ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସୁଛନ୍ତି ମାଡାମ ରାଷ୍ଟ୍ରପତି । ବଦଳି ଯାଇଛି ଜିଲ୍ଲାର ରୂପରେଖ । ରାଷ୍ଟ୍ରପତିଙ୍କୁ ସ୍ଵାଗତ ପାଇଁ ରାଇରଙ୍ଗପୁର , ପାହାଡପୁର ଆଉ ଏସ ଏଲ ଏସ ଆବାସିକ ବିଦ୍ୟାଳୟ ନବବଧୂ ଭଳି ସଜେଇ ହୋଇଛି । ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ କରି ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ। ସକାଳ ୧୦.୧୫ରେ ବାଦାମପାହାଡରେ ଅବତରଣ କରି ପାହାଡପୁର ଏସ ଏଲ୍ ଏସ ବିଦ୍ୟାଳୟରେ ୧୦.୪୦ରେ ପହଞ୍ଚିବେ । ୧୨.୪୫ରେ ସାଟପୁଟିଆ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ।
ପରେ ସୋନାରାମ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ବଡବନ୍ଧ ଠାରେ ୧୦୦ଫୁଟର ଜାତୀୟ ପତାକା ଉତ୍ତୋଳନ କରିବା ପରେ ସମ୍ବର୍ନ୍ଧନା ଉତ୍ସବରେ ଯୋଗଦେବେ। ୫ ତାରିଖରେ ରାଷ୍ଟ୍ରପତି ରଘନାଥ ମୁର୍ମୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରି ବାରିପଦା ସର୍କିଟ ହାଉସରେ ରାତ୍ରି ଯାପନ କରିବେ । ପରେ ଦିନ ୧୦ଟା ସମୟରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ୧୨ଟା କଲେଇକୁଣ୍ଡା ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ।
ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପାହାଡ଼ପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାର ସୁରକ୍ଷା ଯାଞ୍ଚ କରିଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।