ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦିଅନ୍ତି ଦର୍ଶନ। ଠାକୁରଙ୍କ ବେଶ ଦର୍ଶନରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ମିଳିଥାଏ ଚରମ ତୃପ୍ତି। ଶ୍ରୀଜଗନ୍ନାଥଙ୍କ ପ୍ରତିଟି ବେଶରେ ଥାଏ ଦିବ୍ୟ ବାର୍ତ୍ତା। ଶ୍ରୀବିଗ୍ରହଙ୍କର ବିଭିନ୍ନ ବେଶ ମଧ୍ୟରୁ ଅନନ୍ୟ ହେଉଛି ନାଗାର୍ଜୁନ ବେଶ। ୨୦୨୦ ନଭେମ୍ବର ମାସରେ ହେବ ମହାପ୍ରଭୁଙ୍କର ଏହି ବେଶ। ଏହା ପୂର୍ବରୁ ୧୯୯୩ ଓ ୧୯୯୪ରେ ଲଗାତର ଦୁଇଥର ପଡ଼ିଥିଲା। ଏହି ବେଶରେ ଶ୍ରୀବିଗ୍ରହମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୁଅନ୍ତି। ଯୋଦ୍ଧା ଭଳି ଛତ୍ରୀ ଲାଗିଥାଏ। ଅନେକ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥାନ୍ତି।

ପରମ୍ପରା ଅନୁଯାୟୀ, ଏହି ବେଶ ପାଇଁ ନିର୍ଦ୍ଦଷ୍ଟ ଦିନ ନାହିଁ। କାର୍ତ୍ତିକ ମାସ ଦ୍ୱାଦଶୀ, ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ମଧ୍ୟରୁ ଯେଉଁଟି ଦୁଇଦିନ ପଡ଼ିଥାଏ ବା ମଳ ଦିନ ଥାଏ ସେହିଦିନ ହୁଏ ନାଗାର୍ଜୁନ ବେଶ। ଏହି ବେଶ ସମ୍ପର୍କରେ ‘ବାମଦେବ ସଂହିତା’, ‘ନୀଳଦ୍ରି ମହୋଦୟ’, ‘ସ୍କନ୍ଦ ପୁରାଣ’ରେ କୌଣସି ବର୍ଣ୍ଣନା ନାହିଁ। ସ୍ୱତ୍ୱଲିପିରେ ବି ନାହିଁ ବିଶେଷ ସୂଚନା।

କେତେକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ନାଗାରୁ ନାଗାର୍ଜୁନ ବେଶ। ଅର୍ଥାତ ନାଗା ସାଧୁମାନଙ୍କ ପ୍ରଭାବରେ ଏହି ବେଶ ହେଉଛି। ଏହି ବେଶର ବିଶେଷ ପ୍ରାଚୀନତା ନାହିଁ। ଭୋଇ ବଂଶର ରାଜତ୍ୱ କାଳରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ବଢ଼ିଲା। ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ରାଜାମାନେ ସମର୍ଥ ହେଉ ନ ଥିଲେ। ତେଣୁ ନାଗା ସାଧୁମାନେ ସୁରକ୍ଷା ଦେଉଥିଲେ।

ସେଥିପାଇଁ ଶ୍ରୀମନ୍ଦିର ଚାରିପଟେ ଥିଲା ନାଗା ସାଧୁମାନଙ୍କ ମଠ। ନାଗା ସାଧୁମାନେ ବିଭିନ୍ନ ସମୟରେ ଶକ୍ତି ପ୍ରଦର୍ଶନ କରିଥାନ୍ତି। ଶତ୍ରୁକୁ ଭୟଭୀତ କରିବାକୁ ସେମାନେ ତାଙ୍କ ଶକ୍ତି ଦେଖାନ୍ତି। ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସମରକଳା ଦେଖାନ୍ତି। ସେମାନଙ୍କୁ ଶ୍ରୀକ୍ଷେତ୍ରର ଶକ୍ତିର ପ୍ରତୀକ ବୋଲି ବି ଧରାଯାଏ।

ଏହା ଧୀରେ ଧୀରେ ଶ୍ରୀକ୍ଷେତ୍ରର ଲୋକ ସଂସ୍କୃତି ହୋଇଯାଇଛି। ନାଗାମାନଙ୍କୁ ଶକ୍ତିର ପ୍ରତୀକ ଭାବେ ପୂଜା କରାଯାଉଛି। ସମଗ୍ର ବିଶ୍ୱରେ ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ଭାବେ ଆରାଧନା କରାଯାଇଥାଏ। ମାତ୍ର ଶ୍ରୀକ୍ଷେତ୍ରରେ ନାଗାମାନଙ୍କୁ ଶକ୍ତିର ପ୍ରତୀକ ଦର୍ଶାଇ ପୂଜା କରାଯାଇଥାଏ।

ନାଗାମାନେ ବେଶ୍ ବଳଶାଳୀ ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥାନ୍ତି। ସେହି ପରମ୍ପରାଠାରୁ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ହେଉଥିବା କହନ୍ତି ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ ଗବେଷଣା ଅଧିକାରୀ ଡ. ସୁରେନ୍ଦ୍ର ମିଶ୍ର। ନାଗାଙ୍କ ବେଶ ସହ ନାଗାର୍ଜୁନ ବେଶର ଅନେକ ସାମଞ୍ଜସ୍ୟ ରହିଥିବା ସେ କହନ୍ତି।

ହେଲେ ଏଥିରେ ପୂର୍ଣ୍ଣ ସହମତ ହେଉନାହାନ୍ତି ଅନେକ ବିଶେଷଜ୍ଞ। ଯଦି ନାଗା ସାଧୁମାନେ ଆସିବା ପରେ ନାଗାର୍ଜୁନ ବେଶ ହେଉଛି, ତେବେ ତାହା ପୂର୍ବରୁ ପଞ୍ଚୁକର ମଳ ତିଥିରେ କି ବେଶ ହେଉଥିଲା। ସେତେବେଳେ କ’ଣ ଠାକୁର ବେଶ ହେଉ ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର କହନ୍ତି, ମଳ ମାସ ବା ମଳଦିବସ ତିଥିଗଣନା ଦିନରୁ ରହିଛି। ମହାପ୍ରଭୁଙ୍କ ରୀତିନୀତି ତିଥିକୁ ନେଇ ହୋଇଥାଏ। ତେଣୁ ନାଗାମାନଙ୍କ ଆସିବା ପୂର୍ବରୁ ପଡ଼ୁଥିବା ମଳ ତିଥିରେ ନାଗାର୍ଜୁନ ବେଶ ହେଉଥିବା ଅସମ୍ଭବ ନୁହେଁ। ଏହାର ପ୍ରାମାଣିକ ତଥ୍ୟ ନ ଥିଲେ ମଧ୍ୟ ନାଗାଙ୍କ ପୂର୍ବରୁ ଏହି ବେଶ ହେଉଥିବା କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *