Before Header

ବିଜୁ ବିରୋଧୀ ନବୀନ !

0 137

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ । ବିଜୁ ବାବୁଙ୍କ ନାଁରେ ନବୀନ ପଟ୍ଟନାୟକ କରୁଛନ୍ତି ରାଜନୀତି । ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରୁଛନ୍ତି କହି ୨୧ ବର୍ଷ ହେଲା ଭୋଟ୍ ବି ପାଉଛନ୍ତି । ହେଲେ ରାଜନୀତି କରିବାକୁ ଶେଷରେ ବିଜୁ ବାବୁଙ୍କୁ ବିରୋଧ କରିବାକୁ ବି ପଛାଉନାହାନ୍ତି । ଲାଗୁଛି ଯେମିତି ରାଜନୀତି କରିବାକୁ ବିଜେଡି ପାଖରେ ଆଉ ପ୍ରସଙ୍ଗ ନାହିଁ । ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜନୀତିକୁ ଆସିଥିଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ବିୟୋଗ ପରେ ଖାଲି ପଡିଥିବା ଆସ୍କା ସଂସଦୀୟ ଆସନରୁ ଉପନିର୍ବାଚନ ଲଢିଥିଲେ । ବାପାଙ୍କ ନାଁରେ ଭୋଟ୍ ମାଗିଥିଲେ ।

ଜିତିବା ପରେ ଏକ ସାକ୍ଷାତକାରରେ କହିଥିଲେ, ରାଜ୍ୟରେ ସ୍କୁଲ, ଡାକ୍ତରଖାନା ଓ ପାନୀୟ ଜଳ ସମସ୍ୟା ଅତ୍ୟନ୍ତ ଉକ୍ରଟଜନକ । ୨୩ ବର୍ଷ ତଳେ ରାଜ୍ୟର ଏହି ପ୍ରସଙ୍ଗକୁ ନବୀନ ଦେଖିଥିଲେ । ଏହି ମୁଦ୍ଦାରେ ରାଜନୀତି ବି କଲେ । ଲଗାତାର ଭୋଟ୍ ବି ପାଇଲେ । ୨୧ ବର୍ଷର ରେକର୍ଡବ୍ରେକର ଅପ୍ରତିଦ୍ୱନ୍ଦୀ ମୁଖ୍ୟମନ୍ତ୍ରୀ । ଦୁର୍ଭାଗ୍ୟ ଏୟା, କେଇଟା ସହରକୁ ଛାଡିଦେଲେ, ଏବେ ବି ସେ ସବୁ ସମସ୍ୟା ଅନେକ ଗାଁରେ ରହିଛି, ଯେଉଁ ସମସ୍ୟା କଥା ୨୩ ବର୍ଷ ତଳେ ନବୀନ କହିଥିଲେ। ପ୍ରତିଥର ଏୟା କରିଦେବୁ, ସେୟା କରିଦେବୁ କହି ଗାଁକୁ ଭୋଟ୍ ମାଗିବାକୁ ଯାନ୍ତି ନବୀନ ବାବୁ । ବିକାଶର ସ୍ୱପ୍ନ ଦେଖାନ୍ତି । ପ୍ରତିଥର ତାଙ୍କୁ ବିଶ୍ୱାସ କରି ଶଙ୍ଖ ଚିହ୍ନରେ ମୋହର ମାରୁଛନ୍ତି ସରଳ ଓଡ଼ିଆ ଭୋଟର୍ ।

