ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଘାରିଲାଣି ପାଣି ଚିନ୍ତା । ବ୍ରାହ୍ମଣୀ ପାଣି ଉପରେ ଏବେ ସମସ୍ତଙ୍କ ନଜର । ୧୩ ଶିଳ୍ପ ଟାଣୁଛନ୍ତି ବ୍ରାହ୍ମଣୀ ପାଣି । ଏହା ବ୍ୟତିତ ବ୍ରାହ୍ମଣୀ ଉପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ ଚାଲିଥିବା ବେଳେ ନାଲ୍କୋ ତଳମୁଣ୍ଡରେ ପୁଣି ଗୋଟିଏ ବ୍ୟାରେଜ୍ କରିବାକୁ ପ୍ରସ୍ତାବ ଦେଲାଣି। ଉପର ମୁଣ୍ଡରେ ବ୍ରାହ୍ମଣୀ ପାଣିକୁ ଯେଉଁଭଳି ଭାବେ ଶୋଷଣ କରାଗଲାଣି ଏବଂ ଗୋଟିଏ ପରେ ଗୋଟିଏ ବ୍ୟାରେଜର ପରିକଳ୍ପନା ହେଲାଣି । ତଳମୁଣ୍ଡରେ ବ୍ରାହ୍ମଣୀର ଜଳସ୍ରୋତ ଆହୁରି କମିବ । ବ୍ରାହ୍ମଣୀ ଉପରେ ରେଙ୍ଗାଳିଠାରେ ନିର୍ମିତ ନଦୀବନ୍ଧ ନଦୀର ପ୍ରାୟ ଜଳରାଶିକୁ ଅଟକାଇଛି। କୃଷିଠାରୁ ଆରମ୍ଭ କରି ଶକ୍ତି ଏବଂ ବନ୍ୟା ପାଇଁ ବେଶ୍ ଉପକାରୀ ହୋଇଛି ଏହି ନଦୀବନ୍ଧ।
ରେଙ୍ଗାଳି ନଦୀବନ୍ଧର ଠିକ୍ ତଳକୁ ନିର୍ମିତ ସମଲ ବ୍ୟାରେଜ୍ ବ୍ରାହ୍ମଣୀ ପାଣିକୁ ଭାଗ ଭାଗ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ବ୍ୟାରେଜ୍ ପାଇଁ ବ୍ରାହ୍ମଣୀ ନଦୀର ପାଣି ଅନ୍ୟ ସ୍ଥାନ ଅପେକ୍ଷା ଏଠି ଅଧିକ। ସାରାବର୍ଷ ଏଠାରେ ଭରପୂର ପାଣି ରହୁଛି। ଶିଳ୍ପ ସଂସ୍ଥା ଗୁଡିକ ବଡ଼ ବଡ଼ ପାଇପ୍ ଦ୍ୱାରା ଏଠାରୁ ପାଣି ଟାଣୁଛନ୍ତି। ଏନ୍ଟିପିସି ଭଳି ତାପଜ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏହି ବ୍ୟାରେଜ୍ ଉପରେ ନିର୍ଭରଶୀଳ। ସେହିପରି ଛେଣ୍ଡିପଦାସ୍ଥିତ ଜିନ୍ଦଲ କାରଖାନା ବି ଏହି ବ୍ୟାରେଜ୍ ଉପରେ ନିର୍ଭର କରୁଛି। ଏହା ସହିତ ଜେଆଇଟିପିଏଲ୍ ଏବଂ ଓପିଟିସିଏଲ୍ ଭଳି ଅନୁଷ୍ଠାନ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏହାର ପାଣି ଉପରେ ନିର୍ଭରଶୀଳ। ଏହି ବୃହତ ଶିଳ୍ପସଂସ୍ଥା ବାଦ୍ ଏସିଆ ମହାଦେଶର ସର୍ବବୃହତ୍ ଆଲୁମିନିୟମ୍ କାରଖାନା ନାଲ୍କୋ ବ୍ରାହ୍ମଣୀରୁ ହିଁ ପାଣି ନେଉଛନ୍ତି।
ନାଲକୋ ସିପିପି ଏବଂ ସ୍ମେଲ୍ଟର ନାଁରେ ନାଲ୍କୋ ଦୁଇ ଦୁଇଟା କାରଖାନା ଚଳାଉଛି। ନାଲକୋ ପ୍ରତି ସେକେଣ୍ଡରେ ୪୭.୬୯୬ କ୍ୟୁବିକ୍ ଫୁଟ୍ ପାଣି ଉଠାଇବାକୁ ଅନୁମତି ନେଇଛି। ନାଲକୋ ପ୍ରତି ମାସରେ ହାରାହାରି ପ୍ରାୟ ୩୫ ଲକ୍ଷ କ୍ୟୁବିକ୍ ମିଟର ପାଣି ବ୍ରାହ୍ମଣୀରୁ ଟାଣୁଛି। ସେହିପରି ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍(ଟିଟିପିଏସ୍) ବି ବ୍ରାହ୍ମଣୀ ପାଣିରୁ ବିଦ୍ୟୁତ୍ ଉତ୍ପାଦନ କରୁଥିଲା। ସେଥିପାଇଁ ଟିଟିପିଏସ୍କୁ ପ୍ରତି ସେକେଣ୍ଡ୍ରେ ୫୫. ୪୯୬ କ୍ୟୁବିକ୍ ଫୁଟ୍ ପାଣି ଉଠାଇବାକୁ ଅନୁମତି ଦିଆଯାଇଥିଲା। ଅନୁମତିଠାରୁ ମାତ୍ର ୧୦ପ୍ରତିଶତ ଅର୍ଥାତ୍ ପ୍ରତି ସେକେଣ୍ଡରେ ୬କ୍ୟୁବିକ୍ ମିଟର ପାଣି ବ୍ୟବହାର କରୁଥିବା ଜଣାପଡ଼ିଛି।