ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାରେ ପ୍ରବଳକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଝାରସୁଗୁଡା, ସମ୍ବଲପୁର, ଦେବଗଡ, ନୂଆପଡ଼ା, କଳାହାଣ୍ଡିକୁ ୱାର୍ଣ୍ଣିଂ ଦିଆଯାଇଛି। ବଲାଙ୍ଗୀର, ସୋନପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ପୁରୀ, ଭଦ୍ରକ ଓ ଯାଜପୁର ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ମଙ୍ଗଳବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି । ସେପଟେ ଅଗଷ୍ଟ ଶେଷ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ଲଘୁଚାପର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷାର ପରିମାଣ । ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଆଗକୁ ପୁଣି ବନ୍ୟା ଓ ଜଳବନ୍ଦୀ ଭଳି ସ୍ଥିତି ଉପୁଜିବା ନେଇ ଚିନ୍ତା ବଢ଼ିଛି ।