କିନ୍ତୁ ଚେହେରା ବଦଳେନି । ପ୍ରତିଶ୍ରୁତି ପୂରା ହୁଏନି । ପୁଣି ନିର୍ବାଚନ ଆସିଲେ ପ୍ରତିଶ୍ରୁତି ଦୋହରାଇ, ଆଶା ଦେଖାଇ ଭୋଟ୍ ନିଆଯାଏ । କିନ୍ତୁ ସମାନ କଥା କେତେଥର ହେବ? ସବୁଦିନ ପାଇଁ ଭୋଟରଙ୍କୁ ବୋକା ବନାଇବା ସହଜ ନୁହେଁ, ଏକଥା ନବୀନ ବାବୁ ବି ବେଶ୍ ଭଲଭାବେ ଜାଣିଛନ୍ତି । ସେଥିପାଇଁ ୨୦୧୯ ନିର୍ବାଚନ ପୂର୍ବରୁ ମହାନଦୀ, ଏବେ ସ୍ମାର୍ଟ ହେଲଥ୍ କାର୍ଡ ପ୍ରସଙ୍ଗ । ମହାନଦୀ ପ୍ରସଙ୍ଗରେ ତ ଲୋକେ ଭଳି ଗଲେ, ହେଲେ ନବୀନ ବାବୁଙ୍କୁ ଆଭାସ ହୋଇସାରିଲାଣି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କଥା କାଟୁ ହେବନି । କାରଣ ମହାମାରୀ ବେଳେ ସାଧାରଣ ସ୍ୱାସ୍ଥ୍ୟ ସୁବିଧା ପାଇଁ ଏ ରାଜ୍ୟର ଲୋକେ ଯେଉଁ ହନ୍ତସନ୍ତ ହୋଇଛନ୍ତି, ନିଜ ପରିବାର ଲୋକଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି, ସେ ଦୁଃଖ ଆଗରେ ନବୀନଙ୍କ ଏହି ସ୍ମାର୍ଟ ପ୍ରହେଳିକାକୁ ରାଜ୍ୟବାସୀ ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି । ସେଥିପାଇଁ ନବୀନ ବାବୁ ରାଜ୍ୟ ରାଜନୀତିର ନୂଆ ଇସ୍ୟୁ ଧରି ଭୋଟ୍ ଭିଡିବାର ରଣନୀତି ତିଆରି କରିଛନ୍ତି । ଓଡିଶାର ସିଂହ ଭାଗ ଭୋଟ୍ ଓବିସିଙ୍କର । ଯାହା ଉପରେ ଏବେ ବିଜେଡି ଆଖି ପଡିଛି । ୨୧ ବର୍ଷ ଭିତରେ କେବେ ବି ଓବିସିଙ୍କ ସ୍ୱାର୍ଥ କଥା କହି ନ ଥିବା, ବୁଝି ନ ଥିବା ନବୀନ ବାବୁଙ୍କୁ ଏବେ ଓବିସିଙ୍କ ଚିନ୍ତା ହେଉଛି ।

କାରଣ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫ୍ରେଶ୍ ପ୍ରସଙ୍ଗ ଦରକାର । ସବୁ ପୁରୁଣା ପ୍ରସଙ୍ଗ, ଯାହାକୁ ଉଠାଇ ନବୀନ ପଟ୍ଟନାୟକ ନିର୍ବାଚନ ଜିତୁଥିଲେ, ସେ ସବୁକୁ ସେ ନିଜେ ପୂରା କରିବାରେ ବିଫଳ ହୋଇଛନ୍ତି । ସ୍ଥିତି ଏଭଳି ଦେଖନ୍ତୁ, ୨୧ ବର୍ଷ ଭିତରେ ମାତ୍ର ଗୋଟିଏ ସରକାରୀ ସ୍କୁଲକୁ ବିକଶିତ କରିବାରେ ସକ୍ଷମ ହୋଇଛନ୍ତି, ଆଉ ତାକୁ ଦେଖିବାକୁ ସବୁ ମନ୍ତ୍ରୀ, ବିଧାୟକଙ୍କୁ ପଠାଇ ପ୍ରଚାର କରିବାକୁ ପଡୁଛି । ସ୍ୱାସ୍ଥ୍ୟ, ପାନୀୟ ଜଳ ପ୍ରସଙ୍ଗରେ ଆମେ କେଉଁଠି ଅଛେ, ତାହାର ଉତ୍ତର ସରକାର ବି ଭଲ ଭାବେ ଜାଣିଛନ୍ତି । ବାକି ଥିଲା, ବିଜୁ ବାବୁଙ୍କ କଥା । ବିଜୁ ବାବୁଙ୍କ ଆଦର୍ଶ, ବିଜୁ ବାବୁଙ୍କ ସ୍ୱପ୍ନ କିଭଳି ସାକାର ହୁଏ ଇତିହାସ ପୃଷ୍ଠାରୁ ତାହାର ତଥ୍ୟ ଆମେ ଆପଣଙ୍କ ଆଗରେ ରଖିଲୁ ।

