ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇଲା ଜେଲ କଳି । ବିଭାଗରେ ହେଉଥିବା କେଳେଙ୍କାରୀର ଖୋଲିବାରେ ଲାଗିଛି ପେଡୀ । ଧିରେ ଧିରେ ହାତରୁ ଖସିଗଲା ମାମଲା । ଯେତେ ଚାପିଲେ ବି ଚପିବାର ନାଁ ଧରୁନାହିଁ ବିବାଦ । ଗୃହ ବିଭାଗ ସହ ଜେଲ ଡ଼ିଜିଙ୍କୁ ଦିଲ୍ଲୀରୁ ଆସିଲା ଡ଼କରା । ସଂସଦୀୟ କମିଟି ଆଗରେ ହାଜର ହେବାକୁ ଆସିଲା ପାର୍ଲାମେଣ୍ଟରୁ ନୋଟିସ । ନଭେମ୍ବର ୩ତାରିଖ ଅପରାହ୍ନ ୩ଟା୩୦ରେ ଓଡ଼ିଶା ଜେଲ ବିଭାଗର ହେବ ବିଚାର । ଜେଲ ବିଭାଗକୁ ନେଇ ଆସିଥିବା ଆରୋପ ଉପରେ ସଂସଦୀୟ ସ୍ଥାୟୀ କମିଟି କରିବେ ସମୀକ୍ଷା । ସଂସଦ ଭବନର ଆନେକ୍ସ ଏକ୍ସଟେନସନ୍ ବିଲ୍ଡିଂର ରୁମଂ ୨ର ବ୍ଲକ ଏରେ ବୈଠକ ଅନୁଷ୍ଟିତ ହେବ । ସେଥିପାଇଁ ସମ୍ପୃକ୍ତ ବିଭାଗ ସହ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ରାଜ୍ୟସଭା ସଚିବାଳୟର ଯୁଗ୍ମ ସଚିବ । ସେ ଏହି ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ବୈଠକରେ ରାଜ୍ୟର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜେଲ ଡ଼ିଜିଙ୍କ ସହ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀ ମଧ୍ୟ ହାଜର ହେବେ । ଖାଲି ସେତିକି ନୁହେଁ ଚିଠିଟି ଦେଖିଲେ ପୁରା ବରି ହୋଇପଡୁଛି କି କିପରି ଓଡ଼ିଶାର ଜେଲ ବିଭାଗ ଚାଲିଛି । କାହିଁକି ନା ସଂସଦୀୟ କମିଟି ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି ଓଡ଼ିଶାର ସାଂସଦ ସୁଜିତ କୁମାର ।
ଆଉ ସୁଜିତ ଦିନେ ଜେଲ ବିଭାଗର କଳିରେ ହସ୍ତକ୍ଷପ କରି ମାମଲା ରୁଜୁ ଥାନାରେ କରିଥିଲେ । ଏତିକିରେ ଚୁପ ବସିନଥିଲେ ସୁଜିତ, ସେ ଚୌଦ୍ୱାର ଜେଲରୁ କଏଦୀ ଫେରାର ଘଟଣା, ପୂର୍ବତନ ଜେଲରଙ୍କ ବିରୋଧରେ ହୋଇଥିବା ଏକପାଖିଆ ନିଷ୍ପତ୍ତି ସହ କିପରି ଜେଲ ବିଭାଗର ନଥିପତ୍ରକୁ ହେରଫେର କରାଯାଇଛି ସେସବୁକୁ ଦର୍ଶାଇ ମୁଖ୍ୟମନ୍ତ୍ରୀ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିଦେ୍ର୍ଦଶକ ଅବଗତ କରିଥିଲେ । ହେଲେ ତାଙ୍କୁ ଏଥିରେ ଆଜି ଯାଏଁ କୌଣସି ସନ୍ତୋଷ ଜନକ ଉତ୍ତର କି ସେହି ଘଟଣା ଉପରେ ଆଜି ଯାଏଁ ଆକ୍ସନ ହୋଇଥିବା ଜଣାପଡିନାହିଁ । ଆଉ ଏହାରି ଭିତରେ ଚୌଦ୍ୱାର ଜେଲ ବିବାଦରେ ହାଇକୋର୍ଟରୁ ନିରାଶ ହୋଇ ଗିରଫ ହୋଇଛନ୍ତି ଚୌଦ୍ୱାର ଜେଲର ପୂର୍ବତନ ବରିଷ୍ଟ ଅଧିକ୍ଷକ । କିନ୍ତୁ ଆଜି ଯାଏଁ ଚୌଦ୍ୱାର ଜେଲ କଳିରେ କୌଣସି ପ୍ରକାର ଆଖି ଦୃଶ୍ୟ ତଦନ୍ତ କି କାର୍ଯ୍ୟାନୁଷ୍ଟାନ ହୋଇଥିବା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାରେ ଆଜି ବି ନିଦେ୍ର୍ଦାଶ ସଜା ପାଉଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଜେଲ ବିବାଦ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ସଂସଦର କାଠଗଡାରେ ନେଇ ଠିଆ କରିଦେଇଛି । ଆଗକୁ ସମୟ କହିବ ଏହି ଘଟଣାରେ କଣ ହେଉଛି ।