Before Header

ସାମ୍ବାଦିକଙ୍କୁ ବଦନାମ କରିବାକୁ ଚକ୍ରାନ୍ତ

0 45

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର । ସାମ୍ବାଦିକଙ୍କୁ ଫସାଇବାକୁ ଚାଲିଛି ଚକ୍ରାନ୍ତ । ଏମିତି ଏକ ଚକ୍ରାନ୍ତର ଶିକାର ହୋଇଛନ୍ତି ଜଗତସିଂହପୁର ଜିଲ୍ଲାର କିଛି ସାମ୍ବାଦିକ । ଏଥିରେ ଅଛନ୍ତି ନ୍ୟୁଜ୭ର ପାରାଦୀପ ପ୍ରତିନିଧି ଜ୍ଞାନଜୟ ମହାନ୍ତି, ସମ୍ବାଦର କୁଜଙ୍ଗ ପ୍ରତିନିଧି ଦୁଷ୍ମନ୍ତ ମାଝୀ ଓ ସମାଜର କୁଜଙ୍ଗ ପ୍ରତିନିଧି ବିଭୂତି । ପ୍ରଥମେ ପୂରା ଘଟଣାକ୍ରମକୁ ଜାଣିନିଅନ୍ତୁ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ଏହି ୩ ଜଣଙ୍କ ନାଁରେ ଚାନ୍ଦା ଆଦାୟର ସଂଗୀନ ଅଭିଯୋଗ ହୋଇଛି । ଏହି ୩ ସାମ୍ବାଦିକ ସ୍ଥାନୀୟ ଅଞ୍ଚଳରେ ଥିବା ଆଇଓସିଏଲ, ଇଫକୋ, ପିପିଏଲ, କାର୍ବୋନ ଫ୍ୟାକ୍ଟ୍ରି, ଏସାର୍, କାରଗିଲ ଫ୍ୟାକ୍ଟ୍ରି ଏବଂ ପାରାଦୀପ ପୋର୍ଟରୁ ବଟି ଆଦାୟ କରୁଛନ୍ତି । ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ସୁପ୍ରିମକୋର୍ଟ ମାମଲାର ତଦନ୍ତ ପାଇଁ ରାଜ୍ୟର ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଭିଜିଲାନ୍ସ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛି । ଏହି ଆଧାରରେ ଅଭିଯୁକ୍ତ ୩ ସାମ୍ବାଦିକଙ୍କୁ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ତାଙ୍କ କୋର୍ଟକୁ ଗତ ୨୧ ତାରିଖରେ ହାଜର ହେବାକୁ କହିଥିଲେ । ନିର୍ଦ୍ଧାରିତ ଦିନ ୩ ସାମ୍ବାଦିକ ଉପସ୍ଥିତ ହୋଇ ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି ପକ୍ଷ ରଖିଛନ୍ତି । ଏହା ପରେ ୨୨ ତାରିଖରେ ସଂପୃକ୍ତ କମ୍ପାନୀ ଗୁଡିକୁ ଡକାଯାଇଥିଲା ସେମାନଙ୍କ ପକ୍ଷ ରଖିବାକୁ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି କମ୍ପାନୀମାନେ କହିଥିଲେ ସେମାନେ ଏଭଳି କୌଣସି ଅଭିଯୋଗ କରିନାହାନ୍ତି କିମ୍ବା ଏହି ସାମ୍ବାଦିକମାନେ ତାଙ୍କୁ କୌଣସି ଚାନ୍ଦା ମାଗିନାହାନ୍ତି ।

ତେବେ ଏହି ଘଟଣାର ଅଭିଯୋଗକାରୀ କିଏ? ଏହି ଘଟଣାର ଅଭିିଯୋଗକାରୀ କମ୍ପାନୀ ସହ ସଂପର୍କିତ କେହି ବି ନୁହେଁ, ବରଂ ବାହାରର ଜଣେ ଲୋକ । ଜଣେ ଅଜଣା ମହିଳା । କିଏ ୟେ ଭଦ୍ର ମହିଳା, ତାହାର ପତ୍ତା ଖୋଦ୍ ଜିଲ୍ଲାପ୍ରଶାସନକୁ ବି ଜଣା ନାହିଁ । କେବଳ ତାଙ୍କ ଘର ପାରାଦୀପରେ ବୋଲି ସେ କୋର୍ଟରେ ଉଲ୍ଲେଖ କରିଛନ୍ତି । ତାଙ୍କ ପକ୍ଷ ରଖିବାକୁ ୨୫ ତାରିଖ ଧାର୍ଯ୍ୟ ହୋଇଥିଲେ ବି ନିଜେ ଅଭିଯୋଗକାରିଣୀ ଆସିଲେ ନାହିଁ । ସାମ୍ବାଦିକ ଆସିଲେ, କମ୍ପାନୀର ଲୋକମାନେ ଆସିଲେ, ଯେଉଁମାନେ କହିଲେ ଏହି ସାମ୍ବାଦିକମାନେ କୌଣସି ଲାଞ୍ଚ ମାଗିନାହାନ୍ତି । ଏବେ ଅଭିଯୋଗକାରିଣୀ, ଯିଏ କମ୍ପାନୀର କିଛି ବି ନୁହେଁ, ସେ ସୁପ୍ରିମକୋର୍ଟ ଯାଇଛନ୍ତି ଏହା କହି ଯେ, ସାମ୍ବାଦିକମାନେ କମ୍ପାନୀକୁ ଚାନ୍ଦା ମାଗୁଛନ୍ତି । ଏବେ ପକ୍ଷ ରଖିବାକୁ ବି ଆସୁନାହାନ୍ତି । ଏହି ଘଟଣାର ଶୁଣାଣି ପରେ ଏହା ଏକପ୍ରକାର ସ୍ପଷ୍ଟ ହୋଇଗଲା କି ଏହି ସାମ୍ବାଦିକମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ନାହିଁ । ତେବେ ଏଭଳି ମିଛ ଅଭିଯୋଗ ପାଇଁ ସେମାନଙ୍କ ସମ୍ମାନ ଗଭୀର ଭାବେ ପ୍ରଭାବତ ହୋଇଛି ।