ଏଠି ଭୋଟ୍ ଆଗରେ ବିଜୁ ବାବୁ କିଏ, ବିଜୁ ବାବୁଙ୍କ ଆଦର୍ଶ କଥା କିଏ ପଚାରେ । ଯଦି ଏବେ ନିଜେ ବିଜୁ ବାବୁ ସ୍ୱର୍ଗରୁ ଓହ୍ଲାଇ ପୁଅ ନବୀନଙ୍କ ଏହି ରାଜନୀତିକୁ ବିରୋଧ କରନ୍ତି, ତଥାପି ଯେ ବିଜୁ ଜନତା ଦଳ ପଛକୁ ହଟିବ, ଆମର କାଇଁ ବିଶ୍ୱାସ ହେଉନି । କାରଣ ବିଜୁ ବାବୁ ଓବିସି ପ୍ରସଙ୍ଗରେ ହୋଇଥିବା ରାଜନୀତିକୁ କିଭଳି ବିରୋଧ କରିଥିଲେ ତାହା ଯେ ନବୀନ ବାବୁଙ୍କୁ ଅଛପା ଥିବ, ତାହା ଆମର ବିଶ୍ୱାସ ହେଉ ନାହିଁ । ନବୀନ ବାବୁ ସବୁ ଜାଣିଛନ୍ତି, ସବୁ ଜାଣି ଏଭଳି ରାଜନୀତି କରୁଛନ୍ତି, ଯେଉଁ ରାଜନୀତିରୁ ତାଙ୍କୁ ଭୋଟ୍ ମିଳିବ । କ୍ଷମତା ବଜାୟ ରହିବ।

ଏବେ ରାଜନୀତିର ସେହି ଯୁଗକୁ ଯିବା । ଯେତେବେଳେ ଦେଶ ରାଜନୀତିର ଚର୍ଚ୍ଚିତ ଚେହେରା ଥିଲେ ବିଜୁ ପଟ୍ଟନାୟକ । ଟଲ୍ ପଲିଟିସିଆନ୍ । ଏକ ନୂଆ ସମୟର ଆରମ୍ଭ ହେଉଥିଲା । କଥା ୮୦ ଦଶକର ଶେଷ, ନବେ ଦଶକ ଆରମ୍ଭର । ବୋଫର୍ସ ଝଡ ପରେ ରାଜୀବ ଗାନ୍ଧିଙ୍କଠାରୁ ଅଲଗା ହୋଇ ଗଲେ ଭିପି ସିଂ । ତିଆରି ହେଲା ଜନତା ଦଳ । ରାଜବୀଙ୍କ ହାତରୁ ସତ୍ତା ଚାଲିଗଲା । ଦେଶର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭିପି ସିଂ । ୨ ଡିସେମ୍ବର ୧୯୮୯ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଭିପି । ଯାହାଙ୍କ ପଛରେ ସବୁଠୁ ଶକ୍ତି ଥିଲେ ଓଡିଶାର ବିଜୁ ପଟ୍ଟନାୟକ ।

