ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଗତର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ । ଆଜି ସେ ଜ୍ୱରରେ କମ୍ପୁଛନ୍ତି । ବରଷକୁ ଥରେ ରତ୍ନବେଦୀ ଛାଡି ସ୍ନାନବେଦୀକୁ ଚାଲି ଆସନ୍ତି ମହାବାହୁ । ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ଅସୁସ୍ଥ ହୋଇପଡିଛନ୍ତି । ଯାହା ପାଇଁ ଅଣସର ବା ଅନବସର ରହିଛନ୍ତି ବିଗ୍ରହ । ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉଭା ଅମାବାସ୍ୟା ଯାଏଁ ମହାପ୍ରଭୁଙ୍କ ଏହି ଅଣସର ନୀତିକାନ୍ତି ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଏଥିରେ ୧୩ଟି ନୀତିକୁ ପ୍ରାଧାନ୍ୟ ଦିଆଯାଇଥାଏ । ମହାପ୍ରଭୁଙ୍କ ସେବାରେ ନିଜକୁ ସର୍ମପିତ ଦଇତାପତି ସେବକମାନେ ଏହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଉପଚାର କରିଥାନ୍ତି । ଶ୍ରୀମନ୍ଦିରର ବଲ୍ଲଭ ପିଣ୍ଡି ବା ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉକ୍ତ ପିଣ୍ଡିରେ ବିଜେ କରାଯାଇ ଗୁପ୍ତରେ ଉପଚାର ଏବଂ ପୂଜାର୍ଚ୍ଚନା କରାଯାଏ। ଆଉ ଏହାରି ଭିତରେ ବିଗ୍ରହ ଧିରେ ଧିରେ ସୁସ୍ଥତା ଲାଭ କରୁଛନ୍ତି । ଏହି ଅଣସର ସମୟର ୧୫ ଦିନଧରି ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହିଥାଏ । ଯେଉଁଭକ୍ତ ମାନେ ରହିଥାନ୍ତି ସେମାନେ ସେତେବେଳେ ବଡ ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରୁହନ୍ତି । ଯେଉଁଥି ପାଇଁ ସେମାନେ ଶ୍ରୀ ମନ୍ଦିରରେ ପଟି ଦିଅଁଙ୍କୁ ଦର୍ଶନ କରିଥାନ୍ତି ।
ବଳଭଦ୍ରଙ୍କ ପାଖରେ ବାସୁଦେବ ପୂଜା ପାଆନ୍ତି, ଜଗନ୍ନାଥଙ୍କ ସ୍ଥାନରେ ନାରାୟଣ ମହାପ୍ରଭୁ ପୂଜା ପାଆନ୍ତି । ସେହିପରି ମାଆ ସୁଭଦ୍ରାଙ୍କ ପାଖରେ ଦେବୀ ଭୁବନେଶ୍ୱରୀ ପଟି ଦିଅଁଙ୍କ ରୂପରେ ବଡ଼ ଦେଉଳରେ ପୂଜା ପାଇଥାନ୍ତି । ତେବେ ଏହି ଅନବସର ସମୟରେ ଶ୍ରୀଜିଉଙ୍କୁ ଧଳା ଫୁଲ ଲାଗିଥାଏ । ସେହିଭଳି ଶ୍ରୀବିଗ୍ରହଙ୍କ ନିକଟରେ ଚକଟା ଭୋଗ ଓ ପଣା ଲାଗି ହୋଇଥାଏ । ପ୍ରଭୁ କି ଭଳି ସୁସ୍ଥ ହେବେ ସେଥି ପାଇଁ ଓଷୁଅଲାଗି ହେବ ସହ ଫୁଲୁରୀ ତେଲ ମଧ୍ୟ ପ୍ରଭୁଙ୍କ ସେବାରେ ଲାଗି ହୋଇଥାଏ । ତେବେ ପଥି ପାଚନ ଔଷଧ ସବକୁ ମହାପ୍ରଭୁୁ ସେବନ କରିବା ପରେ ଧିରେ ଧିରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି । ଶ୍ରୀମନ୍ଦିରରେ ଏବେ କୌଣସି ଘଣ୍ଟ ଘଣ୍ଟା ହେଉ କି କୌଣସି ବାଦ୍ୟ ବାଜେ ନାହିଁ । ଏହି ସମୟରେ ବିଧି କଣ ରହିଛି । କଣ ସବୁ ନିୟମ ରହିଛି । ଆସନ୍ତୁ ଜାଣିବା କେମିତି ସୁସ୍ଥ ହୁଅନ୍ତି ମହାପ୍ରଭୁ । ଜ୍ୱରରେ ପୀଡିତ ହେବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦଶମୀତିଥିରେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଆୟୁରର୍ବେଦ ଔଷଧ ଭାବରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୋଇଥାନ୍ତି ।
ଏହି ସୁସ୍ଥତା ପ୍ରକ୍ରିୟାର ମୁଖ୍ୟ ନୀତିଗୁଡ଼ିକ ହେଲା:
• ଗୁପ୍ତ ସେବା: ଅଣସର ସମୟରେ ମହାପ୍ରଭୁଙ୍କୁ ସାଧାରଣ ଦର୍ଶନ ମିଳେ ନାହିଁ। ଦଇତାପତି ସେବାୟତମାନେ ଗୁପ୍ତରେ ସେବା ଓ ଚିକିତ୍ସା କରିଥାନ୍ତି।
• ଆୟୁର୍ବେଦ ଚିକିତ୍ସା: ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବିଭିନ୍ନ ପ୍ରକାରର ପାଳି, ଫୁଲଲାଗି ଏବଂ ଓଷୁଧ ଲାଗ କରାଯାଇଥାଏ।
• ଦଶମୂଳ ମୋଦକ: ଦଶମୀ ଦିନ ମହାପ୍ରଭୁଙ୍କୁ ବିଶେଷ ଆୟୁର୍ବେଦିକ ଔଷଧ ‘ଦଶମୂଳ ମୋଦକ’ ଲାଗ କରାଯାଏ, ଯାହା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି।
• ଦ୍ୱାଦଶୀରେ ସୂଚନା: ଏହାପରେ ଅଣସର ଦ୍ୱାଦଶୀ ଦିନ ଦଇତାପତି ସେବାୟତମାନେ ରାଜପ୍ରସାଦ ଯାଇ ଗଜପତି ମହାରାଜଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ପ୍ରଦାନ କରନ୍ତି
