Before Header

“କ୍ଷମତାର କୋଳରୁ ଗଣମାଧ୍ୟମକୁ ବାହାର କରିବାର ଦାୟିତ୍ୱ ଗଣ ନିଅନ୍ତୁ”

0 568

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ଅଧିକାଂଶ ଗଣମାଧ୍ୟମ ସରକାରଙ୍କ କୋଳରେ ବସିଛନ୍ତି, କିନ୍ତୁ ସବୁ ଗଣମାଧ୍ୟମ ଯେ ନିଜର ଧର୍ମ ପାଳନ କରୁନାହାନ୍ତି ବୋଲି କହିବା ଭୁଲ ହେବ । ତେବେ ଗଣମାଧ୍ୟମର ଯେଉଁ ଅବକ୍ଷୟ ସାମ୍ନାକୁ ଆସୁଛି ଗଣମାଧ୍ୟମ ସଂସ୍ଥା, ଗଣମାଧ୍ୟମର ଲୋକଙ୍କ ସହ ସମ ପରିମାଣରେ ଗଣମାନେ ମଧ୍ୟ ଦାୟି । ଖରାପ ଖବରକୁ ପ୍ରତ୍ୟାଖାନ, ଭଲ ଖବରକୁ ଭଲ ପାଇବା ଦେଲେ ଆପେ ଗଣମାଧ୍ୟମ ଅଖବରକୁ ଛାଡ଼ି ଉଚିତ ଖବର ଦେଖାଇବାକୁ ବାଧ୍ୟ ହେବ । ଆଜିର ଦିନରେ ଗଣମାଧ୍ୟର ଯେଉଁଭଳି କ୍ଷମତାର ବଚସ୍କର ପାଲଟିଛି ପୂର୍ବରୁ କେବେ ବି ଏଭଳି ଦେଖିବାକୁ ମିଳି ନ ଥିଲା ବୋଲି ବଡ଼ ଖବର ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଭୁବନେଶ୍ୱର ମାସିକ ମନ୍ଥନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । କ୍ଷମତାର କୋଳରୁ ଗଣମାଧ୍ୟମକୁ ବାହାର କରିବାର ଦାୟିତ୍ୱ ଗଣଙ୍କୁ ନେବାକୁ ହେବ । ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମର ବିଶ୍ୱସନୀୟତା ସଙ୍କଟରେ । ଆଲୋଚନା, ସମାଲୋଚନା ଓ ବୌଦ୍ଧିକ ବିତର୍କ ନ ହେଲେ ସମସ୍ୟାର ସମାଧାନ ବାହାରେ ନାହିଁ । ତେଣୁ ଏଭଳି ଏକ କାର୍ଯ୍ୟକ୍ରମ ସମାଜ ଗଠନରେ ଆବଶ୍ୟକ ଥିବା ମତ ପ୍ରକାଶ ପାଇଛି ।  ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ ଓ ସୂର୍ଯ୍ୟମଣି ମିଶ୍ରଙ୍କ ସଂଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ  ବରିଷ୍ଠ ସାମ୍ବାଦିକ ରବି ଦାସ, ସନ୍ଦୀପ ସାହୁ, ସତ୍ୟପ୍ରକାଶ ନାୟକ, କେଦାର ମିଶ୍ର ଓ ଦେବପ୍ରସାଦ ପରିଜା ଅଂଶଗ୍ରହଣ କରିଥିଲେ ।

 