ପରେ ବିଜୁ ବାବୁ ବି ଓଡିଶାର ମୁଖ୍ୟମନ୍ତ୍ରୀ । ୩୭ ବର୍ଷ ପରେ ବିଜୁଙ୍କ ହାତକୁ ଆସିଲା ମୁଖ୍ୟମନ୍ତ୍ରୀ ପଦବୀ । ଯେଉଁ କେତେଜଣ ପରାମର୍ଶରେ ପ୍ରଧାନମନ୍ତ୍ରୀ ଭିପି ସିଂ କାମ କରୁଥିଲେ ସେଥିମଧ୍ୟରୁ ବିଜୁ ବାବୁ ଥିଲେ ଆଗରେ । ଦିଲ୍ଲୀର ଓଡିଶା ଭବନରେ ଦେଶ ରାଜନୀତିର ଅନେକ ବଡ ବଡ ନିଷ୍ପତ୍ତି ହେଉଥିଲା । ତେବେ ସଂଖ୍ୟା ବଳର ଚକ୍ରବ୍ୟୁହ ଭିତରେ ସ୍ଥିର ଶାସନର ସୁଯୋଗ ପାଉ ନ ଥିଲା ଜନତା ଦଳ ସରକାର । ଠିକ୍ ଏତିକି ବେଳେ ପ୍ରଧାନମନ୍ତ୍ରୀ ଭିପି ସିଂ ଏକ ବଡ ଘୋଷଣା କଲେ । ଯାହା ସାରା ଦେଶକୁ ଚକିତ କରିଦେଲା । ଦୀର୍ଘ ବର୍ଷ ଧରି ଫାଇଲରେ ବନ୍ଦ ହୋଇପଡିଥିବା ମଣ୍ଡଳ କମିସନଙ୍କ ସୁପାରିସକୁ ଲାଗୁ କରିବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ଭିପି ସିଂ । ୟେ ସେହି ମଣ୍ଡଳ କମିସନ ଯାହା ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସଂରକ୍ଷଣର ସୁପାରିସ କରିଥିଲେ । ମାନେ ଦେଶରେ ଯେତିକି ସରକାରୀ ଚାକିରି ଆସିବ ସେଥିରେ କେବଳ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷିତ ହୋଇ ରହିବ । ସରକାର ପରେ ସରକାର ଯାଇଥିଲେ ବି ଏହି ସୁପାରିସକୁ କେହି ପୂର୍ଣ୍ଣ ଭାବେ ଲାଗୁ କରୁ ନ ଥିଲେ ।

କିନ୍ତୁ ଭିପି ଏହାକୁ ଲାଗୁ କରିବାକୁ ଘୋଷଣା କରିଦେଲେ । ଯାହା ଦେଶ ରାଜନୀତିକୁ ହଇଚଇ କରିଦେଲା । ଜନତା ଦଳର ବିରୋଧୀମାନେ ଏହି ଘୋଷଣାର ପ୍ରତିବାଦ କଲେ । ଜନତା ଦଳରେ ଥିବା ନେତାମାନେ ଏହା ସପକ୍ଷରେ ରାଲି କଲେ । ଆରୋପ-ପ୍ରତ୍ୟାରୋପ ଚାଲିଥିଲା । ମଣ୍ଡଳ ଝଡରେ ଦେଶର ରାଜନୀତି ପାରା ଗରମ ଥିଲା । ଠିକ୍ ଏତିକି ବେଳେ ଏହି ଝଡଠାରୁ ବି ବଡ ଝଡ ତିଆରି କରିଥିଲେ ଜନତା ଦଳର ପ୍ରମୁଖ ନେତା, ଭିପିଙ୍କ ବେଶ୍ ଖାସ୍, ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ନିଜ ଦଳର ସରକାର, ନିଜ ଦଳର ପ୍ରଧାନମନ୍ତ୍ରୀ, ତାହା ସତ୍ୱେ ବିଜୁ ବାବୁ ତାହା ହିଁ କହିଲେ, ଯାହା ତାଙ୍କର କହିବାର ଥିଲା । ନା ଦଳ, ନା ଭୋଟ୍ ରାଜନୀତି କିଛି ବି ଦେଖିଲେ ନାହିଁ ।

