Before Header

ନାଗାର୍ଜ୍ଜୁନ ବେଶରେ କେଉଁ ଅସ୍ତ୍ରରେ ସଜ୍ଜିତ ହୁଅନ୍ତି ମହାପ୍ରଭୁ, ଜାଣିବା ଲାଗି ପଢ଼ନ୍ତୁ ପୂରା ଖବର

0 69

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବେଶପ୍ରିୟ ମହାପ୍ରଭୁଙ୍କ ଦୁର୍ଲଭ ବେଶ ନାଗାର୍ଜୁନ । ଏହା ହେଉଛି ମହାପ୍ରଭୁୁଙ୍କର ଏକ ବୀର ବେଶ । ଏହି ବେଶରେ ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ ଠାକୁର ବଳଭଦ୍ର ନାଗା ବେଶରେ ସଜ୍ଜିତ ହୋଇଥାନ୍ତି । ସେହିପରିି ମାଆ ସୁଭଦ୍ରା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ମଣ୍ଡିତ ହୋଇ ତ୍ରିଭୁବନେଶ୍ୱରୀ ବେଶ ହୁଅନ୍ତି ।

ଶ୍ରୀଜଗନ୍ନାଥ ଏବଂ ଶ୍ରୀବଳଭଦ୍ରଙ୍କ ମସ୍ତକରେ ଖଞ୍ଜାଯାଇଥାଏ ହାଣ୍ଡିଆ । ଏହି ହାଣ୍ଡିଆ ହେଉଛି ଏକ ସାମରିକ ଶିରସ୍ତ୍ରାଣ, ଯାହାକୁୁ ଭଣ୍ଡିଫୁଲ ଏବଂ କଦମ୍ବଫୁଲ କାଠିରେ ତିଆରି କରାଯାଇଥାଏ । ହାଣ୍ଡିଆ ଉପରେ ପାଉଜି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟଚନ୍ଦ୍ର ଆଦି ସଜାଯାଇଥାଏ । ଶୀର୍ଷରେ ଖଞ୍ଜାଯାଏ ନାଗାଫୁଲ ।

ମହାପ୍ରଭୁଙ୍କ ଉଭୟ ପୃଷ୍ଠ ଦେଶରେ ବନ୍ଧାଯାଇଥାଏ ଢେଣୁ । ଢେଣୁରେ ଥିବା ଧନୁର ଦୁଇ ଅଗ୍ରଭାଗକୁ ସୋଲ, ଜମ୍ବୁରା, ଜରି ଓ କଇଁଥ ଅଠାରେ ତିଆରି କରାଯାଇଥାଏ ।

ପୃଷ୍ଠଦେଶର ଉଭୟ ପାଶ୍ୱର୍ରେ ରହିଥାଏ ତୀରପୂର୍ଣ୍ଣ ତୁଣୀର, ଯେଉଁଥିରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଏ ।
ବେଶକାରୀ ପ୍ରଥମେ ଦିଅଁମାନଙ୍କୁ ପାଟବସ୍ତ୍ର, ଫୁଟା, ପହରଣ, ବଳା ଆଦି ଲାଗି କରିଥାନ୍ତି । ଏହାପରେ ସିଲକ କପଡାରେ ପ୍ରସ୍ତୁତ ଜାମା ପିନ୍ଧାଇଥାନ୍ତି ।

ଶ୍ରୀବିଗ୍ରହମାନଙ୍କ ମୁଖରେ ଆଡଗାଲି ସହିିତ ସୋଲ, କପଡା, ଜମ୍ବୁରାରେ ତିଆରି ଦାଢି ଲଗାଯାଏ । ଏହା ସହିିତ ବକ୍ଷରେ ବ୍ୟାଘ୍ରଛାଲ, କଟିରେ କାଛେଣି ଓ ହାଣ୍ଡିଆରେ ସିଂଘଡା ଝୁଲାଇ ଦିଆଯାଏ ।

