ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା। ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସୁଗାୟକ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ସେ ଆଖି ବୁଜିଛନ୍ତି। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତପ୍ରେମୀ ଓ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରଣବ ପଟ୍ଟନାୟକ ନିଜର ସ୍ୱତନ୍ତ୍ର କଣ୍ଠଶୈଳୀ ଓ ସଙ୍ଗୀତ ପ୍ରତିଭା ବଳରେ ଓଡ଼ିଆ ସଙ୍ଗୀତକୁ ସମୃଦ୍ଧ କରିଥିଲେ। ତାଙ୍କ କଣ୍ଠରୁ ଅନେକ କାଳଜୟୀ ଗୀତ ଶ୍ରୋତାଙ୍କ ମନରେ ସ୍ଥାନ ପାଇଛି। ‘ରୂପସୀ ରାଣୀ ଗୋ ମୋର’, ‘ଏମିତି ରାତି ସେ ଯେ ଅଭୁଲା ସ୍ମୃତି’ ଭଳି ଗୀତ ଆଜି ବି ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ।
ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