ସିଧା ସିଧା ମଣ୍ଡଳ କମିସନଙ୍କ ସୁପାରିସ ଲାଗୁ କରିବା ନିଷ୍ପତ୍ତିକୁ ବିରୋଧ କଲେ । ସେତେବେଳେ ପ୍ରଧାନମନ୍ତ୍ରୀ ଭିପି ସିଂ, ଜନତା ଦଳ ସଭାପତି ଏସଆର୍ ବୋମାଇଙ୍କ ସହ ବୈଠକରେ ସିଧା ସିଧା ଶୁଣାଇଲେ ଏଭଳି ନିଷ୍ପତ୍ତି ଠିକ୍ ନୁହେଁ । ଭୋଟ୍ ପାଇଁ ଏଭଳି ରାଜନୀତି କରାଯିବା ଉଚିତ୍ ନୁହେଁ । ଏପିରିକି ଗଣମାଧ୍ୟମ ଆଗରେ ନିଜ ଦଳ ଓ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ବି ସଫା ମତ ରଖିଲେ । ବିଜୁ ବାବୁଙ୍କ ଯୁକ୍ତି ଥିଲା, ଜାତି ଭିତ୍ତିରେ ନୁହେଁ, ମଣିଷର ଆର୍ଥିକ ସ୍ଥିତି ଆଧାରରେ ସଂରକ୍ଷଣର ବ୍ୟବସ୍ଥା ହେବା ଉଚିତ୍ । ଯଦି କାହାକୁ ଆଗକୁ ନେବାର ଅଛି ତାହାର ଜାତି ଦେଖାଯିବା ଉଚିତ୍ ନୁହେଁ । ଗରିବର କୌଣସି ଜାତି ନାହିଁ । ଗରିବ ଯେକୌଣସି ଜାତିର ହେଉ ତାକୁ ଆଗକୁ ନେବାର ଉଦ୍ୟମ ହେଉ ।

ଜାତି ନାଁରେ ସଂରକ୍ଷଣ ପରେ ସଂରକ୍ଷଣ କରିଚାଲିଲେ, ଏହା ଦଳକୁ ଭୋଟ୍ ଦେଇପାରେ କିନ୍ତୁ ଏଥିରେ ଦେଶର ବା ଦେଶର ନାଗରିକଙ୍କ ବାସ୍ତବିକ ବିକାଶ ସମ୍ଭବ ନୁହେଁ । ଏହାଥିଲା ଜନତା ଦଳ ବୈଠକରେ ବିଜୁ ବାବୁଙ୍କ ମନ୍ତବ୍ୟ । ସେ କୌଣସି ପରିସ୍ଥିତିରେ ବି ଭିପି ସିଂଙ୍କ ସହ ଏକମତ ନ ଥିଲେ । ସେ କେବେ ବି ଏଭଳି ଜାତିଭିତ୍ତିକ ରାଜନୀତିର ବିଶ୍ୱାସ କରୁ ନ ଥିଲେ। ଜାତି ରାଜନୀତିକୁ ପ୍ରଶୟ ଦେଉ ନ ଥିଲେ । ଏପିରିକି ନିଜ ଦଳର ପ୍ରଧାନମନ୍ତ୍ରୀଙ୍କୁ ବି ଛାଡି ନ ଥିଲେ । ଏହି କଥା ୩୧ ବର୍ଷ ତଳର । କିନ୍ତୁ ଆମକୁ ଆଜି ଏହି କଥା କହିବାକୁ ପଡିଲା ଏଇଥି ପାଇଁ, କାରଣ ଏକଥା ବିଜୁ ବାବୁଙ୍କ ନାଁରେ ୨୧ ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ବାବୁ ଜାଣିବା ଦରକାର ।

ନବୀନ ବାବୁ ଜାଣିବା ଦରକାର ଓବିସି ପ୍ରସଙ୍ଗରେ ତାଙ୍କ ବାପା ବିଜୁ ବାବୁଙ୍କ ଷ୍ଟାଣ୍ଡ୍ କ’ଣ ଥିଲା । ବିଜୁ ଜନତା ଦଳ ବି ଜାଣିବା ଦରକାର, ଯାହାଙ୍କ ନାଁରେ ଏହି ଦଳ ଗଢାଯାଇଛି, ସେହି ବିଜୁ ପଟ୍ଟନାୟକ ମଣ୍ଡଳ କମିସନର ସୁପାରିସ ଓ ଭିପିଙ୍କ ନିଷ୍ପତ୍ତି ପ୍ରସଙ୍ଗରେ କଣ କହିଥିଲେ । ଅବଶ୍ୟ ନବୀନ ବାବୁ ଓ ବିଜେଡିଠାରୁ ଏହି କଥା ଓଡିଶାର ଲୋକେ ବେଶି ଜାଣିବାର ଆବଶ୍ୟକତା ରହିଛି । କାହିଁକି ନାଁ ୩୧ ବର୍ଷ ତଳର ଏହି କଥା ଆଜି ନବୀନ ବାବୁ ଓ ବିଜେଡିର ଚରିତ୍ରକୁ ପଦାରେ ପକାଉଛି । ୧୯୯୭ରେ ବିଜୁ ବାବୁଙ୍କର ନାଁରେ ବିଜେଡି ତିଆରି ହେଲା ।

