ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଟିଆ ସହିତ କେତେ ଆଉ ଆମେ ଛଳନା କରିବା । ସରକାର ପରେ ସରକାର ଆସୁଛନ୍ତି ଆଉ ଯାଉଛନ୍ତି । ହେଲେ କେହିବି କୋଟିଆବାସୀଙ୍କୁ ପରିଚୟ ଦେବାରେ ସକ୍ଷମ ହୋଇପାରିନାହାନ୍ତି । ଦେଶ ସ୍ୱାଧୀନ ହେବା ପରେ ବି ଆଜି ଭୂଖଣ୍ଡ ପାଇଁ ବିବାଦୀୟ ହୋଇରହିଛି କୋଟିଆ । ସେଠାକାର ଜନତାଙ୍କୁ ନା ମିଳୁଛି ସଠିକ ପରିଚୟ ନା ମିଳୁଛି ତାଙ୍କୁ ତାଙ୍କର ପ୍ରମାଣ ପତ୍ର । ବିବାଦ ପାଇଁ ଦୁଇ ରାଜ୍ୟର ସିନା ସୁବିଧା ସହଯୋଗ ମିଳିଯାଉଛି । ହେଲେ ତାଙ୍କୁ ତାଙ୍କର ହକ୍ ଆଜିବି ମିଳିପାରିନାହିଁ । ଯାହା ପାଇଁ ଶିକ୍ଷାଠାରୁ ଆରମ୍ଭ କରି ନିଯୁକ୍ତି ପାଇବାରେ ପିଡା ଭୋଗିଆସୁଛନ୍ତି ସେଠାକାର ଅଧିବାସୀ । ଯିଏ ଆସିଲା ଆଉ ଯିଏ ପାରିଲା ଯେଉଁ ପ୍ରକାରର ଯନ୍ତ୍ରଣା ଦେଇଚାଲିଲା । ସେମାନେ ପ୍ରକୃତରେ କାହାକୁ ଗୁହାରୀ କରିବେ ଆଜିବି ଜାଣିନାହାନ୍ତି । ଦେଶ ସିନା ଜାଣିଛନ୍ତି ଭାରତ ହେଲେ ତାଙ୍କର ପ୍ରକୃତ ରାଜ୍ୟ କେଉଁଟା ଆଜି ବି ସେମାନେ ଜାଣିପାରୁନାହାନ୍ତି । ନା ହେଉଛି ତାଙ୍କ ଗ୍ରାମପୁଞ୍ଜର ସର୍ଭେ, ନା ତାଙ୍କୁ କୌଣସି ରାଜ୍ୟର ମାନଚିତ୍ରରେ ମିଳୁଛି ସ୍ଥାନ । ହେଲେ ତାଙ୍କ କୋଟିଆକୁ ନେଇ ଚାଲିଛି ଜୋରଦାର ରାଜନୀତି ।
ଯେତେବେଳେ ଗୋଟିଏ ରାଜ୍ୟ କୋଟିଆରେ କିଛି କରିବା ପାଇଁ ଉଦ୍ୟମ ଆରମ୍ଭ କରେ ସେତେବେଳେ ଥମିପଡିଥିବା ରାଜନୀତି ନିଆଁ ପୁଣି କୁହୁଳି ଉଠେ । କିନ୍ତୁ କାହିଁକି ଆଉ କେତେଦିନ ଏମିତି ହୋଇଚାଲିବ? କଣ ଏହାର ସମାଧାନ କିଛି ନାହିଁ? କାହିଁକି ନା ଏହି ବିବାଦ ୧ଏପ୍ରିଲ ୧୯୩୬ ବା ଇଂରେଜ ଆମଳରୁ ଲାଗିରହିଛି । ୧୯୪୨ରୁ ଏହି ଜମି ବିବାଦ ଆହୁରି ଉଗ୍ର ରୂପ ଧାରଣ କରିଥିଲା । ହେଲେ ୨୦୨୧ରେ ଆନ୍ଧ୍ର ପକ୍ଷରୁ କୋଟିଆରେ ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନେକ ଘଟଣାବଳୀ ଘଟିବା ପରେ ଦେଶର ସବୋର୍ଚ୍ଚ ଅଦାଲତ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏମିତିକି ଲମ୍ବା ସମୟ ଧରି ୨୦୨୨ ଯାଏଁ ଶୁଣାଣି ହୋଇଥିଲା । ଏହି ଶୁଣାଣି ପ୍ରକ୍ରିୟା ଆଜି ଯାଏଁ ବି ଜାରି ରହିଛି । ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ମଧ୍ୟ ଓଡ଼ିଶା ରାଜ୍ୟକୁ ସର୍ଭେ କରାଇବା ପାଇଁ ଅଖଣ୍ଡ କ୍ଷମତା ମଧ୍ୟ ଦେଇଥିଲେ । ହେଲେ ତାହା ଆଜି ଯାଏଁ ବି ହୋଇପାରିନଥିବା ଜଣାପଡିଛି । କୋଟିଆର ୨୧ଟି ଗାଁ ନିଜର ପରିଚୟ ଆଜି ବି ପାଇ ପାରିନାହିଁ । ସେ ପ୍ରକୃତରେ କେଉଁ ରାଜ୍ୟର ଆଉ ତାକୁ କିଏ ଯୋଗାଇଦେବ ସୁବିଧା ସହଯୋଗ । ନା ସେହି ଗ୍ରାମ ଗୁଡିକର ହୋଇଛି ସର୍ଭେ ନା ସେହି ଗାଁରେ ବାସ କରୁଥିବା ଲୋକେ ସୁବିଧାର ସହ ସରକାରୀ ସୁବିଧା ପାଇ ପାରୁଛନ୍ତି । ବିବାଦୀୟ ୨୧ଟି ଗ୍ରାମ ମଧ୍ୟରେ ରହିଛି ଅର୍ଜୁବାଲସା, ଉପରସେମବି, କୋନାଦୋରା, କୋଟିଆ, ଗଞ୍ଜେଇପଦର, ଦୋଲିଆମ୍ଭୋ, ତଳସେମବି, ଧୁଲେଇପଦର, ତାଡିବାଲସା, ନେରେଡିବାଲସା, ପାନିକି, ଫଗୁଣଶିନେରି, ଫୁଟୁସିନେରି, ବରନାପାଡୁ, ମହିପାଣି, ମଡକର, ରଣସିଂ,ସଲପଗୁଡା,ସିଡିବାଲସା, ସିମାଗେଡା ଓ ହରମନଡାଙ୍ଗି ଗ୍ରାମ ଆଜି ତା ପରିଚୟ ପାଇବା ଅପେକ୍ଷାରେ ରହିଥିବା ବେଳେ ୯୭୯ଘରର ୪ହଜାର୪୪୩ ଜଣ ଲୋକ ନିଜର ପ୍ରାପ୍ୟ ଅପେକ୍ଷାରେ ଚାହିଁ ବସିଛନ୍ତି । କେଉଁ ସରକାର ତାଙ୍କୁ କେବେ ଅଧିକାର ଦେବ ତା ବାଟ ଚାହିଁ ବସି ରହିଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟରେ ଏହି ମାମଲା ଚାଲୁଥିଲେ ସୁଦ୍ଧା ଓଡ଼ିଶା ଚାହିଁଲେ ସର୍ଭେ କରି ପାରିବ । କାହିଁକି ଆଜି ଯାଏଁ ତାହା ହୋଇପାରୁନାହିଁ ତାହା ଆର୍ଶ୍ଚଯ୍ୟର ବିଷୟ ପାଲଟିଛି ।
ଓଡ଼ିଶାରେ ନୂଆ ସରକାର ଗଠନ ପରେ ରାଜ୍ୟ ସରକାର ‘ବିକଶିତ କୋଟିଆ’ କରିବା ପାଇଁ ଆରମ୍ଭ କରିଦେଇଥିଲେ ବ୍ଲୁ ପ୍ରିଣ୍ଟି । ସେଥିପାଇଁ ରାଜ୍ୟ ସରକାର ୨୯୦ କୋଟି ୪୪ଲକ୍ଷ ଟଙ୍କାର ଏକ ପ୍ୟାକେଜ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ ୨୦ଟି ବିଭାଗକୁ ମାଷ୍ଟର ପ୍ଲାନ୍ ମଧ୍ୟ ଦେଇଥିଲେ । ଏମିତିକି କୋଟିଆ ପାଇଁ ଓଏସଡି ତଥା ଅଫିସର ଅନ ସ୍ପେଶାଲ ଡିୟୁଟି ନିଯୁକ୍ତି କରିବା ପାଇଁ ଯୋଜନା କରିଥିଲେ । ହେଲେ ଏବେ ପୁଣି ଯେତେବେଳେ ଆନ୍ଧ୍ର ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ବିଗୁଲ ବଜାଇଲାଣି ସେତେବେଳେ ପୁଣି ସମସ୍ତଙ୍କ ନିଦ ଭାଙ୍ଗିବା ସହ ଧାଆଁ ଦଉଡ ଆରମ୍ଭ ହୋଇଛି । କିନ୍ତୁ ଆନ୍ଧ୍ରର ଏହି କାର୍ଯ୍ୟକ୍ରମ ଦେଖିଲେ ମନେ ହେଉଛି କି ରାଜ୍ୟ ସରକାର ଓଏସଡି ନିଯୁକ୍ତି ଦେଇଥିଲେ ତ? ଯଦି ଦେଇଥିଲେ ତେବେ ସେ କ’ଣ କରୁଥିଲେ? ଆନ୍ଧ୍ର