ରାଞ୍ଚି(ବଡ଼ ଖବର ବ୍ୟୁରୋ): ପ୍ରକୃତିକୁ ଭଲ ପାଇଲେ, ପ୍ରାଣୀଜଗତ ସୁସ୍ଥ ରହିବ । ଏକଥା କେହି ବୁଝୁବା ନବୁଝୁ, ଝାଡଖଣ୍ଡର ଯମୁନା ଟୁଡୁ ବେଶ୍ ଭଲ ଭାବରେ ବୁଝିଛନ୍ତି । ସୁରକ୍ଷା ଦେଇଛନ୍ତି ୧୧୦ଏକର ଜଙ୍ଗଲ । କାଠମାଫିଆଙ୍କ ପାଇଁ କାଳ ସାଜିଥିବା ଯମୁନା ସାଉଁଟିଛନ୍ତି ଅନେକ ପ୍ରଶଂସା । ଗଛ ଆମର ଦେବତା । ଦେବତାଙ୍କୁ କିଏ ବାଡାଏ? ତାଙ୍କୁ କିଏ ଆଘାତ ଦିଏ? ନାଇଁନା, ତାହେଲେ ଆମେ ଆଘାତ ଦେବା କାହିଁକି? ଗଛ କାଟିବା କାହିଁକି? ଏ ହେଉଛି ଝାଡଖଣ୍ଡର ଲେଡି ଟାର୍ଜନ ଯମୁନା ଟୁଡୁଙ୍କ ଅନ୍ତରର କଥା । ଏହି କଥା ସେ ସମସ୍ତଙ୍କୁ ବୁଝାନ୍ତି । ତାଙ୍କର ମିଠା ମିଠା କଥାରେ ହଁ ଭରନ୍ତି ଅନେକ ମହିଳା । ଆଉ ଘରର ଚାରିକାନ୍ଥ ଭିତରୁ ବାହାରି ଆସନ୍ତି ଜଙ୍ଗଲ ସୁରକ୍ଷା ପାଇଁ ବାହାରି ଆସନ୍ତି ପ୍ରକୃତିର ସୁରକ୍ଷା ପାଇଁ । ରାତି ପାହିଲେ ନିତ୍ୟକର୍ମ ସାରି ଯମୁନା ତାଙ୍କ ଲେଡି ସେନାବାହିନୀଙ୍କ ସହ ବାହାରି ପଡନ୍ତି । ହାତରେ ଥାଏ ଠେଙ୍ଗା ।
ଜଙ୍ଗଲରେ କିଏ କାଠକାଟୁଥିବା ଖବର ପାଇବା ମାତ୍ରେ ସମସ୍ତେ ଘେରିଯାଆନ୍ତି । କାଠମାଫିଆଙ୍କ ନାଲି ଆଖି ସେମାନଙ୍କୁ ଡରାଇପାରେ ନାହିଁ । ନିକଟସ୍ଥ ରେଳ ଧାରଣାରୁ ଛୋଟ ଛୋଟ ପଥର ଉଠାଇ କାଠମାଫିଆଙ୍କୁ ମାଡ଼ କରନ୍ତି । ଯମୁନା ଓ ତାଙ୍କ ସେନାବାହିନୀର ସାମ୍ନା କରିପାରନ୍ତି ନାହିଁ କାଠମାଫିଆ । ଛତ୍ରଭଙ୍ଗ ଦିଅନ୍ତି । ଆଉ କେବେ ଯମୁନାଙ୍କ ଉଲାକାରେ ପଶିବାକୁ ସାହସ କରନ୍ତି ନାହିଁ । କାଠମାଫିଆଙ୍କ କବଳରୁ ୧୧୦ ଏକର ଜଙ୍ଗଲ ସୁରକ୍ଷା କରି ଯମୁନା ଦେଶରେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ । ପ୍ରକୃତିର ସୁରକ୍ଷା ପାଇଁ ୨୦୧୯ରେ ରାଷ୍ଟ୍ରପତିଙ୍କଠାରୁ ପାଇଛନ୍ତି ପଦ୍ମଶ୍ରୀ । ନୀତି ଆୟୋଗ ତାଙ୍କୁ ଓମେନ୍ ଟ୍ରାନ୍ସଫର୍ମଙ୍ଗ ଆୱାର୍ଡରେ ମଧ୍ୟ ସମ୍ମାନିତ କରିଛି । ଆଉ ଝାଡଖଣ୍ଡ ସରକାର ଯମୁନାଙ୍କୁ ଦେଇଛନ୍ତି ଅନେକ ସମ୍ମାନ ଓ ସ୍ୱୀକୃତି । ଝାଡଖଣ୍ଡ ପୂର୍ବ ସିଂଭୂମି ଜିଲ୍ଲା ମାତୁରଖାନ୍ର ଯମୁନା ଟୁଡୁ । ବୟସ ମାତ୍ର ୩୭ । ୧୮ବର୍ଷ ବୟସରଙ୍କ ସେ ଜଣେ କଣ୍ଟ୍ରାକ୍ଟରଙ୍କ ହାତ ଧରିଥିଲେ । କିନ୍ତୁ ପିଲାବେଳୁ ଗଛ ପ୍ରତି ତାଙ୍କର ଥିଲା ପ୍ରବଳ ଦୁର୍ବଳତା । ବିବାହ ପରେ ଏହି ଭାବନା ଯମୁନାଙ୍କୁ ଅସ୍ତବ୍ୟସ୍ତ କରିପକାଇଲା ।
ନକ୍ସଲ ପ୍ରବଣ ମତୁରଖାମ୍ ଜଙ୍ଗଲର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ । ନିଜ ଉଦ୍ୟମରେ ଗଠନ କଲେ ବନ ସୁରକ୍ଷା ସମିତି । ଧୀରେ ଧୀରେ ଏହି ସଂଖ୍ୟା ୫୦ରୁ ଅଧିକରେ ପହଞ୍ଚିଲା । ଆଉ ମହିଳା ସଦସ୍ୟାଙ୍କ ସଂଖ୍ୟା ଛୁଇଁଲା ୧୦ହଜାରରେ । ୩ଶହ ଗାଁର ମହିଳା ସାମିଲ୍ ହେଲେ ଯମୁନାଙ୍କ ଟିମରେ । ଶାଳ, ସାଗୁଆନରେ ଏବେ ଭର୍ତ୍ତି ହୋଇଛି ମତୁରଖାମ୍ ଜଙ୍ଗଲ । ସକାଳୁ ରାତି ପର୍ଯ୍ୟନ୍ତ ଚାଲିଲା ଜଙ୍ଗଲ ସୁରକ୍ଷା । ଦିନରାତି କେବଳ ଜଙ୍ଗଲ ସୁରକ୍ଷାରେ ଲାଗିଛନ୍ତି ୧୦ହଜାର ମହିଳା । ଯମୁନାଙ୍କ ଉଦ୍ୟମ ଓ ପ୍ରଶଂସନୀୟ କାର୍ଯ୍ୟ ପୂର୍ବସଂହଭୂମି ଜିଲ୍ଲାର ସୀମାସରହଦ ଡେଇଁ ଦେଶରେ ଖେଳିଯାଇଛି । ସମସ୍ତେ ତାଙ୍କୁ ଆଦରରେ କହୁଛନ୍ତି ଝାଡ଼ଡଖଣ୍ଡର ଲେଡି ଟାର୍ଜନ । ଯମୁନା ଟୁଡୁ ଏବେ କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି । ଅନ୍ୟ ମହିଳାମାନେ ତାଙ୍କ ଉଦ୍ୟମ ଓ କାର୍ଯ୍ୟରେ ଅନୁପ୍ରାଣିତ ହେଲେ ଦେଶର ଜଙ୍ଗଲ ସମ୍ପଦର ସୁରକ୍ଷା ହୋଇପାରନ୍ତା ।