Masthead

ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ

ପୁରୀ (ବଡ଼ ଖବର ବ୍ୟୁରୋ):  ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ର ସୁରକ୍ଷିତ, ଶୃଙ୍ଖଳିତ ଓ ସୁଚାରୁ ପରିଚାଳନାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଜି ପୁରୀ ପୁଲିସ ପକ୍ଷରୁ ଜିଲ୍ଲା ପୁଲିସ କାର୍ୟ୍ୟାଳୟ (ଡିପିଓ), ପୁରୀଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ପୁରୀ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଅଧ୍ୟକ୍ଷତା କରି ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ ସଜାଗତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ପୁରୀ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା, ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଝଙଏ), ରେଳବାଇ, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ରଥଯାତ୍ରା ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ତ୍ୱରିତ ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଓ ଜରୁରୀକାଳୀନ ପରିସ୍ଥିତିରେ ଶୀଘ୍ର ପ୍ରତିକ୍ରିୟା ସୁନିଶ୍ଚିତ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଭିଡ଼ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥାପନ, ଜରୁରୀକାଳୀନ ଉଦ୍ଧାର ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ରେଳ ଷ୍ଟେସନ ଓ ବସ୍ ଟର୍ମିନାଲରେ ସୁରକ୍ଷା, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅତିରିକ୍ତ ନଜରଦାରି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ସିସିଟିଭି ନିରୀକ୍ଷଣ, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ବିଭିନ୍ନ ଆକସ୍ମିକ ପରିସ୍ଥିତିକୁ ସଫଳତାର ସହ ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାସହ ବିଭିନ୍ନ ସୁରକ୍ଷା ଏଜେନ୍ସି ଓ ବିଭାଗ ମଧ୍ୟରେ ଏକ ସମନ୍ୱିତ କାର୍ୟ୍ୟପଦ୍ଧତି ଅନୁସରଣ କରି ଯେକୌଣସି ଆକସ୍ମିକ କିମ୍ବା ଜରୁରୀ ପରିସ୍ଥିତିରେ ଶୀଘ୍ର, ସଠିକ୍ ଓ ପ୍ରଭାବଶାଳୀ ପ୍ରତିକ୍ରିୟା ପାଇଁ ସମସ୍ତଙ୍କୁ ସଜାଗ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ବିଭାଗ ନିଜ ନିଜ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିବା ସହ ପରସ୍ପର ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ପାଇଁ ମତାମତ ରଖିଥିଲେ।

ଏହି ଅବସରରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ କହିଥିଲେ ଯେ, ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ୟ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା, ସୁବିଧା ଓ ନିର୍ବିଘ୍ନ ଦର୍ଶନ ପୁଲିସର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ସମସ୍ତ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ, ପୂର୍ବ ପ୍ରସ୍ତୁତି ଓ ସତର୍କତା ଅତ୍ୟନ୍ତ ଆବଶ୍ୟକ। ପୁରୀ ପୁଲିସ ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ସମୀକ୍ଷା ବୈଠକ ଓ ପ୍ରସ୍ତୁତିମୂଳକ କାର୍ୟ୍ୟକ୍ରମ ଜାରି ରହିବ। ଅନ୍ୟପଟେ ପୁରୀ ସାହି ଲୋକଙ୍କୁ ନେଇ ମଧ୍ୟ ଏକ ବୈ÷ଠକ ବସା ଯାଇଛି । ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ ଅବସରରେ ଭକ୍ତମାନଙ୍କ ପାଇଁ ଏକ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ଚାରୋଟି ସାହି ଅଞ୍ଚଳର ବିଭିନ୍ନ ସାହିର ମୁରବି ଓ ସେବାୟତମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଆଠସାହି ଅଞ୍ଚଳର ବିଭିନ୍ନ ସାହିର ପ୍ରତିନିଧିମାନେ ଯଥା ଧାନକୁଟି ସାହି, ବାଲିସାହି, ହରଚଣ୍ଡୀ ସାହି ଓ ଗୋଡ଼ବାଡ଼ ସାହିର ମୁରବିମାନେ ଉପସ୍ଥିତ ଥିଲେ। ଏହା ସହିତ ଅନେକ ସେବାୟତ, ସ୍ଥାନୀୟ ପ୍ରତିନିଧି ଓ ସମ୍ମାନୀୟ ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେଇଥିଲେ। ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପରିସର, ବଡଦାଣ୍ଡ ଓ ସମଗ୍ର ପୁରୀ ସହରରେ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ପରିଚାଳନା, ଭକ୍ତମାନଙ୍କ ସୁବିଧା ଏବଂ ଆପତ୍କାଳୀନ ସହାୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା। ବୈଠକରେ ବିଭିନ୍ନ ମୁଖ୍ୟ ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା।

ବିଶେଷ କରି ରଥଯାତ୍ରା ସମୟରେ ବହୁ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଯାତାୟାତ ସୁଚାରୁ ପରିଚାଳନା ଏବଂ ସମସ୍ତ ବ୍ୟବସ୍ଥାକୁ ଏକ ସମନ୍ୱିତ ପ୍ରୟାସ ମାଧ୍ୟମରେ ସଫଳ କରିବା ନେଇ ଆଲୋଚନା କରାଯାଇଥିଲା। ଏହି ସମନ୍ୱୟ ବୈଠକ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିଟି ଡ଼ିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର, ଟାଉନ ଥାନା ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ ଟ୍ରାଫିକ ଥାନା ଅଧିକାରୀ ଶ୍ରୀମତୀ ସଙ୍ଗୀତା ଦାସ, ସିଂହଦ୍ୱାର ଥାନା ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ରଥଯାତ୍ରା କେବଳ ପୁରୀର ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ଭକ୍ତିର ମହାପର୍ବ। ଏହି ବିଶାଳ ଆୟୋଜନକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ, ପ୍ରଶାସନ, ସେବାୟତ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ସମିଳିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ। ସେ ଆହୁରି କହିଥିଲେ ଯେ, ପୁରୀ ପୋଲିସ ପକ୍ଷରୁ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ମ୍ୟାନେଜମେଣ୍ଟ, ଆପତ୍କାଳୀନ ସହାୟତା ଓ ଭକ୍ତମାନଙ୍କ ସୁବିଧା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତଙ୍କ ସହଯୋଗ ରହିଲେ ଏହି ମହାପର୍ବକୁ ଆହୁରି ସଫଳ ଭାବେ ପରିଚାଳନା କରାଯାଇପାରିବ।ଉପସ୍ଥିତ ମୁରବି ଓ ସେବାୟତମାନେ ପୁରୀ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ରଥଯାତ୍ରା ସମୟରେ ପୁରୀ ପୋଲିସ ଓ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ବୈଠକ ଶେଷରେ ସମସ୍ତଙ୍କ ମଧ୍ୟରେ ଏକ ସକାରାତ୍ମକ ମନୋଭାବ ଓ ପାରସ୍ପରିକ ସହଯୋଗର ସନ୍ଦେଶ ପ୍ରକାଶ ପାଇଥିଲା। ପୁରୀ ପୋଲିସ ରଥଯାତ୍ରା ୨୦୨୬ କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ସଦା ପ୍ରତିବଦ୍ଧ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