ଆସି ଇଲେକ୍ସନ ପାଇଁ ପ୍ରକ୍ରିୟା କରିଦେଲେ କାହିଁକି ଜାଣିପାରିଲେ ନାହିଁ? ନା ସେଭଳି ଅଧିକାରୀ ନିଯୁକ୍ତି ହୋଇନାହାନ୍ତି? ଖାଲି ସେତିକି ନୁହେଁ ୨୯୦କୋଟି ପ୍ୟାକେଜର ସ୍ଥିତି କ’ଣ? କୋଟିଆ ପାଇଁ କେତେ କାର୍ଯ୍ୟକାରୀ ହୋଇଛି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । କାହିଁକି ନା ସୁପ୍ରିମକୋର୍ଟର ନିଦେ୍ର୍ଦଶ ଆମେ କେତେ ପାଳନ କରିଛେ ତାହାବି ଅସ୍ପଷ୍ଟ? ଶୁଣାଣି ପ୍ରକ୍ରିୟା ଆଜି ବି ସ୍ଥଗିତ ରହିଥିବା ବେଳେ ବି ଆମେ ପୁଣି କହୁଛେ ସୁପ୍ରିମକୋର୍ଟ ଯିବା? ଓଏସଡି ନିଯୁକ୍ତି ନେଇ କହିବା ପରେ ପୁଣି ବିବାଦ ପରେ କହୁଛେ ଦୁଇ ଅଫିସରଙ୍କୁ କୋଟିଆ ଜଗିବା ପାଇଁ ପ୍ରସ୍ତୁତ କରାଯାଉଛି । ଏଭଳି ଅନେକ କଥା ଆମେ ଏବେ କୋଟିଆ ପାଇଁ କହୁଛେ ତାହା ଠିକ୍ ଅଛି କିନ୍ତୁ ପୂର୍ବରୁ ଯାହା ଯାହା ଆମ ଉପରେ ଦାୟିତ୍ୱ ନ୍ୟସ୍ତ ଥିଲା ତାହା ଓଡ଼ିଶାବାସୀଙ୍କ ଆଗରରେ ସ୍ପଷ୍ଟ କରିବାର ସମୟ ଆସିଛି । ଖାଲି ଏତିକି ନୁହେଁ କୋଟିଆ ପାଇଁ ମଧ୍ୟ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ । ଆଉ ସେହି କମିଟିର ସ୍ଥିତି ଓ ମତାମତ ସାମ୍ନାକୁ ଆସିବା ନେଇ ଚାରିଆଡୁ ଦାବୀ ହେଲାଣି ।ଏଥିପାଇଁ ସରକାର ୨୦ବିଭାଗକୁ ଦାୟିତ୍ୱ ପ୍ରଦାନ କରି ମାଷ୍ଟର ପ୍ଲାନ ହସ୍ତାନ୍ତର କରିଛନ୍ତି ।
ଓଏସଡି କଣ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ପାରିଲେନି । ଆନ୍ଧ୍ର ଆସି ନିର୍ବାଚନ ବିଜ୍ଞପ୍ତି ମାରି ଚାଲିଗଲା । ନା ଆଜି ଯାଏଁ ଓଏସଡି କୋଟିଆ ପାଇଁ ନିଯୁକ୍ତି ହୋଇନାହାନ୍ତି । ସେପଟେ ନିର୍ବାଚନକୁ ନେଇ ବିବାଦ ପରେ ଏବେ ପୁଣି ଦୁଇ ଅଫିସର କୋଟିଆକୁ ଜଗିବେ ବୋଲି କହିଲେଣି ଜିଲ୍ଲା ପ୍ରଶାସନ ଓ ସରକାର । ପୁନଃବାର ସୁପ୍ରିମକୋର୍ଟ ଯିବାକୁ ହେଲେଣି ସଜବାଜ । ହେଲେ ସବୋର୍ଚ୍ଚ ନ୍ୟାୟାଳୟ ଦେଇଥିବା ମାର୍ଗକୁ ବି ଆମେ ପାଳନ ଆଜି ଯାଏଁ କରିପାରିନାହେଁ । ମାପଚୁପ ହୋଇନଥିବା ଗାଁର ବି ମାପଚୁପ ଓଡ଼ିଶା କରିପାରିବ ବୋଲି ସୁପ୍ରିମକୋର୍ଟ କ୍ଷମତା ଦେଇଥିଲେ । କାହିଁକି ନା ଯେଉଁ ଗାଁ ଗୁଡିକରେ ନିର୍ବାଚନ କରିବାକୁ ଆନ୍ଧ୍ର ଏବେ ଆଗେଇ ଆସିଛି ସେହି ଅଞ୍ଚଳ କାହାର ବୋଲି ସ୍ପଷ୍ଟ ନାହିଁ । ଆଜି ଯାଏଁ ସେହି ଗାଁ ଗୁଡିକର ସର୍ଭେ ହୋଇନାହିଁ ।
