କୋଲକାତା (ବଡ଼ ଖବର ବ୍ୟୁରୋ): କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ମାସେରୁ ଅଧିକ ସମୟ ଧରି ଚାଲିଥିବା ଡାକ୍ତରଙ୍କ ଧର୍ମଘଟ ଆଜି ମଧ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଡାକ୍ତରଙ୍କ ଧାରଣାସ୍ଥଳକୁ ଯାଇ ସେମାନଙ୍କୁ ଆଲୋଚନା ପାଇଁ ପୁଣି ଡାକିଥିଲେ। ସନ୍ଧ୍ୟା ବେଳେ ଆଲୋଚନା ହେବାର ଥିଲା। ଆନ୍ଦୋଳନକାରୀ ଡାକ୍ତର ଆସିଲେ। କିନ୍ତୁ ସରକାର ଓ ଡାକ୍ତର ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ହୋଇପାରି ନାହିଁ।

ଏଭଳି ଅଚଳାବସ୍ଥା ପାଇଁ ସେମାନେ ପରସ୍ପରକୁ ଦୋଷ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ ଆନ୍ଦୋଳନକାରୀମାନେ ବାରମ୍ବାର ତାଙ୍କୁ ଅପମାନିତ କରୁଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ନିଜ ଦାବିରୁ ଓହରିଯାଇ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ସରକାର ଆଗ୍ରହ ଦଖାଉ ନାହାନ୍ତି। ସରକାରୀ ଭାବେ ଏହି ଅଚଳାବସ୍ଥା ନେଇ କିଛି କୁହାଯାଇନଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିବାରୁ ଅଚଳାବସ୍ଥା ଦୂର ହୋଇପାରି ନାହିଁ।ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରି ଜଣେ ଆନ୍ଦୋଳନକାରୀ ଡାକ୍ତର କହିଲେ, ‘ମମତାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ସହିତ ଆଲୋଚନା ପାଇଁ ଆସିଥିଲୁ ଆଲୋଚନାର ସିଧା ପ୍ରସାରଣ ପାଇଁ ଦାବି କରିଥିଲୁ।

କିନ୍ତୁ ସରକାର ମନା କରିଦେଲେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରୁ ବାହାରକୁ ଆସି ଆମକୁ ଆଲୋଚନା ପାଇଁ ଭିତରକୁ ଡାକିଥିଲେ ଆମକୁ ବୈଠକର ବିବରଣୀ ଦେବାକୁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହା ଉପରେ ଆମେ ନିଜ ମଧ୍ୟରେ ବିଚାର ଆଲୋଚନା କଲୁ ସିଧା ପ୍ରସାରଣ ଦାବିରୁ ଓହରିଯାଇ ଆମେ ଆଲୋଚନା ପାଇଁ ରାଜିହେଲୁ। ଏସଂପର୍କରେ ଆମେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣାଇଲୁ କିନ୍ତୁ ସେ କଥା ହେବାକୁ ମନା କରିଦେଲେ। ମନ୍ତ୍ରୀ କହିଲେ, ଆମେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଲୁ। ବହୁତ ବିଳମ୍ବ ହେଲାଣି।’ ଏହାପରେ ମନ୍ତ୍ରୀ ସେମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ ବୋଲି ଆନ୍ଦୋଳନକାରୀ ଡାକ୍ତର କହିଛନ୍ତି।

ଆଜି ସନ୍ଧ୍ୟା ବେଳେ ଆନ୍ଦୋଳନକାରୀ ଡାକ୍ତର ମମତାଙ୍କ ବାସଭବନକୁ ଯାଇଥିଲେ, କିନ୍ତୁ ଗେଟ୍ ବାହାରେ ରହି ସିଧା ପ୍ରସାରଣ ପାଇଁ ଜିଦ୍‌ ଧରିଥିଲେ ଏହି ସମୟରେ ମମତା ଗେଟ୍ ବାହାରକୁ ଆସି ଆନ୍ଦୋଳନକାରୀଙ୍କୁ ଘର ଭିତରକୁ ଆସିବାକୁ ଅନୁରୋଧ କରିଥିଲେ ସେ କହିଲେ, ‘ଆଜି ଆପଣମାନେ ଆଲୋଚନା ପାଇଁ ଆସିଛନ୍ତି ମୁଁ ବି ପ୍ରସ୍ତୁତ ଅଛି ଦୀର୍ଘ ସମୟ ହେଲାଣି ଅପେକ୍ଷା କରିଛି ଆପଣମାନେ
ମୋତେ କାହିଁକି ଏମିତି ଅପମାନିତ କରୁଛନ୍ତି? ଏହାପୂର୍ବରୁ ତିନି ଥର ଆପଣମାନଙ୍କୁ ଅପେକ୍ଷା କରିଥିଲି କିନ୍ତୁ ଆପଣମାନେ ଆସିେଲ ନାହିଁ। ଦୟାକରୀ ମୋତେ ଏମିତି ଅପମାନିତ କରନ୍ତୁ ନାହିଁ ବାହାରେ ବର୍ଷାରେ ଓଦା ହୁଅନ୍ତୁ ନାହିଁ ଘର ଭିତରକୁ ଆସନ୍ତୁ।’

ଏହାପୂର୍ବରୁ ଗୁରୁବାର ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ବୈଠକ ଡାକିଥିଲେ। ମମତା ବାନାର୍ଜୀ ପ୍ରାୟ ୨ ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ ସୁଦ୍ଧା ଡାକ୍ତରମାନେ ପହଞ୍ଚି ନଥିଲେ। ଆନ୍ଦୋଳନକାରୀ ଡାକ୍ତରମାନେ ଶନିବାର ପଶ୍ଚିମବଙ୍ଗ ସରକାରଙ୍କୁ ଏକ ବୈଠକ ଦାବି କରି ଏକ ଇମେଲ ପଠାଇଥିଲେ। ଏହା ପରେ ମମତା ସରକାର ସନ୍ଧ୍ୟା ୬ଟାରେ ବୈଠକ କରିବାକୁ ସମୟ ଦେଇଥିଲେ। ଏହା ପରେ ଜୁନିଅର ଡାକ୍ତରଙ୍କ ଏକ ଟିମ୍‌ ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ବୈଠକର ଲାଇଭ ଷ୍ଟ୍ରିମିଂକୁ ନେଇ ଏହା ଆରମ୍ଭ ହୋଇପାରିଲା ନାହିଁ। ବୈଠକର ଲାଇଭ ଷ୍ଟ୍ରିମିଂ କରାଯିବାକୁ ଡାକ୍ତରମାନେ ଦାବି କରିଥିଲେ। ହେଲେ ମମତା ବାନାର୍ଜୀ କହିଥିଲେ ଯେ ମାମଲା କୋର୍ଟରେ ଅଛି, ତେଣୁ ବୈଠକର ଲାଇଭ ଷ୍ଟ୍ରିମିଂ କରାଯାଇପାରିବ ନାହିଁ। ମମତା ବାନାର୍ଜୀ ଡାକ୍ତରମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ।

Leave a Reply

Your email address will not be published. Required fields are marked *