ରବି ଦାସ କହିଥିଲେ, ଗଣମାଧ୍ୟମ କ’ଣ କରୁଛି ଯଦି ପଚରାଯାଏ ଉତ୍ତର ହେବ ଗଣମାଧ୍ୟମ କିଛି ବି କରୁନି । ନିରପେକ୍ଷତା ଓ ସାହସିକତା ବିନା ଗଣମାଧ୍ୟମ ଓ ଗଣତନ୍ତ୍ରର ଅସ୍ଥିତ୍ୱ ସଂକଟରେ ପଡ଼ିଛି । ଅତୀତରେ ଗଣମାଧ୍ୟମ ଅନେକ ଆହ୍ୱାନକୁ ସଫଳତାର ସହ ସାମ୍ନା କରିଛି । ଜରୁରୀକାଳୀନ ସ୍ଥିତି ହେଉ କିମ୍ବା ପ୍ରେସ ସ୍ୱାଧୀନତାକୁ ନଷ୍ଟ କରିବାକୁ ରାଜୀବ ଗାନ୍ଧିଙ୍କ ଉଦ୍ୟମ ସମୟରେ ଗଣମାଧ୍ୟମର ଭୂମିକା ସଂପର୍କରେ ସେ ଆଲୋକପାତ କରିଥିଲେ । ଆଜି ଉଭୟ ଦେଶ ଓ ରାଜ୍ୟରେ ମିଡିଆ ଠିକ୍ ବାଟରେ ଯାଉ ନ ଥିବା ସେ କ୍ଷୋଭ ପ୍ରକଟ କରିଥିଲେ । ଅନ୍ୟତମ ଆଲୋଚକ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ସନ୍ଦୀପ ସାହୁ କହିଲେ, ଗଣମାଧ୍ୟମ ସରକାରଙ୍କ ଉପରେ ତୀକ୍ଷ୍ମଦୃଷ୍ଟି ରଖିବା ବଦଳରେ ବିରୋଧୀ ଦଳକୁ ଟାର୍ଗେଟ କରୁଛି । ସରକାରଙ୍କ ଚକ୍ଷୁଶୂଳ ହେବା ପରିବର୍ତ୍ତେ ସାମ୍ବାଦିକମାନେ ପ୍ରିୟପାତ୍ର ହେବାକୁ ପ୍ରତିଯୋଗିତା କରୁଛନ୍ତି ।  ଖବର ଅଖବର ହୋଇଯାଉଛି । ଗୋଟିଏ ଗଣମାଧ୍ୟମ ଉପରେ ଆକ୍ରମଣ ହେଲେ ଅନ୍ୟମାନେ ଖୁସି ହେଉଛନ୍ତି । ଗଣମାଧ୍ୟମ ଲୋକସମ୍ପର୍କ କାମ କରୁଥିବାରୁ ବିଶ୍ୱସନୀୟତା ହରାଇବସିଛି । ଏହାର ନିକଟ ଭବିଷ୍ୟତରେ ପରିବର୍ତ୍ତନକୁ ନେଇ ସେ ଆଶାବାଦୀ ମଧ୍ୟ ହୋଇପାରିନାହାନ୍ତି । ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ କିଭଳି ଶାସନ ବ୍ୟବସ୍ଥା ଚାଲିଛି ଓ ଗଣମାଧ୍ୟମର କଣ୍ଠରୋଧ ହେଉଛି ତାହାର ଉଦାହରଣ ଦେଇଥିଲେ । ପୂର୍ବରୁ ଥିବା ସ୍ଥିତିରେ କିଭଳି ପରିବର୍ତ୍ତନ କରାଯାଉଛି ଓ ଏଥିରେ କାର୍ଯ୍ୟପାଳିକା ବଡ଼ ଚାଲାକିରେ ଏକଛତ୍ରବାଦ ଭୂମିକା ସୃଷ୍ଟି କରୁଛି ସେ ସଂପର୍କରେ ଚମତ୍କାର ଢଙ୍ଗରେ ବୁଝାଇ କହିଥିଲେ । ତେବେ ଏସବୁ ସତ୍ତ୍ୱେ ଅନେକ ଏସବୁକୁ ଖାତିର ନ କରି ଭଲ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି । ହେଲେ ଭଲ ଖବର ପ୍ରସାରଣରେ ଗଣଣାଧ୍ୟମକୁ ପ୍ରୋତ୍ସାହିତ କରିବାକୁ ଗଣ ଆଗେଇ ଆସିବା ଦରକାର ବୋଲି ସେ ମତ ରଖିଥିଲେ । ବରିଷ୍ଠ ସ୍ତମ୍ଭକାର ତଥା ରାଜନୀତି ସମୀକ୍ଷକ କେଦାର ମିଶ୍ର କହିଥିଲେ, ଆମେ କେହି ସମ୍ବାଦିକ ଭାବେ କାମ କରୁନୁ । ଜଣେ ନିରୁତା ସାମ୍ବାଦିକ ପରିଚୟ ନେଇ ବଞ୍ଚିବାକୁ ଚାହୁଁନୁ । ପୋଷା ଶୁଆ ନହେଲେ ବନ୍ଧା ହେବା ଥୟ । ସେ ଏଠାରେ ମଣିପୁର ଘଟଣାରେ ଗଣମାଧ୍ୟର ଭୂମିକା କଥା ଉଠାଇଥିଲେ । ଗଣମାଧ୍ୟମ ଏକ ବଡ଼ ବ୍ରାକେଟ୍ । ମଝିରେ ଅଛି ଏକଛତ୍ରବାଦ । ତେବେ ଏଭଳି ସ୍ଥିତିରେ ଯେଉଁ ସାମ୍ବାଦିକ ଜେଲ୍ ଭୋଗୁଛନ୍ତି ସେ ସମ୍ମାନ ପାଇବାର ହକଦାର ବୋଲି କହିଥିଲେ । ସ୍ତମ୍ଭକାର ତଥା ଲେଖକ ଦେବପ୍ରସାଦ ପରିଜା କହିଲେ, ଗଣମାଧ୍ୟମ କ’ଣ କରୁଛି ସାଧାରଣ ଲୋକେ ଦେଖୁଛନ୍ତି । ଯିଏ ପ୍ରଶ୍ନ କରୁଛି ତାକୁ ସଂକୀର୍ଣ୍ଣ ବୋଲି ଆଖ୍ୟା ଦିଆଯାଉଛି । ଭୟର ବାତାବରଣ ସୃଷ୍ଟି କରି ସରକାରଙ୍କ ତ୍ରୁଟି ଧରୁଥିବା ଗଣମାଧ୍ୟମର ମୁହଁ ବନ୍ଦ କରାଯାଉଥିବା ସେ କହିଥିଲେ । ଲୋକେ ଗଣମାଧ୍ୟମର ଉଚିତ ମୂଲ୍ୟ ଦେବାର ମାନସିକତା ରଖିଲେ ହୁଏତ ନିରପେକ୍ଷ ମିଡିଆ ସୃଷ୍ଟି ସମ୍ଭବ ହେବ ।

କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଆଲୋଚ୍ୟ ପ୍ରସଙ୍ଗକୁ ନେଇ ପ୍ରଥମେ ଅତିଥିମାନେ ମତ ରଖିଥିଲେ । ପରେ ଶ୍ରେତାମାନେ ଅତିଥିମାନଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ପ୍ରତି ମାସର ଶେଷ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଭୁବନେଶ୍ୱରରେ ମାସିକ ମନ୍ଥନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ‘ବଡ଼ ଖବର’ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.