ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି । ୧୯୮୮ ହତ୍ୟା ମାମଲାର ଦୋଷୀଙ୍କ ବାକି ସଜା କ୍ଷମା କଲେ ସୁପ୍ରିମକୋର୍ଟ । ଜୀବନର ଶେଷ ପର୍ଯ୍ୟାୟରେ ମିଳିଲା ସ୍ୱାଧୀନତା । ସୂଚନା ଅନୁସାରେ, ୧୯୮୮ ମସିହାର ଏକ ହତ୍ୟା ମାମଲାରେ ୧୦୫ ବର୍ଷୀୟ ଦୋଷୀ ରସିକ ଚନ୍ଦ୍ର ମଣ୍ଡଳଙ୍କୁ ଚୂଡ଼ାନ୍ତ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଏବେ ସେ ଜଣେ ମୁକ୍ତ ବ୍ୟକ୍ତି ଭାବେ ଜୀବନ ବିତାଇପାରିବେ। ଆବେଦନକାରୀଙ୍କ ବୟସକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ମାମଲାଟିକୁ ଖାରଜ କରିବା ସହ ବାକି ଦଣ୍ଡ ଯଦି କିଛି ରହିଥାଏ, ତାହାକୁ ଛାଡ଼ କରିଛନ୍ତି।
୧୯୨୦ ମସିହାରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଜନ୍ମ ହୋଇଥିଲେ ରସିକ ଚନ୍ଦ୍ର ମଣ୍ଡଳ। ୧୯୯୪ ମସିହାରେ ୬୮ ବର୍ଷ ବୟସରେ ତାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାପରେ ସେ ଦୀର୍ଘ ସମୟ ଧରି କାରାଗାରରେ ଥିଲେ। ୨୯ ନଭେମ୍ବର ୨୦୨୪ରେ ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।
ଶୁକ୍ରବାର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ମଣ୍ଡଳଙ୍କ ଅତ୍ୟଧିକ ବୟସକୁ ବିଚାରକୁ ନେଇ ଖଣ୍ଡପୀଠ ତାଙ୍କ ବାକି ଦଣ୍ଡକୁ ଛାଡ଼ କରିବା ସହ ମାମଲାର ଅନ୍ତ ଘୋଷଣା କରିଛନ୍ତି।
ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି ଯେ ଆଜୀବନ କାରାଦଣ୍ଡର ଅବଧି ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ରସିକ ଚନ୍ଦ୍ର ମଣ୍ଡଳଙ୍କୁ ଆଉ ହେପାଜତକୁ ନିଆଯିବ ନାହିଁ। ଏଥିସହ ୨୦୨୪ରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶକୁ ସମ୍ପୂର୍ଣ୍ଣ ଏବଂ ଚୂଡ଼ାନ୍ତ କରିଦିଆଯାଇଛି। ଦୀର୍ଘ ବର୍ଷର ଆଇନଗତ ପ୍ରକ୍ରିୟା ପରେ ୧୦୫ ବର୍ଷ ବୟସରେ ରସିକ ଚନ୍ଦ୍ର ମଣ୍ଡଳଙ୍କୁ ମିଳିଛି ମୁକ୍ତ ଜୀବନ ବିତାଇବାର ସୁଯୋଗ।
