ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରବ ସାଗର ଉପରେ ନିଖୋଜ ହେଲା ପାକିସ୍ତାନୀ କାର୍ଗୋ ବିମାନ । ବୋଇଙ୍ଗ-୭୩୭ର କାର୍ଗୋ ବିମାନରେ ୫ ଜଣ କ୍ରୁ ମେମ୍ବର ଥିବା ସୂଚନା । ୧୪ ଘଣ୍ଟା ପରେ ପାକିସ୍ତାନ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ । ମଙ୍ଗଳବାର ରାତିରେ ୟୁଏଇରୁ କରାଚି ଆସିବା ବେଳେ ଆରବ ସାଗର ଉପରେ କଟିଲା କନେକ୍ସନ୍। ଏପର୍ଯ୍ୟନ୍ତ ବିମାନ ନିଖୋଜ ହେବା କିମ୍ଵା କ୍ର୍ୟୁ ସଦସ୍ୟଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।
ପାକିସ୍ତାନର ଜଣେ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, ବୋଇଙ୍ଗ-୭୩୭ କାର୍ଗୋ ବିମାନ ୟୁଏଇରୁ କରାଚି ଫେରୁଥିଲା। କରାଚି ଠାରୁ ୩୦୦ କିମି ଦୂର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଉଡାଣ ସମୟରେ ବିମାନର ନାଭିଗେସନ ସିଷ୍ଟମରେ ତ୍ରୁଟି ଥିବା ସୂଚନା ଦିଆଯାଇଥିଲା। ଏହାପରେ ତୀବ୍ର ଗତିରେ ବିମାନଟି ତଳକୁ ତଳକୁ ଖସିଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ସ ବିମାନକୁ ଗାଇଡ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସଫଳ ହୋଇପାରି ନଥିଲେ। ତିନି ମିନିଟ୍ ପରେ ରାଡାର ସିଷ୍ଟମରୁ ବିମାନଟି ତୀବ୍ର ଗତିରେ ତଳକୁ ଖସିବା ଯୋଗୁଁ କନେକ୍ସନ ଛିନ୍ନ ହୋଇଥିଲା। ସେହି ସମୟରେ ବିମାନଟି କରାଚି ଠାରୁ ୨୮୭ କିମି ଦୂର ପଶ୍ଚିମରେ ଥିଲା।
ନିଖୋଜ ବିମାନକୁ ଖୋଜିବାକୁ ପାକିସ୍ତାନ ନୌସେନା ଏବଂ ବାୟୁସେନାର ମିଳିତ ପ୍ରୟାସରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପାକିସ୍ତାନର ଯୁଦ୍ଧଜାହାଜ PNS ଜୁଲଫିକରକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି। ବାୟୁସେନାର ସାବ ନିରୀକ୍ଷଣ ବିମାନ ମଧ୍ୟ ନିୟୋଜିତ କରାଯାଇଛି। ନିଖୋଜ ବିମାନଟି ହେଉଛି ଏକ ୨୭ ବର୍ଷ ପୁରୁଣା ବୋଇଂ ୭୩୭ । ଯାହା ପାକିସ୍ତାନୀ କାର୍ଗୋ କମ୍ପାନୀ ଦ୍ୱାରା ପରିଚାଳିତ। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ବିମାନଟି ନିଖୋଜ ହେବା ସମୟରେ ଘଣ୍ଟା ପ୍ରତି ୭୯୦ କିଲୋମିଟର ବେଗରେ ୩୫,୦୦୦ ଫୁଟ ଉପରେ ଉଡ଼ୁଥିଲା।
