Before Header

ବଲାଙ୍ଗୀରରେ ଘୋର ଜଳ ସଙ୍କଟ

0 36

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲାରେ ଏବେ ଘୋର ଜଳ ସଙ୍କଟ । କେଉଁଠି ପାଣି ଟାଙ୍କି କାମରେ ଆସୁନି ତ ଆଉ କେଉଁଠି ନଳକୂପରୁ ପାଣି ଧୀରେ ଧୀରେ ବାହାରୁଛି । ପାଣି ମୁନ୍ଦାଏ ପାଇଁ ଲୋକେ ଡହଲ ବିକଳ । ଏହାରି ଭିତରେ ଜିଲ୍ଲାରେ ମେଗା ଜଳ ପ୍ରକଳ୍ପ ପାଇଁ ୫୦୫ କୋଟି ଟଙ୍କା ଅନୁମୋଦନ ହୋଇଥିବା ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ତେବେ ସେଥିମଧ୍ୟରୁ ଜଳ ଜୀବନ ମିଶନ ଯୋଜନାରେ ୩୦୦ କୋଟି ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ମୁକେଶ୍ ମହାଲିଙ୍ଗ । ସେପଟେ ରାଜ୍ୟରେ ସ୍ଥିର ସରକାର ସତ୍ତ୍ୱେ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ବିଫଳ ବୋଲି କହିଛନ୍ତି ନରସିଂହ ମିଶ୍ର ଓ ହେଲେ ମେଗା ଜଳ ପ୍ରକଳ୍ପ ମଞ୍ଜୁର କଥାକୁ ସେ ନିର୍ବାଚନୀ ଜୁମଲା ବୋଲି କହିଛନ୍ତି ।

ବଲାଙ୍ଗୀରରେ ପିଇବା ପାଣି ନେଇ ତେଜୁଛି ରାଜନୀତି । ମୌଳିକ ସୁବିଧା ପାନୀୟ ଜଳ ଯୋଗାଇବା ପରିବର୍ତ୍ତେ ମାଇଲେଜ ନେବାକୁ ଚାଲିଛି ପ୍ରତିଯୋଗୀତା । ନିକଟରେ ବଲାଙ୍ଗୀର ଜିଲ୍ଲା ପାଇଁ ୫୦୫ କୋଟିର ମେଗା ଜଳ ପ୍ରକଳ୍ପ ଅନୁମୋଦନ ପରେ ତରବରିଆ ଭାବେ ପ୍ରେସ ମିଟ୍ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଜିଲ୍ଲାର ପାଞ୍ଚଟି ବ୍ଲକର ଶତାଧିକ ଗାଁର ଲୋକେ ଏହାର ସଫଳ ପାଇବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ଟୁକୁନି ସାହୁ । ଅନ୍ୟପଟେ ସମସ୍ତ ଘରକୁ ଯେମିତି ପାନୀୟ ଜଳ ବ୍ୟବସ୍ଥା କରାଯିବ ସେନେଇ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଯୋଜନା ଆରମ୍ଭ ହୋଇଛି । ଏବଂ ବଲାଙ୍ଗୀର ପାଇଁ ଅନୁମୋଦନ ହୋଇଥିବା ୫୦୫ କୋଟି ମଧ୍ୟରୁ ୩୦୦ କୋଟି ଟଙ୍କା ଜଳ ଜୀବନ ମିଶନ ଯୋଜନାରେ ଆସିଥିବାରୁ ପିଏମ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ସେପଟେ ରାଜ୍ୟରେ ସ୍ଥିର ସରକାର ସତ୍ତ୍ଵେ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ମୁଖ୍ୟମନ୍ତ୍ରୀ ବିଫଳ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର । ଏପରିକି ଯେଉଁଠି ବି ମେଗା ପ୍ରକଳ୍ପ ହୋଇଛି ପିଇବା ପାଣି ଯୋଗାଇବା ପାଇଁ ବହୁତ ସମୟ ନେଇଥିବା ସେ କହିଛନ୍ତି । ଏବେ ଗାଁକୁ ଗାଁ ଚାଲିଥିବା ପ୍ରକଳ୍ପକୁ ତ୍ୱରାନ୍ୱିତ କରିଥିଲେ ଲୋକେ ଶୀଘ୍ର ପାଣି ପାଇଥାନ୍ତେ ବୋଲି ନରସିଂହ ମିଶ୍ର କହିଛନ୍ତି । ହେଲେ ଏ ମେଗା ପ୍ରକଳ୍ପ ଅନୁମୋଦନ ଆଉ ଏକ ନିର୍ବାଚନୀ ଜୁମଲା ବୋଲି ସେ କହିଛନ୍ତି ।

ସେପଟେ ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଥିବା କଥାକୁ ମାନିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଉତ୍କଟ ଜଳ ସମସ୍ୟା ନେଇ ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ସରଗରମ ଆଲୋଚନା ହୋଉଥିଲା । ଜିଲ୍ଲାରେ ଘୋର ଜଳ ସମସ୍ୟା ଥିବା ସତ୍ତ୍ଵେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦିଆଯାଇଥିବାରୁ ଅସନ୍ତୋଷ ହୋଇ ବୈଠକରୁ ଉଠି ଯାଇଥିଲେ ନରସିଂହ ମିଶ୍ର । ସେପଟେ ଜିଲ୍ଲାପାଳ କହିଛନ୍ତି କିଛି ତ୍ରୁଟି ଯୋଗୁ ପାନୀୟ ଜଳ ସମସ୍ୟା ଦେଖା ଦେଉଛି । ହେଲେ ଜିଲ୍ଲାରେ ୧୬୦୦ ରୁ ୨୦୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଜିଲ୍ଲାରେ ସେମିତି ଆଉ ପିଇବା ପାଣି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.