ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ । ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତ ସାବ୍ୟସ୍ତ କରୁଛନ୍ତି ଜନତା । ଆସାମ୍ର ୧୨୬ ଆସନ, କେରଳର ୧୪୦ ଆସନ ଏବଂ ପୁଡୁଚେରୀର ୩୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଫଳାଫଳ ଆସନ୍ତା ୪ ତାରିଖରେ ଆସିବ । ଆସାମ, କେରଳ ଓ ପୁଡୁଚେରୀରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୬ କୋଟି ଭୋଟର ।
ଆସାମରେ ହମନ୍ତ ବିଶ୍ୱଶର୍ମା ଓ ଗୌରବ ଗୋଗେଇଙ୍କ ମଧ୍ୟରେ ମୁକାବିଲା ହେବ । ସେହିପରି କେରଳରେ ଏଲଡିଏଫ ଓ ୟୁଡିଏଫ ମଧ୍ୟ ସିଧା ସଳଖ ଟକ୍କର ହେବ । ଆଉ ପୁଡୁଚେରୀରେ ଏନଡିଏ-ୟୁପିଏ ମଧ୍ୟରେ ଲଢ଼େଇ ହେବ । ଆସାମରେ ୭୨୨ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି, କେରଳର ସର୍ବାଧିକ ୮୬୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ପୁଡୁଚେରୀରେ ୨୯୪ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ ।
ଆସାମରେ ବିଜେପି ଲଗାତାର ତୃତୀୟ ଥର ପାଇଁ ଏହାର ଏନଡିଏ ମେଣ୍ଟ ସହଯୋଗୀମାନଙ୍କ ସହ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷେ କଂଗ୍ରେସ ଆସାମରେ ରାଜ୍ୟ ସଭାପତି ଗୌରବ ଗୋଗଇଙ୍କ ଅଧୀନରେ ଏକ ରାଜନୈତିକ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଛି। ସେହିପରି କେରଳରେ ସିପିଏମ୍ ଦଳର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଏଲ୍ ଡିଏଫ୍ ପାଇଁ କ୍ଷମତା ବଜାୟ ରଖିବାକୁ ସବୁ ଉଦ୍ୟମ ଲଗାଇ ଦେଇଛନ୍ତି। ପୁଡ଼ୁଚେରୀରେ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗସ୍ବାମୀ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚେଷ୍ଟା ଚଳାଇବା ସହ ଏନ୍ଡିଏ ଏଠାରେ କ୍ଷମତା ହାତେଇବାକୁ ଚାହିଛି। ମେ’ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ।
