ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଗୃହ ଚାଲିପାରୁନି । ବାଧ୍ୟ ହୋଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭାରେ ବକ୍ତବ୍ୟ ରଖିଛନ୍ତି । ଏହି ମର୍ମନ୍ତୁଦ ଘଟଣା ପରେ ଏଭଳି ଏକ ସମ୍ବେଦନଶୀଳ କେସର ଯେଉଁଭଳି ଢଙ୍ଗରେ ରାଜନୀତିକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି । ଯେଭଳି ଭାବରେ ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରାଯାଉଛି, ତାହା ଅତ୍ୟନ୍ତ ପରିତାପର ବିଷୟ। ସ୍ବାଧୀନ ବିଚାର ବ୍ୟବସ୍ଥା ଆମ ଗଣତନ୍ତ୍ରର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ।

ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବାପାଇଁ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜଜଙ୍କୁ ନିଯୁକ୍ତି ଦେବା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବିଚାର ବିଭାଗର ତତ୍ତ୍ବାବଧାନରେ କରାଯାଉଛି । ତେଣୁ ଏହି କେସ୍‌କୁ ନେଇ ରାଜନୀତି କରିବାର କଣ ଆବଶ୍ୟକତା ଅଛି ? ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଆଣିବାର କଣ ଆବଶ୍ୟକତା ଅଛି ? ଆମେ ସମସ୍ତେ ଆମର ସ୍ବାଧୀନ ବିଚାର ବ୍ୟବସ୍ଥାକୁ ସମ୍ମାନ ଦେବା ସହ ତା ଉପରେ ଭରସା ରଖିବା ଉଚିତ । ଓଡ଼ିଶାରେ ଅତ୍ୟନ୍ତ ପରିପକ୍ବ ତଥା ଉଚ୍ଚମାନର ରାଜନୈତିକ ବିଚାର ଆଲୋଚନାର ବଳିଷ୍ଠ ପରମ୍ପରା ରହିଛି । ଏହି କେସ୍‌ର ଯେଉଁ ଢଙ୍ଗରେ ରାଜନୈତିକ ଆଲୋଚନା କରାଯାଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଗୋଟିଏ ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ମୁଁ ଗଭୀର ଭାବରେ ବ୍ୟଥିତ ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ହେଉଛି ଜଣେ ପୋଲିସ କର୍ମଚାରୀ । ଏହି ଅଭିଯୁକ୍ତକୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯିବା ସହିତ ତାକୁ ଆଇନର କାଠଗଡା ଭିତରକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ତେବେ ସେ ଯାହା ହେଉ ନା କାହିଁକି, ଆମର ବିରୋଧୀ ଦଳର କେତେକ ନେତା, ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳର ନେତା ମାନେ ରାଜ୍ୟ ପୋଲିସ ଉପରେ ଯେଭଳି ରୁଚିହୀନ ମନ୍ତବ୍ୟ ହେଉଛନ୍ତି, ତାହା ଚିନ୍ତାଜନକ ଅଟେ। ମୋତେ ଦୁଃଖ ଲାଗୁଛି ଯେ ବିରୋଧୀ ଦଳ ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳ ଏହି ଜଘନ୍ୟ ଘଟଣାର ରାଜନୀତିକରଣ କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ । ଓଡିଶା ପୋଲିସ, ଯେ କି ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି, ଏହା ତାର ମନୋବଳକୁ ଦୁର୍ବଳ କରୁଛି ।

ଅତୀତରେ ଏହିଭଳି ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଘଟଣା ସାମରିକ ବାହିନୀ ତଥା କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହୀନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି । କିନ୍ତୁ, କେବେ ବି ଏଥିପାଇଁ ପୁରା ସାମରିକ ବା ପୋଲିସ ବାହୀନୀକୁ ନିନ୍ଦିତ କରିବାପାଇଁ ଉଦ୍ୟମ ହୋଇନାହିଁ । ଆମ ଦେଶ ସବୁବେଳେ ଆମର ସାହସୀ ଜବାନ ମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛି । ଦୁର୍ଭାଗ୍ୟର କଥା ଯେ ରାଜ୍ୟ ବିଜେପି ଏ ଘଟଣାରେ ରାଜ୍ୟ ପୋଲିସକୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରୁଛି । ରାଜ୍ୟ ବିଜେପି ଓଡିଶାର ଯୁବଶକ୍ତିର ଅପମାନ କରିଛି । ଓଡିଶାବାସୀ ଏଥିପାଇଁ କେବେ ବି କ୍ଷମା ଦେବେ ନାହିଁ ।

Leave a Reply

Your email address will not be published. Required fields are marked *