ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଦିବାସୀଙ୍କୁ ଜମି ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବଢୁଛି ଝଡ । ପ୍ରଥମେ କ୍ୟାବିନେଟରେ ନିଷ୍ପତ୍ତି ପରେ ବିରୋଧ ହେବାରୁ ନିଷ୍ପତ୍ତି ସ୍ଥଗିତ ରହିଲା ବୋଲି ମନ୍ତ୍ରୀଙ୍କ ପୋଷ୍ଟ ସୃଷ୍ଟି କରିଛି ବିବାଦ । କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖିବାର ଅଧିକାର ମନ୍ତ୍ରୀଙ୍କର ଅଛି କି? ରାଜ୍ୟ ସରକାର ଓ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରୁଲ୍ସ ଅଫ ବିଜନେସର ପାଠ ପଢାଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର ଓ ବିଜୟ ମହାପାତ୍ର । ନରସିଂହ କହିଛନ୍ତି ମନ୍ତ୍ରୀ କ୍ୟାବିନେଟର ନିଷ୍ପତ୍ତିକୁ ବଦଳାଇପାରିବେ ନାହିଁ । କ୍ୟାବିନେଟ ବୈଠକରେ ଯାହା ନିଷ୍ପତ୍ତି ହେଲା ତାକୁ ବଦଳାଇବା କିମ୍ବା ସ୍ଥଗିତ ରଖିବାର ଅଧିକାର ମନ୍ତ୍ରୀଙ୍କ ପାଖରେ ନାହିଁ । କ୍ୟାବିନେଟର ନିଷ୍ପତ୍ତି ବଦଳାଇବାକୁ ହେଲେ ଆଉ ଗୋଟିଏ କ୍ୟାବିନେଟ ବୈଠକ ବସି ନିଷ୍ପତ୍ତି ନେବା ଦରକାର । ଏହା ହେଉଛି ରୁଲ୍ସ ଅଫ ବିଜନେସ୍ । ସେହିଭଳି ବିଜୟ ମହାପାତ୍ର ବି ସମାନ କଥା କହିଛନ୍ତି । କିଭଳି କ୍ୟାବିନେଟର ନିଷ୍ପତ୍ତିକୁ ସ୍ଥଗିତ ରଖାଗଲା ବୋଲି ମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କଲେ ତାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଆଦିବାସୀ ଜମି ପ୍ରସଙ୍ଗରେ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିର ଭାଗ୍ୟ କ’ଣ? ବାସ୍ତବରେ ଏହା ସ୍ଥଗିତ ରହିଛି ନା ରହିନାହିଁ । ଏ ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ରଖିନାହାନ୍ତି ମନ୍ତ୍ରୀ । ସେପଟେ ସରକାରଙ୍କ ତରଫରୁ ମଧ୍ୟ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ କୌଣସି ପ୍ରତକ୍ରିୟା ଆସିନାହିଁ ।

Leave a Reply

Your email address will not be published. Required fields are marked *