ଖାଲି ଏତିକି ନୁହେଁ, ନ୍ୟୁଜ୭ର ପ୍ରତିନିଧି ଜ୍ଞାନଜୟଙ୍କୁ ତ ତାଙ୍କ କମ୍ପାନୀ କୌଣସି ପକ୍ଷ ରଖିବାର ସୁଯୋଗ ନ ଦେଇ ଚାକିରି ଛାଡିବାକୁ ବାଧ୍ୟ କରିଛି । ଆମେ ଚାନ୍ଦା ମାଗୁଥିବା କୌଣସି ସାମ୍ବାଦିକର ସପକ୍ଷବାଦୀ ନୁହେଁ । ଯିଏ ସେଭଳି କାର୍ଯ୍ୟ କରିବ ଆଇନ ଦୃଷ୍ଟିରୁ ଦଣ୍ଡିତ ହେବା ଦରକାର । କିନ୍ତୁ ଏଭଳି ମିଛ ଅଭିଯୋଗରେ ସାମ୍ବାଦିକର ଯେଉଁ କ୍ଷତିି ହେଉଛି ବା ହେଲା ତାହାର ଭରଣା କିଏ କରିବ? କୋର୍ଟରେ ମିଛ ଅଭିଯୋଗ ଫାଇଲ କରିବା, ଥାନାରେ ସାମ୍ବାଦିକ ନାଁରେ ମିଛ ଏତଲା ଦେବା ଏବେ ଦୁର୍ନୀତିଖୋରଙ୍କ ସହଜ କାମ ହୋଇଗଲାଣି । ଦୁର୍ନୀତି ବିରୋଧରେ କହୁଥିବା ସାମ୍ବାଦିକ ନାଁରେ ମିଛ ଏତଲା ଦିଅ, ବଦନାମ କର, ଦୋଷ ପ୍ରମାଣିତ ହେଉ କି ନ ହେଉ, ତାହାର ଚାକିରି ଯିବା ଥୟ । ଯେମିତି ଜ୍ଞନଜୟଙ୍କ ସହ ଘଟିଲା । ଚାକିରି ଗଲା । ଅନ୍ୟ ଦୁଷ୍ମନ୍ତ, ବିଭୂତି ବଦନାମ ହେଲେ । ଏଠି ନ୍ୟୁଜ୭ ମ୍ୟାନେଜମେଣ୍ଟର ଦାୟିତ୍ୱ ଥିଲା ଘଟଣାକୁ ଥରେ ପରଖିନେବା, ଜ୍ଞାନଜୟଙ୍କ ବିରୋଧରେ କିଛି ବି ପ୍ରମାଣ ଅଛି କି ଥରେ ଦେଖିନେବା, ଯଦି ସାମାନ୍ୟତମ ବି କିଛି ଆଦାର ଥାନ୍ତା ତେବେ ବିଦା କରିବାରେ ଅସୁବିଧା ନାହିଁ, କିନ୍ତୁ କୌଣସି ପ୍ରମାଣ ନ ଥାଇ ମିଛରେ କରାଯାଇଥିବା ଏକ ଅଭିଯୋଗ ଆଧାରରେ ଜଣେ ସାମ୍ବାଦିକଙ୍କ ଚାକିରି ଯିବା, ସେ ବଦନାମ ହେବା କେତେ ଯୁକ୍ତିଯୁକ୍ତ? ଦୁର୍ନୀତିଖୋରଙ୍କ ଦ୍ୱାରା ପୋଲିସ ପୋଷା ହଉଛନ୍ତି, ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗକୁ ପୋଲିସ ବି ଉଣ୍ଡିକି ବସୁଛି ।

ଯେଉଁଠି ପୋଲିସ ଏଭଳି ମିଛ ଅଭିଯୋଗକୁ ଗ୍ରହଣ କରୁନି, ଏମାନେ ସୁପ୍ରିମକୋର୍ଟ ବି ପହଞ୍ଚିଯାଉଛନ୍ତି । ତାହା ପରେ ସେହି ଅଭିଯୋଗକୁ ମାର୍କେଟକୁ ଛ।।ଡି ବଦନାମ କରାଯିବା, ସଂପୃକ୍ତି ସଂସ୍ଥା ଘଟଣାର ସତ୍ୟାସତ୍ୟ ନ ପରଖି ଚାକିରିରୁ ବାହାର କରିବା ଭଳି ଘଟଣା ଘଟୁଛି । ମିଛ ଅଭିିଯୋଗ ତୃଣମୂଳ ସ୍ତରରେ କାମ କରୁଥିବା ସଚ୍ଚୋଟ ସାମ୍ବାଦିକଙ୍କୁ ଡରାଇବାର ବଡ଼ ଅସ୍ତ୍ର ପାଲଟିଛି । ଯାହା ଉପରେ ରୋକ୍ ଲାଗିବା ଦରକାର । ଯେଉଁ ସାମ୍ବାଦିକ ବିରୋଧରେ ପ୍ରମାଣ ଅଛି ସେ ସଜା ପାଉ, କିନ୍ତୁ ଏଭଳି ବିନା ପ୍ରମାଣରେ କୌଣସି ସାମ୍ବାଦିକଙ୍କୁ ବଦନାମ କରାଗଲେ ସେ ଯେଉଁ ସଂସ୍ଥାର ହେଲେ ବି ବଡ଼ ଖବର ସେମାନଙ୍କ ପାଇଁ ମୁହଁ ଖୋଲିବ ।

Leave A Reply

Your email address will not be published.