ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡର ହରିଦ୍ୱାର ଜିଲାର ମନସା ଦେବୀ ମନ୍ଦିରରେ ଦଳାଚକଟା ଘଟଣାର ଠିକ ପରଦିନ, ଶ୍ରାବଣ ମାସର ତୃତୀୟ ସୋମବାରରେ ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାରବାଙ୍କି ଜିଲ୍ଲାର ଅବସାନେଶ୍ୱର ମହାଦେବ ମନ୍ଦିରରେ ଦଳାଚକଟା । ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା । ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇ ମୃତକଙ୍କ ମଧ୍ୟରେ ଜଣେ ଲୋନିକାତ୍ରା ଥାନା ଅନ୍ତର୍ଗତ ମୁବାରକପୁର ଗାଁର ୨୨ ବର୍ଷୀୟ ପ୍ରଶାନ୍ତ ବୋଲି ଚିହ୍ନଟ କରାଯାଇଛି । ଶ୍ରାବଣ ମାସର ତୃତୀୟ ସୋମବାରରେ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ପୁଲିସ ପ୍ରଶାସନ ସୂଚନା ଦେଇଛି ।
ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସୂଚନା ଅନୁଯାୟୀ କିଛି ମାଙ୍କଡ଼ ଏକ ପୁରୁଣା ବିଦ୍ୟୁତ୍ ତାର ଉପରେ ଡେଇଁବାରୁ ତାହା ଛିଣ୍ଡି ଯାଇ ଟିଣ ସେଡ୍ ଉପରେ ପଡ଼ିଥିଲା, ଯେଉଁଠି ଭକ୍ତମାନେ ଏକତ୍ରିତ ହୋଇଥିଲେ । ଫଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଆତଙ୍କ ଖେଳିଯାଇଥିଲା ଏବଂ ଦଳାଚକଟା ଆରମ୍ଭ ହୋଇଥିଲା । ଆହତମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି । ସେପଟେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।