Before Header

‘ବଡ଼ ଖବର’ରେ କରିପାରିବେ ନାଗାର୍ଜୁନ ବେଶ ଦର୍ଶନ

0 188

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଲା ୨୫ ବର୍ଷ ହେଲା ସାରା ବିଶ୍ୱ ଅପେକ୍ଷା କରିଥିଲା ଯୋଡ଼ିଏ କୋଡ଼ିଏ ଅର୍ଥାତ ୨୦୨୦କୁ । କାହିଁକି ନା ଦେବ ଦୁର୍ଲଭ ନାଗାର୍ଜୁନ ବେଶର ସଂଯୋଗ ନେଇ ଆସିଥିଲା ଏହି ବର୍ଷ । ଭକ୍ତ ଅପେକ୍ଷା କରିଥିଲେ ଏହି ଅପୂର୍ବ ବେଶରେ ମହାପ୍ରଭୁଙ୍କୁ ଆଖି ପୂରେଇ ଦେଖିବାକୁ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବର୍ଷ ବର୍ଷ ପ୍ରତୀକ୍ଷାର ବେଶ ୟେ । ହେଲେ ବର୍ଷ ଆରମ୍ଭ ହେଉ ହେଉ ସବୁକିଛି ଓଲଟା ହେବାକୁ ଲାଗିଲା । ଏମିତି ଭୂତାଣୁ ଆସିବ କିଏ ବା ଜାଣିଥିଲା, ଯାହା ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେବ । ପ୍ରଥମେ ବିନା ଭକ୍ତରେ ରଥଯାତ୍ରା, ଆଉ ଏବେ ନାଗାର୍ଜୁନ ଭଳି ବିରଳ ବେଶରେ ବି ଭକ୍ତଙ୍କୁ ବାରଣ ।

ଏଭଳି ଦିନରେ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଭିଡ଼ ବଦଳରେ ଖାଁ ଖାଁ ରହିବାକୁ ହେବ । ସୌଭାଗ୍ୟ ମଧ୍ୟରେ ଏଭଳି ଦୁର୍ଭାଗ୍ୟ ଆସିବ, ତାହା କେହି କେବେ କଳ୍ପନା ବି କରି ନ ଥିଲେ । ନିଜ ପ୍ରିୟ ଠାକୁରଙ୍କ ଏହି ବୀରବେଶ ଦେଖି ନ ପାରିବା ଜଗନ୍ନାଥପ୍ରେମୀଙ୍କୁ କେତେ କଷ୍ଚ ଦେଉଛି, ତାହା ଆମେ ନିଜ ଅନୁଭବରୁ ଜାଣିପାରୁଛୁ । ତେବେ ଏକଥା ବି ସତ, ଜଗତର ନାଥ ଜଗନ୍ନାଥ ଖାଲି ଶ୍ରୀମନ୍ଦିରରେ ନାହାନ୍ତି, ସେ ସର୍ବତ୍ର ବିଦ୍ୟମାନ । ସେଥିଲାଗି ତ ନନ୍ଦିଘୋଷରେ ସେ, ବଳରାମ ଦାସଙ୍କ ବାଲି ରଥରେ ବି ସେ । ଏହି ତତ୍ତ୍ୱରେ ବିଶ୍ୱାସ କରି, ଆମେ ନାଗାର୍ଜୁନ ବେଶ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣଙ୍କ ଆଗରେ ରଖିବାକୁ ଯାଉଛୁ । ଯାହା ଆପଣଙ୍କ କଷ୍ଟକୁ କିଛିଟା ଲାଘବ କରିବା ପାଇଁ ପ୍ରୟାସ ବୋଲି କହିପାରନ୍ତି ।

ସମସ୍ତ ଜଗନ୍ନାଥପ୍ରେମୀଙ୍କ ଉତ୍କଣ୍ଠା, ଭାବାବେଗ, ସ୍ୱପ୍ନ ଓ ପରିସ୍ଥିତିକୁ ଆଖି ଆଗରେ ରଖି ଆମେ ବଡ଼ ଖବରର ନ୍ୟୁଜରୁମରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ପ୍ରତୀକାତ୍ମକ ପ୍ରତିରୂପ ଅନୁଷ୍ଠିତ କରିବାକୁ ଯାଉଛୁ । ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ଅନୁଯାୟୀ, ବଡ଼ ଖବରରେ ମଧ୍ୟ ବେଶ ଲାଗି ଓ ଓଲାଗି କରାଯିବ । ଭକ୍ତମାନେ ପଞ୍ଚୁକ ମଳ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ ଦେଖିବାରୁ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିଲାଗି ମୂଳ ବେଶର ପ୍ରତୀକ ରୂପର ଆୟୋଜନ କରାଯାଇଛି । ଏହାର ଟିକିନିଖି ଦୃଶ୍ୟ ବଡ଼ ଖବରରେ ସିଧା ପ୍ରସାରଣ କରାଯିବ । ମାନେ, ଆପଣ ଘରେ ବସି ଏହି ଦିବ୍ୟ ବେଶର ସ୍ୱରୂପକୁ ଦର୍ଶନ କରିପାରିବେ । ଏହା ସହ ବିଶିଷ୍ଟ ପଣ୍ଡିତମଣ୍ଡଳି, ଜଗନ୍ନାଥ ସଂସ୍କୃତି ଗବେଷକମାନେ ଏହି ବିରଳ ବେଶର ଟିକିନିଖି ବାଖ୍ୟା କରିବେ ।

ପ୍ରଥମରୁ କହିଆସିଛୁ, ବଡ଼ ଖବରର ସୃଷ୍ଟି ବଡ଼ ଠାକୁରଙ୍କ ନିର୍ଦ୍ଦେଶରେ । ବଡ଼ ଖବରର ପ୍ରତିଟି କାର୍ୟ୍ୟ ମହାପ୍ରଭୁଙ୍କ ଆଶିଷରେ ପରିଚାଳିତ । ତେଣୁ ଏହା ବି ନିଶ୍ଚିତ କାଳିଆ ସାଆନ୍ତଙ୍କ ଲୀଳା । ଆପଣ ନିଜର ଭକ୍ତିର ଶକ୍ତି ବଳରେ ଏହି ପ୍ରତୀକାତ୍ମକ ରୂପରେ ମଧ୍ୟ ରତ୍ନ ସିଂହାସନର ମହାବାହୁଙ୍କୁ ଦର୍ଶନର ଅନୁଭବ କରିପାରନ୍ତୁ, ଏତିକି କାମନା । ଜୟ ଜଗନ୍ନାଥ ।

Leave A Reply

Your email address will not be published.