ ବିଜେପି ସମସ୍ତ ୨୧ ଆସନରେ ପ୍ରାର୍ଥୀ ଦେଇ ସାରିଛି । ବିଜେଡି ଘୋଷଣା କରିଥିବା ୨୦ଟି ଲୋକସଭା ଆସନରୁ ୬ଟିରେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଏବେ କେବଳ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବାକୁ ବାକି ରହିଛି । ବିଜେଡି ଏଠାରେ ମହିଳାଙ୍କୁ ନା ପୁରୁଷଙ୍କୁ ସୁଯୋଗ ଦେଉଛି ତାହା ଉପରେ ସମସ୍ତଙ୍କ ନଜର।
ସେପଟେ ବିଜେପି ଘୋଷଣା କରିଥିବା ୨୧ଜଣ ପ୍ରାର୍ଥୀଙ୍କ ମଧ୍ୟରେ କେବଳ ୪ଜଣ ଜଣ ମହିଳା ଅଛନ୍ତି। ୨୦୧୯ରେ ବିଜେପି ୩ଜଣ ମହିଳାଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଥିବାବେଳେ ଏଥର ଆଉ ଜଣେ ବଢ଼ିଛନ୍ତି। ବିଜେପି ୨୦୧୯ରେ ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ ଓ ଆସିକାରେ ଅନିତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥର ଏହି ତିନିଟି ଆସନରେ ଏହି ତିନି ଜଣଙ୍କୁ ରିପିଟ କରିଛି । ଏହାସହ କଳାହାଣ୍ଡି ଆସନରେ ମାଳବିକା କେଶରୀ ଦେଓଙ୍କୁ ଟିକେଟ୍ ଦେଇଛି। ଅର୍ଥାତ୍ ବିଜେପି ଏଥର ଓଡ଼ିଶାରେ ମହିଳାଙ୍କ ପାଇଁ ୧୯% ଲୋକସଭା ଆସନ ଛାଡ଼ିଛି। ଅପରପକ୍ଷେ ବିଜେଡି ୨୦୧୯ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା। ପ୍ରଚାର ମଇଦାନରେ ବି ବିଜେଡି ଏହାକୁ ଏକ ପ୍ରସଙ୍ଗ କରିଥିଲା।
ଯେତେବେଳେ ମହିଳା ସଂରକ୍ଷଣ କଥା ଉଠେ ସେତେବେଳେ ବିଜେଡି ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିବା ନେଇ ସାବାସି ନିଏ। ତେଣୁ ବିଜେଡି ବାଲେଶ୍ୱରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ବାଲେଶ୍ୱରରେ ମହିଳା ପ୍ରାର୍ଥୀ ହେଲେ ବିଜେଡି ଲୋକସଭା ନିର୍ବାଚନରେ ୩୩% ମହିଳାଙ୍କୁ ସଂରକ୍ଷଣ ଦେଇପାରିବ। ବିଜେଡି ୨୦୧୯ରେ କୋରାପୁଟ, ଆସିକା, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ମହିଳା ପ୍ରାର୍ଥୀ ଦେଇଥିବାବେଳେ ଏଥର ଆସିକାରେ ରଂଜିତା ସାହୁ, କୋରାପୁଟରେ କୌଶଲ୍ୟା ହିକକା, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଭଦ୍ରକରେ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି। ଦଳ କେନ୍ଦୁଝର ଓ ସୁନ୍ଦରଗଡ଼ରେ ମହିଳା ପ୍ରାର୍ଥୀ ଦେଇନଥିବାବେଳେ ବରଗଡ଼ରେ ପରିଣିତା ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏବେ ଘୋଷଣା ହୋଇନଥିବା ବାଲେଶ୍ୱର ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।
ସେପଟେ କଂଗ୍ରେସ ୮ଟି ଲୋକସଭା ଆସନ ଘୋଷଣା କରିଥିବା ବେଳେ କେବଳ ଗøାଟିଏ ଆସନରେ ମହିଳା ପ୍ରାର୍ଥୀ ଦେଇଛି । ସେ ହେଉଛନ୍ତି କଳାହାଣ୍ଡିରୁ ଦ୍ରୌପଦୀ ମାଝୀ । କଂଗ୍ରେସକୁ ୩୩ପ୍ରତିଶତ ସଂରକ୍ଷଣ ଦେବାକୁ ହେଲେ ବଳକା ୧୩ ଆସନରୁ ୬ଆସନରେ ମହିଳା ପ୍ରାର୍ଥୀ ଦେବାକୁ ପଡିବ ।