କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ପୁଣି କେନ୍ଦୁଝର ଜିଲ୍ଲାରେ ଡି.ଏମ୍.ଏଫ୍ ଅନୁଦାନ ବ୍ୟୟରେ ବ୍ୟାପକ ଅନିୟମିତତା ହୋଇଥିବା ପଦାକୁ ଆସିଛି । ଗ୍ରାମ୍ୟ ଉଦ୍ୟାନ ନାମରେ ଡିଏମ୍ଏଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଠାରେ ଗଛ ବଦଳରେ ଅଛି ଖରିବଣ ଓ ପଡିଆ । ସବୁଠାରୁ ବଡ଼କଥା କାମ ସାରିବାକୁ ଆଗୁଆ ଆର୍ଥିକ ବର୍ଷରୁ ପଇସା ଦିଆଯାଇଛି । ହେଲେ ଆଜିବି ଅଧପନ୍ତରିଆ ହୋଇ ପଡ଼ିଛି କାମ । ଉଦାହରଣ ସ୍ୱରୁପ ଠିକାଦାର ମାଧ୍ୟମରେ କେନ୍ଦୁଝର ସଦର ବ୍ଲକ୍ରେ ୧୦ଟି ଗ୍ରାମ୍ୟ ଉଦ୍ୟାନ କରଯାଇଥିବା ଜଣାପଡିଛି । ଏହାକୁ ନେଇ ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଭୂମିକାକୁ ସନ୍ଦେହ ଘେରରେ ଦେଖିବା ସହ ଭିଜିଲାନ୍ସ ତଦନ୍ତ ଦାବିକରିଲେ ଲୋକ ପ୍ରତିନିଧି ।

କେନ୍ଦୁଝର ଜିଲ୍ଲା ଡିଏମ୍ଏଫ୍ ଅର୍ଥ ଖର୍ଚ୍ଚ ପାଇଁ ‘ଇ ଆଣ୍ଡ ୱାଇ’ ନାମକ ଏକ ସଂସ୍ଥା ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛି। ଉକ୍ତ ସଂସ୍ଥାର ପରାମର୍ଶ ଅନୁସାରେ ଡିଏମ୍ଏଫ୍ର ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରୀ ହୋଇଥାଏ। ବିଭିନ୍ନ ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ପ୍ରକଳ୍ପକୁ ଡିଏମ୍ଏଫ୍ ଟ୍ରଷ୍ଟବୋର୍ଡ ଅନୁମୋଦନ କରିଥିଲା। ଏନେଇ କେନ୍ଦୁଝର ସଦର ବ୍ଲକରେ ୨୦୨୨ – ୨୦୨୩ ଓ ୨୦୨୩-୨୦୨୪ ରେ ୧୦ଟି ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ହୋଇଛି। ଏହାର ମୂଳଲକ୍ଷ୍ୟ ଥିଲା ପ୍ରଦୂଷଣ ନିୟନ୍ତ୍ରଣ କରିବା । ଯେଉଁଥିପାଇଁ ଆଗୁଆ ୨୦୨୪- ୨୫ ଆର୍ଥିକ ବର୍ଷର ପଇସା ମଧ୍ୟ ଦିଆଯାଇଛି । କିନ୍ତୁ ବାସ୍ତବ କଥା ହେଉଛି, ଦେଢ଼କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ନାମରେ ଠିକାଦାର ଙ୍କ ମାଧ୍ୟମ ରେ ଚଳୁ କରାଯାଇଛି ଉଦ୍ଦିଷ୍ଟ ଥିବା ବ୍ୟୟ ବରାଦ ଅର୍ଥ । ଏ ନେଇ ଆମେ ଏକାଧିକ ଗ୍ରାମ୍ୟ ଉଦ୍ୟାନର ସରଜମିନ ଅନୁସନ୍ଧାନ କରିଥିଲୁ । ଦେଖିବାକୁ ମିଳିଲା, ବାୟୁ ପ୍ରଦୂଷଣ ରୋକିବା ପାଇଁ ନିର୍ମାଣ ହୋଇଥିବା ଗ୍ରାମ୍ୟ ଉଦ୍ୟାନରେ ଗଛ ଟିଏ ନାହିଁ। ଗୋପୀନାଥପୁର ପଞ୍ଚାୟତରେ ହୋଇଥିବା ଗ୍ରାମ୍ୟ ଉଦ୍ୟାନ ଖରିବଣ ପାଲଟିଛି। ଏଠାରେ ପାଦ ପକାଇବାକୁ ସ୍ଥାନ ନାହିଁ। ଗାଁଠାରୁ ୩ କିଲୋମିଟର ଦୂରରେ ଏକ ନିଛାଟିଆ ସ୍ଥାନରେ ଗ୍ରାମ୍ୟ ଉଦ୍ୟାନ ନିର୍ମାଣ କରାଯାଇଛି। ଯାହା ପଞ୍ଚାୟତବାସୀଙ୍କ କୌଣସି କାମରେ ଲାଗୁନାହିଁ। ଏଠାରେ ପାଣି ଓ ବିଜୁଳି ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ୍ୟ ଉଦ୍ୟାନ ପାଇଁ ଦୁଇଟି କିସ୍ତି ରେ ୨୨ଲକ୍ଷ ୨ ହଜାର ୯୧୯ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଫଳକରେ ୧୮ ଲକ୍ଷ ୩୪ ହଜାର ୮୦ ଟଙ୍କା ଦର୍ଶାଯାଇଛି । ସେହିପରି ଟିକରପଡ଼ା ଗ୍ରାମ୍ୟ ଉଦ୍ୟାନଟି ଗ୍ରାମଠାରୁ ବହୁ ଦୂରରେ ଅବସ୍ଥିତ ଯେଉଁଠି କୁ ଗ୍ରାମବାସୀ ଙ୍କ ବାସୀଙ୍କ ଯାତାୟାତ ମଧ୍ୟ ନାହିଁ।

ଏହି ପ୍ରକଳ୍ପର ବ୍ୟୟ ଅଟ୍ଟକଳ ଥିଲା ୨୧ ଲକ୍ଷ ୮୨ ହଜାର ୫୫୫ ଟଙ୍କା। ଖାଲି ସେତିକି ନୁହେଁ, ଏହି ଗୋଟିଏ ସ୍ଥାନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମଧ୍ୟ ରୁରାଲ ପାର୍କ ନାମରେ ୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ଆଶ୍ଚର୍ୟ୍ୟର କଥା ଏବେ ତାହା ଗୋରୁଗାଈଙ୍କ ଚାରଣଭୂମିରେ ପରିଣତ ହାଇଛି। ଏହି ଗ୍ରାମ ଉଦ୍ୟାନ ସଂପୂର୍ଣ୍ଣ ପଡ଼ିଆ । ସେହିପରି ବୋଦାପଳସା ଗ୍ରାମ୍ୟ ଉଦ୍ୟାନ ପାଇଁ ୧୮ ଲକ୍ଷ ୩୨ ହଜାର ୪୩୮ ଟଙ୍କା ଖର୍ଚ୍ଚ ହୋଇଛି ହେଲେ ଏ ସବୁ କୌଣସି କାମରେ ଲାଗୁ ନାହି । ସବୁଠାରୁ ବଡ କଥା ଏ ସବୁ ପାଇଁ ଡି ଏମ୍ ଏଫ ରୁ ଆଗୁଆ ଅର୍ଥ ପ୍ରଦାନ କରାଯାଇଛି । ଏଭଳି ୧୦ଟି ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ପାଇଁ ଡିଏମ୍ଏଫ୍ରୁ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାଦ୍ଵାରା କେବଳ ଅର୍ଥଶ୍ରାଦ୍ଧ କରାଯାଇଛି ଠିକାଦାରଙ୍କ ମାଧ୍ୟମରେ ଏ ନେଇ ସଦର ବ୍ଳକ ବୋଦାପଳସା ସରପଞ୍ଚ ଓ ମଣ୍ଡୁଆ ପଞ୍ଚାୟତ ( ଟିକରଗୁମୁରା ) ସମିତି ସଭ୍ୟ କିଛି ଜାଣି ନ ଥିବା , ଓ ତାଙ୍କୁ ଏ ବିଷୟରେ ପଚରାନଯିବାକୁ ନେଇ ସେମାନେ କହିଥିବା ବେଳେ ବର୍ତ୍ତମାନର ଜିଲ୍ଲାପାଳ ଏହା ଜାଣିବା ପରେ ବାକି ଥିବା ଏହି କାମକୁ ବନ୍ଦ କରିବା ସହ ଏହାର ତଦନ୍ତ ହେବ ବୋଲି କହିଛନ୍ତି । ଅନ୍ୟପଟେ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଯୋଗାଯୋଗ ହୋଇ ପାରିନାହିଁ ।

Leave a Reply

Your email address will not be published. Required fields are marked *