ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶ ପ୍ରେମ ଆଗରେ ବ୍ୟବସାୟ ତୁଚ୍ଛ । ଏହା ପ୍ରମାଣିତ କରିଛନ୍ତି ଭାରତୀୟ ବ୍ୟବସାୟୀ ଜଗତ । ପହଲଗାମ ଆତଙ୍କବାଦୀ ହାମ୍ଲା ପରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନକୁ ସମର୍ଥନ କରିଥିବା ତୁର୍କୀ ଏବଂ ଅଜରବୈଜାନ ସହ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଏମାନେ ଘୋଷଣା କରିଛନ୍ତି । ଆଜି ଏହା ଉପରେ ଚୂଡାନ୍ତ ନିଷ୍ପତି ନେବା ପାଇଁ ଦିଲ୍ଲୀରେ ଏକତ୍ର ହୋଇଥିଲେ ୨୪ରୁ ଉଦ୍ଧ୍ୱର୍ ରାଜ୍ୟର ବ୍ୟବସାୟୀ । ତୁର୍କୀ ଏବଂ ଅଜରବୈଜାନ ସହ ସମସ୍ତ ବ୍ୟବସାୟ ବନ୍ଦ କରିବା ପାଇଁ ଏ ଅବସରରେ ଏକ ମିଳିତ ନିଷ୍ପତି ନିଆଯାଇଛି । ବିଜେପି ଏପି ତଥା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ବୈଠକ ପରେ କହିଛନ୍ତି ଯେ, ଉଭୟ ଦେଶ ସହ ବ୍ୟବସାୟ ବନ୍ଦ କରିବାର କାରଣ ସ୍ପଷ୍ଟ । ଭାରତ ବିରୋଧରେ ଯାଇ ଉଭୟ ରାଷ୍ଟ୍ର ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ ଦେଇଛନ୍ତି । ତୁର୍କୀ ଏବଂ ଅଜରବୈଜାନ ସହ କୌଣସି ପ୍ରକାର ଆମଦାନି ଏବଂ ରପ୍ତାନୀ ହେବ ନାହିଁ । ତତ୍କାଳ ଭବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ।
ଖଣ୍ଡେଲୱାର ଆହୁରି କହିଛନ୍ତି ଯେ , ତୁର୍କୀ ଏବଂ ଅଜରବୈଜାନରେ ବିଜ୍ଞାପନ ଏବଂ ଫିଲ୍ମ ସୁଟିଂ ନ କରିବା ପାଇଁ ଭାରତୀୟ କମ୍ପାନିଗୁଡିକୁ ଆହ୍ୱାନ ଦିଆଯାଇଛି । ଉଭୟ ରାଷ୍ଟ୍ରରେ ଚଳଚ୍ଚିତ୍ର ଶିଳ୍ପକୁ ଅନୁରୋଧ କରାଯାଇଛି । ସିଏଆଇଟି ମହାସଚିବ ଆହୁରି କହିଛନ୍ତି ଯେ, ଅନେକ କମ୍ପାନୀ ନିଜ ନିଜର ପ୍ରଡକ୍ଟ ପାଇଁ ତୁର୍କୀ ଏବଂ ଅଜରବୈଜାନରେ ସୁଟିଂ କରିଥାନ୍ତି । ଏବେ କୌଣସି କମ୍ପାନୀ ଏହା କରୁଥିବା ଜଣାପଡିଲେ ଉକ୍ତ କମ୍ପାନୀକୁ ବୟକଟ କରାଯିବ । ୮ କୋଟି ବ୍ୟବସାୟୀ ଏବଂ ୪୦,୦୦୦ ବ୍ୟବସାୟ ସଂଘର ପ୍ରତିନିଧିତ୍ୱ କରୁଥିବା ସିଏଆଇଟି ପ୍ରକାଶ କରିଛି ଯେ, ଉଭୟ ଦେଶକୁ ତତ୍କାଳ ଭିତିରେ ବୟକଟ କରାଗଲା । ଫଳ ଏବଂ ପନିପରିବା କ୍ଷେତ୍ରରେ ଏସିଆର ସର୍ବବୃହତ ପାଇକାରୀ ବଜାର ଭାବେ ଜଣା ଦିଲ୍ଲୀର ଆଜାଦପୁର ମଣ୍ଡି ଘୋଷଣା କରିଛି ଯେ, ଏହା ତୁର୍କୀ ସେଓ ଆମଦାନି ବନ୍ଦ କରିବ । ଆଜାଦପୁର ଫଳ ମଣ୍ଡିର ଅଧ୍ୟକ୍ଷ ମିଠା ରାମ କ୍ରିପ୍ଲାନି କହିଛନ୍ତି ଯେ, ବର୍ଷ ବର୍ଷ ଧରି ଆମେ ତୁର୍କୀକୁ ସହଯୋଗ କରିଆସୁଛୁ । କିନ୍ତୁ ବର୍ତ୍ତମାନ ସ୍ଥିତି ଏହାକୁ ଜାରି ରଖିପାରିବୁ ନାହିଁ ।
ଗତ ବର୍ଷ ତୁର୍କୀରୁ ଆସିଥିଲା ୧୧.୭୬ଲକ୍ଷ ଟନ ସେଓ, ଯାହାର ମୂଲ୍ୟ ୧୦୦୦ କୋଟି ଟଙ୍କାରୁ ଅଧିକ । ସମ୍ପତ୍ତି ଦେଶରେ ତୁର୍କୀ ସାମଗ୍ରୀକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଉଛି । ଭାରତକୁ ୭୦% ମାର୍ବଲ ତୁର୍କୀରୁ ଆସିଥାଏ । ଏବେ ଏ କ୍ଷେତ୍ରରେ ପଡିଛି ପୂର୍ଣ୍ଣଚ୍ଛେଦ । ପୂର୍ବରୁ ବ୍ୟବସାୟୀମାନେ ତୁର୍କୀରୁ ସେଓ ଏବଂ ମାର୍ବଲ ନ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବେ ସବୁ କାରବାର ବନ୍ଦ କରିବାକୁ ନିଷ୍ପତ୍ତିି ହୋଇଛି । ତୁର୍କୀ ବଦଳରେ ଗ୍ରୀସ୍ ଏବଂ ଇଜିପ୍ଟ ଭ୍ରମଣ କରିବାକୁ ଭାରତୀୟଙ୍କୁ ଆହ୍ୱାନ ଦିଆଯାଉଛି । ୨୦୨୪-୨୫ ଏପ୍ରଲରୁ ଫେବୃଆରୀ ମଧ୍ୟରେ ଭାରତରୁ ତୁର୍କୀକୁ ଯାଇଥିଲା ୫.୨ ବିଲିୟନ ଡଲାରର ସାମଗ୍ରୀ । ସମାନ ସମୟରେ ସେଠାରୁ ଆସିଥିଲା ମାତ୍ର ୨.୮୪ ବିଲିୟନ ଡଲାର ସାମଗ୍ରୀ । ଭାରତ ତୁର୍କୀକୁ ପଠାଇଥାଏ ଖଣିଜ ଇନ୍ଧନ, ଅଟୋ ଯନ୍ତ୍ରାଂଶ, ମେସିନେରୀ ଔଷଧ ଏବଂ କପା , ତୁର୍କୀରୁ ଆସିଥାଏ ଖଣିଜ ତୈଳ, ସୁନା, ମାର୍ବଲ, ସେଓ, ପନିପରିବା, ସିମେଟ୍ ଏବଂ କେମିକାଲ ଭାରତର ଅନ୍ୟତମ ବୃହତ ସେଓ ଯୋଗାଣକାରୀ ହେଉଛି ତୁର୍କୀ । ବଡ ମାତ୍ରାରେ ଭାରତୀୟ ପର୍ଯ୍ୟଟକ ତୁର୍କୀ ଏବଂ ଅଜରବୈଜାନ ଯାଇଥାନ୍ତି । ଏବେ ଉଭୟ ରାଷ୍ଟ୍ରକୁ ଟ୍ରାଭେଲ୍ ବୁକିଂ ବାତିଲ କରୁଛନ୍ତି ଭାରତୀୟ । ସବୁ ଦିଗରୁ ଉଭୟ ଅର୍ଥନୀତିକୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି ।