ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ରାମେଶ୍ୱର ପୀଠରେ ୩ ଦିନ ବିତାଇବା ପରେ ଆଜି ରୁକୁଣା ରଥରେ ବିଜେ ହୋଇ ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍କୁଣୀ । ଅପରାହ୍ନ ୩ଟା ପୂର୍ବରୁ ରଥ ଟଣା ଆରମ୍ଭ ହେବ । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ କରିବା ଲାଗି ମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ଜଣାଇଛନ୍ତି । ଫଳରେ ଗୋଟିଏ ଦିନରେ ରଥ ରାମେଶ୍ୱରରୁ ମହାଖଳାରେ ପହଞ୍ଚିବ । ତେଣୁ ରାମେଶ୍ୱରଙ୍କ ପୀଠରେ ମଧ୍ୟ ସମସ୍ତ ନୀତି ଆଗୁଆ ସମ୍ପନ୍ନ କରିବା ଲାଗି ପରାମର୍ଶ ଦିଆଯାଇଛି ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

ପରିବର୍ତ୍ତିତ ନୀତିନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ, ଅବକାଶ, ରୋଷ ହୋମ ଓ ପାକ କାର୍ଯ୍ୟ ସକାଳୁ ଆରମ୍ଭ ହୋଇ ୮ଟାରେ ଶେଷ ହୋଇଛି । ସାହାଣମେଲା ଦର୍ଶନ ୯ଟା ପର୍ଯ୍ୟନ୍ତ ଚାଲିଥିଲା । ଛାମୁ ପରିଷ୍କାର, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଦିନ ୧୦ଟା ଯାଏ ସମାପ୍ତ ହୋଇଛି। ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ, ଶ୍ରୀଜିଉଙ୍କ ସକାଳ ଧୂପ, ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ଓ ଭୋଗ ମଣ୍ଡପ ଦିନ ୧୨ ମଧ୍ୟରେ ସମ୍ପନ୍ନ ହେବ । ଏହାପରେ ଅପରାହ୍ନ ୧ଟା ମଧ୍ୟରେ ଅଧରପଣା ନୀତି ସମାପନ କରାଯାଇ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୩ଟା ପୂର୍ବରୁ ରଥ ଟଣା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *