Batya

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଧିକ ଘନୀଭୂତ ହେଉଛି ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ସହ ଜଡ଼ିତ ବାଦଲ ସମୂହର ଏକତ୍ରୀକରଣ ବୃଦ୍ଧି । ଘୂର୍ଣ୍ଣାୟମାନ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ଏହାର ପ୍ରଭାବରେ ଆସନ୍ତା ୨୧ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ସୁଦ୍ଧା ଅବପାତ ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ଅବପାତ ଉପରେ ପାଣିପାଗ ବିଭାଗ ପକ୍ଷରୁ ନଜର ରଖାଯାଇଛି ଏବଂ ବାତ୍ୟା ସଂକ୍ରାନ୍ତରେ କିଛି ଆକଳନ କରାଯାଇ ନାହିଁ। ଅକ୍ଟୋବର ବାତ୍ୟା ପାଇଁ ପାଗ ଅନୁକୂଳ ରହୁଥିବାରୁ ପାଣିପାଗ ବିଭାଗ ଏହା ଉପରେ ନିରନ୍ତର ଭାବେ ନଜର ରଖିଛି। ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ଉପରେ ଆକଳନ କରାଯିବ ବୋଲି ଆଇଏମଡି ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

ଲଘୁଚାପ ପ୍ରଭାବରେ ୨୧ ତାରିଖରେ ପୂର୍ବ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବ‌େ‌ଙ୍ଗାପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୩୫ରୁ ୪୫କି.ମି. ବେଗରେ ପବନ ବହିବ। ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୫୫କି.ମି. ଛୁଇଁପାରେ। ୨୨ରେ କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୩୫ରୁ ୪୫କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନ ବେଗ ଘଣ୍ଟାପ୍ରତି ୫୫କି.ମି. ବହିବା ସମ୍ଭାବନା ରହିଛି। ୨୩ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବାକୁ ଥିବାବେଳେ ଝଟକା ପବନର ବେଗ ୬୦କି.ମି. ଛୁଇଁପାରେ। କେନ୍ଦ୍ରୀୟ, ଦକ୍ଷିଣ ଏବଂ ଉତ୍ତର ବଙ୍ଗୋପସାଗର କିଛି ଅଞ୍ଚଳରେ ଘଣ୍ଟାପ୍ରତି ପବନର ବେଗ ୫୫କି.ମି. ବହିପାରେ। ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨୧ତାରିଖ ସୁଦ୍ଧା ଉପକୂଳକୁ ଫେରିବାକୁ କୁହାଯାଇ ଥିବାବେଳେ ସମୁଦ୍ର ଅଶାନ୍ତ କରିବାକୁ ଥିବାରୁ ୨୨ ତାରିଖରୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ସଂସ୍ଥା ଜିଏଫଏସ୍‌ ସଂସ୍ଥାର ଆକଳନ ଅନୁଯାୟୀ, ଅବପାତ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ ଏବଂ ୨୬ତାରିଖ ବେଳକୁ ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଆଡକୁ ମୁହାଁଇବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *