Before Header

ସରି ସରି ଆସୁଛି କି ଜୁଏଲ ଯୁଗ?

0 290

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୧୪ । ସାରା ଦେଶରେ ଥିଲା ମୋଦି ଲହର । ଗଡୁଥିଲା ନମୋଙ୍କ ବିଜୟ ରଥ । ସେତେବେଳେ ଓଡ଼ିଶା ଗୋଟିଏ ରାଜ୍ୟ ଥିଲା ଯାହାକୁ ଭେଦ କରିବାରେ ସକ୍ଷମ ହୋଇପାରିନଥିଲା ମୋଦିଙ୍କ ଯାଦୁ । ଓଡ଼ିଶାରେ କାମ ଦେଲାନି ମୋଦି ମ୍ୟାଜିକ । ଗଣ୍ଡା ଗଣ୍ଡା କେନ୍ଦ୍ରୀୟ ନେତା ଆସିଲେ, ହେଲେ ସମସ୍ତେ ଫେଲ । ନବୀନଙ୍କ ଯାଦୁ ଆଗରେ ଫେଲ ମାରିଥିଲା ମୋଦିଙ୍କ ୨୦୧୪ ଓଡ଼ିଶା ମିସନ୍ । ଗୋଟିଏ ନେତା ଜୁଏଲ ଓରାମ । ଯିଏ କି ମୋଦିଙ୍କ ସମ୍ମାନ ବଞ୍ଚାଇଥିଲେ । ବିଜେଡିକୁ ମାତ୍ ଦେଇ ସାଂସଦକୁ ଯାଇଥିଲେ । ସୁନ୍ଦରଗଡ଼ ଲୋକସଭା ଆସନରେ ପଦ୍ମ ଫୁଟାଇଥିଲେ ଜୁଏଲ । ୨୦୧୪ରେ ଓଡ଼ିଶାର ଏକମାତ୍ର ବିଜେପି ସାଂସଦ ଥିଲେ ଜୁଏଲ୍ । ଆଦିବାସୀ ପୋଷ୍ଟଟର ବୟ ଜୁଏଲ ଓରାମ ବିଜେପିର ଥିଲେ ଜୁଏଲ୍ । ଯେତେବେଳେ ଓଡ଼ିଶାରେ ବିଜେପି ସାଂସଦଙ୍କ ସଂଖ୍ୟା ବଢିଲା, ଜୁଏଲ୍ ଅଲୋଡା ହୋଇଗଲେକି? ଜୁଏଲ ଓରାମ । ବିଜେପିର ବରିଷ୍ଠ ଆଦିବାସୀ ନେତା ।

ଦେଶର ପ୍ରଥମ ଆଦିବାସୀ ମନ୍ତ୍ରୀ । ପ୍ରଥମ ଆଦିବାସୀ ମନ୍ତ୍ରୀ ହିସାବରେ ଜୁଏଲ କରିଥିଲେ ବଡ଼ ଘୋଷଣା । କେନ୍ଦ୍ରସରକାର ଭାରତର ଏକ ଆଦିବାସୀ ମାନଚିତ୍ର ସୃଷ୍ଟି କରିବେ । ଏହା ଆଦିବାସୀମାନଙ୍କ ପାଇଁ ନୂତନ ପ୍ରକଳ୍ପ ଓ ଯୋଜନା ପ୍ରଣୟନ କରିବାରେ ସହାୟକ ହେବ । ତାଙ୍କ ମନ୍ତ୍ରୀତ୍ୱ କାଳରେ କେତେ ସହାୟକ ହୋଇଛି, ସେ କଥା ଆମେ କହିପାରିବୁ ନାହିଁ । ଜୁଏଲ୍ ହିଁ କହିପାରିବେ । ଓଡ଼ିଶାର ପ୍ରତି ୫ଜଣରେ ଜଣେ ଆଦିବାସୀ ଭୋଟର । ଓଡ଼ିଶାରେ ଅଛନ୍ତି ୯୫ଲକ୍ଷ ୯୧ ହଜାର ଆଦିବାସୀ ଭୋଟର । କହିବାକୁ ଗଲେ ରାଜ୍ୟର ମୋଟ୍ ଭୋଟରଙ୍କ ସଂଖ୍ୟା ୪୨ ପ୍ରତିଶତ । ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀ ଓ ନରେନ୍ଦ୍ର ମୋଦିଙ୍କ ସରକାରରେ ଜୁଏଲ ଓରାମଙ୍କ ହାତରେ ଥିଲା ଆଦିବାସୀ ମନ୍ତ୍ରାଳୟ । ବୋଧ ହୁଏ ତାଙ୍କ ମନ୍ତ୍ରୀତ୍ୱ କାଳରେ ଆଦିବାସୀଙ୍କ ଆଖିଦୃଶିଆ ବିକାଶ ହୋଇପାରିନି ।

ପ୍ରଧାନମନ୍ତ୍ରୀ ନମୋଙ୍କ ସେ ଭରସା ଜିତି ପାରିନାହାନ୍ତି । ତାଙ୍କ ଉପରୁ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ତୁଟିଯାଇଛି । ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିବା ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଶ୍ୱାସକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଇଛନ୍ତି ଆଦିବାସୀଙ୍କ ଦାୟିତ୍ୱ । ରାଜନୀତିରେ ବିଶ୍ୱେଶ୍ୱରଙ୍କ ସେତେ ଅଭିଜ୍ଞତା ନାହିଁ । ତଥାପି ପ୍ରଧାନମନ୍ତ୍ରୀଙ୍କ ନଜର ତାଙ୍କ ଉପରେ । ଏକଦା ବିଜେପି ପାଇଁ ଜୁଏଲ୍ ଥିବା ଜୁଏଲ୍ ଦଳର ତୁଙ୍ଗ ନେତାଙ୍କ ଭରସା ହରାଉ ନାହାନ୍ତି ତ? ତାଙ୍କ ସ୍ଥାନ ଏବେ ବିଶ୍ୱେଶ୍ୱର ମାଡିବସିଲେଣି । ଅବଶ୍ୟ ଦଳୀୟ ଶୀଷ ର୍ନେତାଙ୍କ ଡାକରାରେ ବିଶ୍ୱେଶ୍ୱର ଆଦିବାସୀଙ୍କ ଉନ୍ନତି ପାଇଁ ଶପଥ ନେଇଛନ୍ତି ।

ଜୁଏଲ ୧୯୮୯ରେ ଆରମ୍ଭ କରିଥିଲେ ରାଜନୈତିକ ଜୀବନ । ସରକାରୀ ଚାକିରି ଛାଡି ସେ ୧୯୮୯ରେ ବିଜେପିରେ ଯୋଗଦେଇ ବଣାଇ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୮ ପର୍ଯ୍ୟନ୍ତ ସେ ଦୁଇଥର ବିଧାୟକ ଥିଲେ । ୧୯୯୩ରୁ ଦୁଇବର୍ଷ ପାଇଁ ବିଜେପି ଏସଟି ମୋର୍ଚ୍ଚାର ଜାତୀୟ ଉପସଭାପତି ଥିବା ବେଳେ ଦଳର କେନ୍ଦ୍ରୀୟ ନେତାଙ୍କ ଭରସାଯୋଗ୍ୟ ହୋଇପାରିଥିଲେ । ପରେ ସେ ହୋଇଥିଲେ ଦଳର ଜାତୀୟ ଉପସଭାପତି । ଦୁଇବର୍ଷ ଜାତୀୟସ୍ତରରେ ଦଳ ପାଇଁ କାମ କରିବା ପରେ ୧୯୯୭ରେ ରାଜ୍ୟ ୟୁନିଟ୍କୁ ଫେରିଥିଲେ । ବିଜେପି ରାଜ୍ୟ ସଭାପତି ଭାବେ ୧୯୯୯ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ଜୁଏଲ । ୧୯୯୮ରେ ସେ ସୁଦ୍ଦରଗଡ଼ ଆସନରୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନରେ ଜୁଏଲ ପୁଣି ସଂସଦକୁ ନିର୍ବାଚିତ ହୋଇଥିଲେ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ନୂତନ ଭାବେ ଆଦିବାସୀ ମନ୍ତ୍ରାଳୟ ଗଠନ କରିଥିଲେ ।

ଆଉ ଜୁଏଲ ଏହି ମନ୍ତ୍ରାଳୟର ହୋଇଥିଲେ ପ୍ରଥମ ମନ୍ତ୍ରୀ । ୨୦୦୪ରେ ଜୁଏଲ ପୁଣି ଷ୍ଟେଟ୍ ୟୁନିଟ୍କୁ ଫେରିଥିଲେ । ଆଉ ବିଜେପି ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେହି ବର୍ଷ ମେ’ ୧୭ରେ ସୁନ୍ଦରଗଡ଼ ଆସନରୁ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଜୁଏଲ ଥିଲେ ଦଳର ଜାତୀୟ ଉପସଭାପତି । ୨୦୦୯ରେ ଜୁଏଲଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ସେହିବର୍ଷ ଡିସେମ୍ବର ୨୨ରେ ଜୁଏଲ ତୃତୀୟଥର ପାଇଁ ରାଜ୍ୟ ୟୁନିଟର ସଭାପତି ଦାୟିତ୍ୱ ସମ୍ଭାଳିଥିଲେ । ୨୦୧୩ ଏପ୍ରିଲରେ ଜୁଏଲ ବିଜେପିର ହୋଇଥିଲେ ଉପାଧ୍ୟକ୍ଷ । ୨୦୧୪ ମେ’ ୧୮ରେ ଜୁଏଲ ବିଜେଡିର ଦିଲୀପ ତିର୍କୀଙ୍କୁ ପରାସ୍ତ କରି ସୁନ୍ଦରଗଡ଼ରୁ ନିର୍ବାଚିତ ହୋଇଥିଲେ । ସେ ଥିଲେ ଓଡ଼ିଶାର ଏକମାତ୍ର ବିଜେପି ଏମପି । ମୋଦିଙ୍କ ପ୍ରଥମ ଇନିଂସରେ ଜୁଏଲ ସମ୍ଭାଳିଥିଲେ ଆଦିବାସୀ ମନ୍ତ୍ରାଳୟ ।

 

Leave A Reply

Your email address will not be published.