ଏହା ସହିତ ବାଙ୍କଛୁରୀ, ଖଣ୍ଡା, କଟାରୀ, ଜଙ୍ଘି, ରଞ୍ଜକ ଦାନି, ଘଂଟି, ଖଞ୍ଜାଯାଏ । ଦିିଅଙ୍କ ପୃଷ୍ଠ ଦେଶରେ ଢେଣୁ ସହିିତ କଟିରେ ଢାଲ, ଅସ୍ତ୍ରଶସ୍ତ୍ର ସହିିତ ପରଚୁଳା ଲଗାଯାଏ । ଶ୍ରୀହସ୍ତପଦ ଲାଗି କରାଯିବା ପରେ ଦୁଇ ଭୁଜରେ ବଡଓତା, ହୁଦା, ଓଳମାଳି, ଶଙ୍ଖ, ଚକ୍ର ଆଦି ଖଞ୍ଜାଯାଏ । ଏହାସହିତ କାନଫୁଲ, କଲିଫି, ଏରାପକ୍ଷୀ ପର, ଚନ୍ଦ୍ର ସୂର୍ଯ୍ୟ ସହ ବାଘନଖ ଆଦି ସଜାଯାଏ ।

ଦେବୀ ସୁଭଦ୍ରାଙ୍କ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ଚନ୍ଦ୍ରିକା, ତଡଗି, ଅଂଟାପଟିି ଓ ବିଭିନ୍ନ ଅଳଂକାର ଭୂଷିତ କରାଯାଏ ।
ବିଭିନ୍ନ ଅଳଙ୍କାର ଓ ସାଜ ସରଞ୍ଜାମ ସହିତ ଦିିଅଁମାନଙ୍କୁ ବିିଭିନ୍ନ ସୁୁଗନ୍ଧ ଫୁଲ ଓ ତୁଳସୀ ମାଳାରେ ସଜାଯାଏ । ଅଧରମାଳ, ଶ୍ରୀପୟରମାଳ, ନାକୁଆସି, ଝୁମ୍ପା, ତିଳକ, ଗଭା ଆଦି ପୁଷ୍ପ ଅଳଂକାରରେ ଶ୍ରୀବିଗ୍ରହଙ୍କୁ ମଣ୍ଡିତ କରାଯାଏ ।

ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଚ୍ଛ ମହାପାତ୍ର, ତଳିଛ ମହାପାତ୍ର, ପୁଷ୍ପାଳକ ସେବକମାନେ ଠାକୁରଙ୍କମାଙ୍କୁ ଏହି ବେଶ କରାଇଥାନ୍ତି । ସେମାନଙ୍କୁ ସାହାଯ୍ୟ କରିଥାନ୍ତି ଖୁଣ୍ଟିଆ ଏବଂ ମେକାପ ସେବକ । ଏହା ଏକ ଯଜମାନୀ ବେଶ ହୋଇଥିବାରୁ ବେଶ ସମୟରେ ସାମଗ୍ରୀ ଯୋଗାଇଥିବା ଦାତା ଏବଂ ବେଶ କାରୀଗର ମଧ୍ୟ ଉପସ୍ଥିତ ରହନ୍ତି । ମହାପ୍ରଭୁଙ୍କର ଏହି ଦିିବ୍ୟ ବେଶରେ ଉପକରଣ, ବସ୍ତ୍ର, ପୁଷ୍ପ, ଓ ସୁବର୍ଣ୍ଣ ଆଦି ଅଳଙ୍କାର ସଜ୍ଜିିତ ହେବା ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥାଏ ।

ନାଗାର୍ଜୁନ ବେଶ ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ ଆଦି ନୀତି ଅନୁଷ୍ଠିତ ହୋଇଥାଏ । ଏହାପରେ ସାହାଣମେଲାରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କର ଏହି ଦିବ୍ୟ, ରହସ୍ୟମୟ ବୀର ବେଶ ଦର୍ଶନ କରିି ଭକ୍ତ ହୋଇଥାଏ ବିଭୋର ।

Leave A Reply

Your email address will not be published.