ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଦଳିଗଲା ପାଗର ମିଜାଜ୍। ଉତ୍ତରରୁ ଉପକୂଳ ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ। କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁରକୁ ୟେଲୋ ଓ ପ୍ରବଳ ବର୍ଷା ନେଇ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ। ଭୁବନେଶ୍ବରରେ ସକାଳୁ ସକାଳୁ ବର୍ଷିଲା। ଦୁଇ ଘଣ୍ଟା ମଧ୍ୟରେ ଏକାଧିକ ସ୍ଥାନରେ ବର୍ଷା ସମ୍ଭାବନା। ସତର୍କ ସୂଚନା ଜାରି କଲା ଭୁବନେଶ୍ବର ପାଣିପାଗ ବିଭାଗ। ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଓ ନୟାଗଡ଼ରେ ଅଧିକ ବର୍ଷା ହୋଇପାରେ । ୧୫ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭାରି ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ ।
