ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାର ଓ ସାମଗ୍ରୀର ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖରେ ରତ୍ନଭଣ୍ଡାରରେ ଗଣତି କାର୍ୟ୍ୟ କରାଯିବ। ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀ ପାଳନକୁ ଦୃଷ୍ଟିରେ ରଖି ଏହି ଦୁଇ ଦିନ ଗଣତି ପାଇଁ ନିଷ୍ପତ୍ତି ନିଆଯାଇଛି।
ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ରତ୍ନ ଓ ଅଳଙ୍କାରର ଗଣତିମଣତି ନେଇ ସମସ୍ତ ପ୍ରସ୍ତୁତି କରାଯିବ। ପୂର୍ବରୁ ଯେଉଁଭଳି ନିୟମ ଓ ସତର୍କତାର ସହ ଏହି କାର୍ୟ୍ୟ କରାଯାଇଥିଲା, ସେହିଭଳି ଏଥର ମଧ୍ୟ ପ୍ରକ୍ରିୟା ଅନୁଷ୍ଠିତ ହେବ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ବା SOP ଅନୁଯାୟୀ ସମଗ୍ର ଗଣତି ପ୍ରକ୍ରିୟା ସମ୍ପନ୍ନ ହେବ।
ଗଣତି ସମୟରେ ରତ୍ନଭଣ୍ଡାରର ସୁରକ୍ଷା, ପବିତ୍ରତା ଓ ନିର୍ଦ୍ଧାରିତ ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବ। ଅର୍ଥାତ୍ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ରତ୍ନଭଣ୍ଡାର ଗଣତିମଣତି ଉପରେ ଏବେ ସମସ୍ତଙ୍କ ନଜର । ନିର୍ଦ୍ଧାରିତ ଦିନରେ ଶୃଙ୍ଖଳିତ ଭାବେ ଗଣତି କାର୍ୟ୍ୟ ସମ୍ପନ୍ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