ପ୍ରତିଥର ବିଜୁ ବାବୁଙ୍କ ନାଁରେ ଭୋଟ୍ ମାଗିଲେ । କୁହାଗଲା ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରୁଛି ବିଜେଡି । ଯାହା ହେଲା ତାହା ବିଜୁ ବାବଙ୍କ ସ୍ୱପ୍ନ ବୋଲି ଆମକୁ ବୁଝାଇ ଦିଆଗଲା । ଯେତେବେଳେ ତାଙ୍କ ପୁଅ ଏକଥା କହୁଥିଲେ, ତାହା ନିଶ୍ଚୟ ବିଜୁ ବାବୁଙ୍କ ସ୍ୱପ୍ନ ବୋଲି ଧରି ନେବା ଛଡା ଆଉ କିଛି ଉପାୟ ନ ଥିଲା । ବିଜୁ ବାବୁଙ୍କ ସମ୍ମାନରେ ତାଙ୍କ ପୁଅ ଉପରେ ଲୋକେ ଆଶୀର୍ବାଦ ଅଜାଡି ଚାଲିଲେ । ଏବେ ବିଜୁ ବାବୁଙ୍କ ପୁଅ ନବୀନ ବାବୁ ରାଜ୍ୟରେ ଓବିସି ରାଜନୀତିର ସୂତ୍ରପାତ କରିଛନ୍ତି । କାଲି ସକାଳେ ଏହା ବି ବିଜୁ ବାବୁଙ୍କ ସ୍ୱପ୍ନ ବୋଲି କହିବାକୁ ବିଜେଡି ପଛାଇବା ନାହିଁ, ଏକଥା ଆମ ସମସ୍ତଙ୍କୁ ଜଣା । ତେଣୁ ଓବିସି ପ୍ରସଙ୍ଗରେ ବିଜୁ ବାବୁଙ୍କ କଣ ମତ ଥିଲା, ଜାଣିବାକୁ ବଡ ଖବର ଟିମ୍ ଚେଷ୍ଟା କରିଥିଲା ।

ଆମେ ଇଣ୍ଟରନେଟଠାରୁ ଆରମ୍ଭ କରି ଅନେକ ପୁରୁଣା ଖବରରେ ଖୋଜାଖୋଜି କରିଥିଲୁ । କିଛି ପୁରୁଖା ଲୋକଙ୍କୁ ବି ପଚାରିଥିଲୁ । ଆମେ ଯାହା ଜାଣିଲୁ ତାହା ଆମକୁ ଆଶ୍ଚର୍ଯ୍ୟ କଲା । ବିଜୁଙ୍କ ସ୍ୱପ୍ନ ସାକାର କଥା କହୁଥିବା ନବୀନ ବାବୁ ସେୟା କରୁଛନ୍ତି, ଯାହାକୁ ଦିନେ ଦୃଢତାର ସହ ବିରୋଧ କରିଥିଲେ ବିଜୁ ବାବୁ । ଓବିସି ସଂରକ୍ଷଣକୁ ନେଇ ବିଜୁ ବାବୁଙ୍କ କଣ ମତ ଥିଲା ଆମେ ଆପଣଙ୍କୁ ସେ ସଂପର୍କରେ ପୂରା ସୂଚନା ଦେଇ ସାରିଛୁ । ଆପଣ ବି ବୁଝି ସାରିଥିବେ, ବିଜୁ ବାବୁଙ୍କ ସ୍ୱପ୍ନ ସାକାର ନାଁରେ ବିଜେଡି କଣ କରୁଛି ।

Leave A Reply

Your email address will not be published.